ବିଜେପି ନେତା କପିଲ ମିଶ୍ରଙ୍କ ଉପରେ ୪୮ ଘଣ୍ଟିଆ ନିଷେଧାଜ୍ଞା ଲଗାଇଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ : ବିବାଦୀୟ ଟ୍ଵିଟ୍‌ କରିବା ଦିଲ୍ଲୀ ବିଜେପି ବିଧାୟକ ପ୍ରାର୍ଥୀ କପିଲ ମିଶ୍ରଙ୍କୁ ମହଙ୍ଗା ପଡ଼ିଛି । ନିର୍ବାଚନ କମିସନ ତାଙ୍କ ଉପରେ ୪୮ ଘଣ୍ଟିଆ ନିଷେଧାଜ୍ଞା ଲଗାଇଛନ୍ତି । ଏହି ସମୟରେ ସେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ।

ଶନିବାର ଅପରାହ୍ଣ ୫ଟାରୁ ଏହି ନିଷେଧାଜ୍ଞା ଲାଗୁ ହେବ । ଖୋଦ ମୁଖ୍ୟ ନିର୍ବାଚନ କମିସନ ସୁନୀଲ ଆରୋରା ଏହି ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଛନ୍ତି । କପିଲ ମିଶ୍ର ଗତ ଗୁରୁବାରଦିନ ଏକ ଟ୍ଵିଟ କରି କହିଥିଲେ ଯେ ପାକିସ୍ତାନୀ ଦଙ୍ଗାକାରୀମାନେ ଦିଲ୍ଲୀର ସଡ଼କକୁ ଅଧିକାର କରିନେଇଛନ୍ତି । ଦିଲ୍ଲୀରେ ଆନ୍ଦୋଳନ ହେଉଥିବା ସ୍ଥାନଗୁଡ଼ିକ ଗୋଟିଏ ଗୋଟିଏ ମିନି ପାକିସ୍ତାନରେ ପରିଣତ ହୋଇଛି । ଆଗାମୀ ନିର୍ବାଚନ ଦିଲ୍ଲୀ ସଡ଼କରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ । ସାହିନ ବାଗ, ଚାନ୍ଦବାଗ, ଇନ୍ଦ୍ରଲୋକ ମାର୍କେଟ ଅଞ୍ଚଳରେ ଭାରତୀୟ ଆଇନକୁ କେହି ମାନୁନାହାନ୍ତି ।
ଏହା ବିରୁଦ୍ଧରେ କପିଲଙ୍କ ବିରୁଦ୍ଧରେ ଏଫଆଇଆର ରୁଜ୍ଜୁ ହୋଇଥିଲା । ପରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ଟ୍ଵିଟର ଏହି ବିବାଦୀୟ ଟ୍ଵିଟକୁ ହଟାଇଦେଇଥିଲା ।

ଗତ ନିର୍ବାଚନରେ କପିଲ ମିଶ୍ର ଆପ୍‌ ଟିକେଟରେ ନିର୍ବାଚନ ଜିତି ଦିଲ୍ଲୀ ସରକାରରେ ମନ୍ତ୍ରୀ ହୋଇଥିଲେ । କିନ୍ତୁ ବିବାଦୀୟ ମନ୍ତବ୍ୟ କାରଣରୁ ତାଙ୍କୁ ଆପ୍‌ରୁ ବହିଷ୍କାର କରାଯାଇଥିଲା । ସେ ଏଥର ଦିଲ୍ଲୀ ମଡେଲ ଟାଉନ ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି ।

ସମ୍ବନ୍ଧିତ ଖବର