କଂଗ୍ରେସ ହାତରୁ ମଧ୍ୟପ୍ରଦେଶ ବି ଗଲା : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କମଲନାଥ

ରାଜ୍ୟବାସୀଙ୍କ ବିଜୟ: ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ରାଜନୀତି ଆଜି ନୂଆ ମୋଡ଼ ନେଇଛି। ମୁଖ୍ୟମନ୍ତ୍ରୀ କମଲନାଥ ଆଜି ବିଧାନସଭାରେ ଆସ୍ଥା ଭୋଟ୍‌ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ୧୫ ମାସ ପୁରୁଣା ସରକାରଙ୍କ ରିପୋର୍ଟ କାର୍ଡ ଉପସ୍ଥାପନ କରିଥିଲେ ଏବଂ ଏହାପରେ ଇସ୍ତଫା ଘୋଷଣା କରିଛନ୍ତି। ଅପରାହ୍ନ ୧ଟା ବେଳେ କମଲନାଥ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ୍‌ଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ଏବଂ ରାଜ୍ୟପାଳ ଏହି ଇସ୍ତଫାକୁ ଗ୍ରହଣ କରିଛନ୍ତି। ଏହାସହିତ କଂଗ୍ରେସ ଆଉ ଏକ ରାଜ୍ୟ ହରାଇଛି। ଏହାପୂର୍ବରୁ ଗତବର୍ଷ କର୍ଣ୍ଣାଟକରେ ଏଭଳି ଢଙ୍ଗରେ ସରକାରର ପତନ ଘଟିଥିଲା।

କମଲନାଥଙ୍କ ଇସ୍ତଫା ସହିତ ୧୫ ମାସର କମଲନାଥ ସରକାରର ପତନ ଘଟିଥିବାରୁ ମଧ୍ୟପ୍ରଦେଶରେ ବିଜେପି କ୍ଷମତାକୁ ଫେରିବା ରାସ୍ତା ସଫା ହୋଇଯାଇଛି। ବିଜେପି କାର୍ଯ୍ୟାଳୟରେ ଆଜି ଦଳୀୟ ନେତା ଓ କର୍ମୀମାନେ ଏଥିପାଇଁ ଉତ୍ସବ ମନାଇ ଥିଲେ। କମଳନାଥ କହିଛନ୍ତି ଯେ ବିଗତ ୧୫ ମାସରେ ସେ ଏକ ଭଲ ଓ ପାରଦର୍ଶୀ ସରକାର ପରିଚାଳନା କରୁଥିଲେ ଏବଂ ତାଙ୍କର କେଉଁଠି କିଛି ଭୁଲ୍‌ ନଥିଲା। ବିଜେପିର ଷଡ଼ଯନ୍ତ୍ର ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ଏବଂ ରାଜ୍ୟବାସୀ ଏହାର ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି। ବିଜେପି ୧୫ ବର୍ଷ ଧରି ଶାସନ କରିଥିଲା ଏବଂ ମତେ କେବଳ ୧୫ ମାସ ମିଳିଛି ବୋଲି କମଳନାଥ କହିଛନ୍ତି।

କମଲନାଥଙ୍କ ଇସ୍ତଫା ଘୋଷଣା ପରେ ବାଚସ୍ପତି ପ୍ରଜାପତି କହିଥିଲେ ଯେ ବିଧାନସଭାରେ ଆଜି ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପାଇଁ ସୁପ୍ରିମ୍‌ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ଏବେ ତାହାର ଆଉ କୌଣସି ଆବଶ୍ୟକତା ନାହିଁ। ମୁଖ୍ୟମନ୍ତ୍ରୀ ନିଜେ ଇସ୍ତଫା ଦେଇଛନ୍ତି ଏବଂ ଗତରାତିରେ ମୁଁ ୧୬ ଜଣ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫାକୁ ମଂଜୁର କରିସାରିଛି। କମଳନାଥଙ୍କ ଇସ୍ତଫା ପରେ ବିଜେପି ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ ଯେ ଶେଷରେ ସତ୍ୟର ଜୟ ହୋଇଛି।

ନିକଟରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ କମଲନାଥଙ୍କ ଇସ୍ତଫା ପ୍ରସଙ୍ଗରେ କହିଛନ୍ତି ଯେ ଏହା ରାଜ୍ୟବାସୀଙ୍କର ବିଜୟ । କମଲନାଥଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ଜନସେବାରୁ ଦୂରେଇ ଯାଇ ଦୁର୍ନୀତିର ରାସ୍ତା ଧରିଥିଲା। ଏବେ ଏହାର ଅବସାନ ଘଟିଛି ଏବଂ ରାଜ୍ୟବାସୀଙ୍କ ବିଜୟ ହୋଇଛି ବୋଲି ସେ କହିଛନ୍ତି।

ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗୃହୀତ ହୋଇଥିବାରୁ ଏବେ ବିଧାନସଭାରେ ସଦସ୍ୟ ସଂଖ୍ୟା ୨୦୬କୁ ଖସି ଆସିଛି। କଂଗ୍ରେସ ପାଖରେ ୯୨ ବିଧାୟକ ଥିବା ବେଳେ ଅନ୍ୟ ୭ ଜଣ ବିଧାୟକ ବାହାରୁ ସମର୍ଥନ କରୁଛନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପି ଆଡ଼କୁ ଢଳିବେ ବୋଲି କୁହାଯାଉଛି । ବିଜେପି ପାଖରେ ଏବେ ୧୦୬ ବିଧାୟକ ଅଛନ୍ତି ଏବଂ ସରକାର ଗଠନ ପାଇଁ ୧୦୪ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ।

ଏହାସହିତ ଗତ ୯ ମାସ ମଧ୍ୟରେ କଂଗ୍ରେସ ହାତରୁ ଦ୍ବିତୀୟ ରାଜ୍ୟ ମଧ୍ୟ ପ୍ରଦେଶ ଖସିଯାଇଛି। ଏହାପୂର୍ବରୁ ଠିକ୍ ଅନୁରୂପ ଢଙ୍ଗରେ କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ଯୋଗୁଁ କର୍ଣ୍ଣାଟକରେ କଂଗ୍ରେସ ସରକାରର ପତନ ଘଟିଥିଲା। ଶାସକ କଂଗ୍ରେସ ଓ ଜେଡିଏସର ୧୬ ବିଧାୟକ ବିଦ୍ରୋହ କରି ବିଧାନସଭାରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ଫଳରେ ଗତ ବର୍ଷ ଜୁଲାଇରେ ସରକାରର ପତନ ଘଟିଥିଲା।

ଏବେ କଂଗ୍ରେସ କେବଳ ପଞ୍ଜାବ, ରାଜସ୍ଥାନ ଓ ଛତିଶଗଡ଼ରେ ଶାସନ କରୁଥିବା ବେଳେ ମହାରାଷ୍ଟ୍ରରେ ଏହା ମେଣ୍ଟ ସରକାରରେ ଅଂଶୀଦାର ରହିଛି।

ସମ୍ବନ୍ଧିତ ଖବର