କନ୍ଧମାଳ ଦଙ୍ଗା ପୀଡ଼ିତଙ୍କ କ୍ଷତିପୂରଣ ମାମଲା : ପ୍ରତିଜବାବ ଦାଖଲ ପାଇଁ ସମୟ ଲୋଡ଼ିଲେ ଆବେଦନକାରୀ

ନୂଆଦିଲ୍ଲୀ : କନ୍ଧମାଳ ଦଙ୍ଗା ପୀଡ଼ିତଙ୍କ କ୍ଷତିପୂରଣ ମାମଲାରେ ପ୍ରତି ଜବାବ ଦାଖଲ କରିବାପାଇଁ ଆର୍କବିସପ୍‌ ଜନ୍‌ ବରୁଆ ଆଜି ସୁପ୍ରିମକୋର୍ଟରେ ଦୁଇ ସପ୍ତାହ ସମୟ ଲୋଡ଼ିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଉଦୟ ଉମେଶ ଲଳିତଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି ଦୁଇ ସପ୍ତାହ ପରେ ହେବ ବୋଲି କହିଛନ୍ତି। ଏଥି ପୂର୍ବରୁ କନ୍ଧମାଳ ଦଙ୍ଗା ପୀଡ଼ିତଙ୍କ ମାମଲାରେ ରାଜ୍ୟ ସରକାରଙ୍କ ଦ୍ବାରା ସତ୍ୟପାଠ ଦାଖଲ କରାଯାଇଥିଲା। ଅକ୍ଟୋବର ୮ ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ ହୋଇଥିବା ସତ୍ୟପାଠରେ ବର୍ତ୍ତମାନ ସୁଦ୍ଧା କନ୍ଧମାଳ ଦଙ୍ଗାର ୩୫୩ ଜଣ ପୀଡ଼ିତ ଅତିରିକ୍ତ କ୍ଷତିପୂରଣ ପାଇନଥିବା ସ୍ବୀକାର କରାଯାଇଥିଲା। ଅତିରିକ୍ତ କ୍ଷତିପୂରଣ ଅର୍ଥରାଶି ୧୫,୩୩,୨୦,୦୦୦ ଟଙ୍କାକୁ ମେ’ ୨୦୧୭‌ରେ ରିଲିଜ୍‌ କରାଯାଇଥିବା ମଧ୍ୟ ସତ୍ୟପାଠରେ କୁହାଯାଇଥିଲା। ୨୦୧୬ ଅଗଷ୍ଟ ୨ ତାରିଖରେ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ପ୍ରତ୍ୟେକ ମୃତକଙ୍କ ପରିବାର ସଦସ୍ୟଙ୍କୁ ଅତିରିକ୍ତ ୩ ଲକ୍ଷ ଟଙ୍କା ସହାୟତା ରାଶି ଏବଂ ଗୁରୁତର ଆହତଙ୍କୁ ଅତିରିକ୍ତ ୩୦,୦୦୦ ଟଙ୍କା, ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ୧୦,୦୦୦ ଟଙ୍କା ରାଜ୍ୟ ସରକାରଙ୍କ ପାଣ୍ଠିରୁ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସୁପ୍ରିମକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ କରି ଆବେଦନାରକୀ ଆର୍କବିଶପ୍‌ ଜନ୍‌ ବରୁଆଙ୍କ ଦ୍ବାରା ଅଦାଲତ ଅବମାନନା ପିଟିସନ୍‌ ଦାଖଲ କରାଯାଇଥିଲା।

ସମ୍ବନ୍ଧିତ ଖବର