କନ୍ଧମାଳ ଦଙ୍ଗା ପୀଡ଼ିତଙ୍କ କ୍ଷତିପୂରଣ ମାମଲା : ସୁପ୍ରିମ୍ ‌କୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବ କେନ୍ଦ୍ର

ନୂଆଦିଲ୍ଲୀ : କନ୍ଧମାଳ ଦଙ୍ଗା ପୀଡ଼ିତଙ୍କ କ୍ଷତିପୂରଣ ମାମଲାରେ କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବେ। ଏ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ମନିନ୍ଦର ସିଂହ ସୁପ୍ରିମ୍ କୋର୍ଟ ବିଚାରପତି ଉଦୟ ଉମେଶ ଲଳିତ ଓ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଓକିଲ ଶିବାଶିଷ ମିଶ୍ର ୪ ସପ୍ତାହ ମଧ୍ୟରେ କ୍ଷତିପୂରଣ ବାବଦରେ ଅବଗତ କରାଇବା ପାଇଁ ଖଣ୍ଡପୀଠଙ୍କ ନିକଟରୁ ସମୟ ଲୋଡ଼ିଥିଲେ। ୨୦୧୬ ଅଗଷ୍ଟ ୨ ତାରିଖରେ ସୁପ୍ରିମ୍ କୋର୍ଟର ଦୁଇଜଣିଆ ଖଣ୍ଡପୀଠ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିଜନଙ୍କୁ ଅତିରିକ୍ତ ୩ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗୁରୁତର ଆହତ ବ୍ୟକ୍ତିଙ୍କୁ ଅତିରିକ୍ତ ୩୦,୦୦୦ ଟଙ୍କା, ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ୧୦,୦୦୦ ଟଙ୍କା ରାଜ୍ୟ ସରକାରଙ୍କ ପାଣ୍ଠିରୁ ‌େଦବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦଙ୍ଗା‌େର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବାସଗୃହ ପାଇଁ ରାଜ୍ୟ ସରକାର ଅତିରିକ୍ତ ୫୦,୦୦୦ ଟଙ୍କା ଓ କେନ୍ଦ୍ର ସରକାର ଅତିରିକ୍ତ ୨୦,୦୦୦ ଟଙ୍କା, ଆଂଶିକ ଭାବେ କ୍ଷତିଗ୍ରସ୍ତ ବାସଗୃହ ପାଇଁ ୨୦,୦୦୦ ଟଙ୍କା ରାଜ୍ୟ ସରକାର ଓ ୧୦,୦୦୦ ଟଙ୍କା କେନ୍ଦ୍ର ସରକାର ଦେବା ପାଇଁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମ୍ କୋର୍ଟର ନିର୍ଦ୍ଦେଶ ପାଳନ କରାଯାଇନଥିବା ସଂପର୍କରେ ପିଟିସନ୍ ଦାଖଲ କରାଯାଇଥିଲା। ଅତିରିକ୍ତ ସଲିସିଟର ଜେନେରାଲ୍ ଖଣ୍ଡପୀଠଙ୍କୁ କହିଥିଲେ ରାଜ୍ୟ ସରକାର ଅର୍ଥରାଶି ପ୍ରଦାନ କରିବା ନେଇ ଅବଗତ କରାଇଛନ୍ତି।

ସମ୍ବନ୍ଧିତ ଖବର