ମୁମ୍ବାଇ ଅଗ୍ନିକାଣ୍ଡ: ସାହାଯ୍ୟ ପାଇଁ ବିକଳ ହେଉଥିବା ଲୋକଙ୍କୁ ଛାଡ଼ି ପଳାଇଲେ ପବ୍ କର୍ମଚାରୀ

ମୁଖ୍ୟମନ୍ତ୍ରୀ ଦେଲେ ମାମଲାର ତଦନ୍ତ ନିର୍ଦ୍ଦେଶ, ୫ ବିଏମ୍‌ସି ଅଧିକାରୀ ନିଲମ୍ବିତ

ମୁମ୍ବାଇ: ମୁମ୍ବାଇର କମଳା ମିଲ୍ସ ପରିସରରେ ଥିବା ମୋଜେ ପବ(ରେଷ୍ଟୁରାଣ୍ଟ) ଅଗ୍ନିକାଣ୍ଡରେ ୧୪ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ବର୍ଷର ଠିକ୍‌ ୩ ଦିନ ପୂର୍ବରୁ ଗୁରୁବାର-ଶୁକ୍ରବାର ରାତିରେ ଘଟିଥିବା ଅଗ୍ନିକାଣ୍ଡରେ ୫୫ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଅଗ୍ନିକାଣ୍ଡରେ ଜଣେ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ବିଦେଶୀ ନାଗରିକ ଆହତ ହୋଇ ଭାଟିଆ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୁଲିସ କହିଛି, ଯେତେବେଳେ ପବରେ ଅଗ୍ନିକାଣ୍ଡ ଘଟିଥିଲା, ସେହି ସମୟରେ ବିପନ୍ନ ଲୋକଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ‘ପବ୍’ର ପରିଚାଳକ ଓ ଅନ୍ୟ କର୍ମଚାରୀମାନେ ବାହାରକୁ ପଳାଇ ଯାଇଥିଲେ। ଜୀବନ ପାଇଁ ବିକଳ ହେଉଥିବା ଲୋକଙ୍କର ନିବେଦନକୁ ଶୁଣିବା ପାଇଁ ସେମାନେ ପ୍ରସ୍ତୁତ ନଥିଲେ।

ପୁଲିସ କହିବା ଅନୁସାରେ ପବ୍ କର୍ମଚାରୀ ସୁରକ୍ଷା ନିୟମକୁ ପାଳନ କରି ନାହାନ୍ତି, ଯେଉଁଥି ପାଇଁ ୧୪ ଜଣଙ୍କର ଜୀବନ ଚାଲି ଯାଇଛି। ପୁଲିସ ଅଧିକାରୀ କହିଛନ୍ତି, ‘ପବ’ର ପରିଚାଳକ ଓ କର୍ମଚାରୀ ସେଠାରେ ଥିବା ଲୋକଙ୍କୁ ଉଦ୍ଧାର ନ କରି ଅନ୍ୟତ୍ର ଲୁଚି ପଳାଇଥିଲେ। ଅନ୍ୟପକ୍ଷରେ ‘ପବ୍’ ପକ୍ଷରୁ ଜାରି ହୋଇଥିବା ବୟାନରେ ମାଲିକ କହିଛନ୍ତି, ତାଙ୍କର କର୍ମଚାରୀମାନେ ଅନେକ ଲୋକଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ।

ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସିଦ୍ଧାର୍ଥ କହିଛନ୍ତି, ଯେତେବେଳେ ନିଆଁ ଲାଗିଲା ରେଷ୍ଟୁରାଣ୍ଟରେ ପାଖାପାଖି ୧୫୦ ଜଣ ଲୋକ ଥିଲେ। ରାସ୍ତା ସଂକୀର୍ଣ୍ଣ ଥିବାରୁ ଲୋକଙ୍କୁ ବାହାର କରିବା ଅଡୁଆ ପରିସ୍ଥିତି ଦେଖାଯାଇଥିଲା। ମାଲିକଙ୍କ ବିରୋଧରେ ହତ୍ୟାକାଣ୍ଡ ଅଭିଯୋଗ ହୋଇଛି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି, ବିଏମ୍‌ସି କମିସନରଙ୍କୁ ମାମଲାର ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଇଛି। ବିଏମ୍‌ସି ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବ। ଏଥି ସହିତ ବିଏମ୍‌ସିର ୫ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।

ସମ୍ବନ୍ଧିତ ଖବର