ମୁଜାଫରନଗର: ୧୯୯୯ ମସିହା, ଜୁନ୍ ୧୨ ତାରିଖ ରାତିରେ କାର୍ଗିଲ୍ ଅନ୍ତର୍ଗତ ତୋଲୋଲିଙ୍ଗ୍ ଠାରେ ରାଜପୁତ ରାଇଫଲ୍ର ଦ୍ୱିତୀୟ ବାଟାଲିୟନ୍ରେ ଲାନ୍ସ୍ ନାଏକ ଭାବେ କାର୍ଯ୍ୟରତ ପିତା ନିହତ ହୋଇଥିଲା ବେଳେ ହିତେଶ କୁମାରଙ୍କୁ ହୋଇଥିଲା ମାତ୍ର ୬ ବର୍ଷ। ଏ ଖବର ଶୁଣିବା ପରେ, ହିତେଶ ପଣ କରିଥିଲେ କି, ବଡ଼ ହେଲେ ସେ ସେନାବାହିନୀରେ ଯୋଗ ଦେବେ।
Sambad is now on WhatsApp
Join and get latest news updates delivered to you via WhatsApp
ଠିକ୍ ୧୯ ବର୍ଷ ପରେ ଡେରାଡୁନ୍ସ୍ଥିତ ଇଣ୍ଡିଆନ୍ ମିଲିଟାରି ଏକାଡେମିରୁ ଉତ୍ତୀର୍ଣ୍ଣ ହୋଇ ହିତେଶ ଭାରତୀୟ ସେନାରେ ଜଣେ ଲେଫ୍ଟ୍ନାଣ୍ଟ୍ ଭାବେ ଯୋଗ ଦେବାକୁ ମନୋନୀତ ହୋଇଛନ୍ତି।
କେବଳ ସେତିକି ନୁହେଁ, ତାଙ୍କ ବାପା ଯେଉଁ ବାଟାଲିୟନ୍ରେ ଚାକିରି କରିଥିଲେ ସେ ମଧ୍ୟ ସେହି ବାଟାଲିୟନ୍ରେ ଚାକିରି କରିବେ। ପରେଡ୍ ପାସ୍ କରିବା କ୍ଷଣକ ପରେ ମୁଜାଫରନଗର ସିଭିଲ୍ ଲାଇନ୍ ଅଞ୍ଚଳରେ ଥିବା ସ୍ମାରକୀ ଠାରେ ହିତେଶ ତାଙ୍କ ଦିବଂଗତ ପିତା ବଚନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ହିତେଶ କହନ୍ତି: ସେନାରେ ଯୋଗ ଦେବା ପାଇଁ ମୁଁ ୧୯ ବର୍ଷ ହେବ ସ୍ୱପ୍ନ ଦେଖି ଆସୁଥିଲି। ଏଇଟା କ୍ରମେ ମୋ ମାଆର ସ୍ୱପ୍ନ ବି ପାଲଟି ଯାଇଥିଲା। ଏବେ ଗୌରବ ଓ ସାଧୁତାର ସହ ମୋ ଦେଶର ସେବା କରିବି।
କାର୍ଗିଲ୍ ସହିଦଙ୍କ ସ୍ମାରକୀପୀଠରେ ହିତେଶଙ୍କ ମାଆ କାମେଶ ବାଲା ଛଳ ଛଳ ଆଖିରେ କହନ୍ତି: ବଚନ ସହିଦ ହେବା ପରେ ଜୀବନ ବଡ଼ କଷ୍ଟକର ହୋଇ ପଡ଼ିଥିଲା। ମୋର ଦୁଇ ପୁଅଙ୍କୁ ପାଳନ କରିବା ନିମନ୍ତେ ମୁଁ ଜୀବନ ଉତ୍ସର୍ଗ କରି ଦେଇଥିଲି। ଆଜି ଗର୍ବିତା ଯେ ହିତେଶ ସେନାରେ ଯୋଗ ଦେଉଛି। ତା’ର ସାନ ଭାଇ ହେମନ୍ତ ମଧ୍ୟ ସେନାରେ ଯୋଗ ଦେବା ପାଇଁ ପ୍ରସ୍ତୁତି କରୁଛି।
ଏହା ଛଡ଼ା ମୁଁ ଆଉ ଅଧିକ କ’ଣ କହି ପାରିବି।
ବଚନଙ୍କ ବାଟାଲିୟନ୍ରେ ଥିବା ଋଷିପାଲ୍ ସିଂହ କହନ୍ତି: ବଚନ ଥିଲେ ଜଣେ ସାହସୀ ସୈନିକ। ଟୋଲୋଲିଙ୍ଗ୍ ଠାରେ ଆମ ବାଟାଲିୟନ୍ ଉପରକୁ ଆକ୍ରମଣ କରାଯିବାରୁ ତାଙ୍କ ମୁଣ୍ଡରେ ଗୁଳି ଚୋଟ ଲାଗିବାରୁ ଯୁଦ୍ଧକ୍ଷେତ୍ରରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସେଦିନ ଆମେ ୧୭ ଜଣ ସୈନିକଙ୍କୁ ହରାଇଥିଲୁ। ବଚନଙ୍କର ପୁତ୍ରକୁ ସେନାରେ ଯୋଗ ଦେଉଥିବାରୁ ମୁଁ ଆନନ୍ଦିତ।