କର୍ଣ୍ଣାଟକରେ ମୋଦିଙ୍କୁ ପରାଜୟ ଡର!

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏବେ ମାତ୍ର ୨ ସପ୍ତାହରୁ କମ୍‌ ସମୟ ରହିଯାଇଛି। ତେବେ ବିଜେପିର ଷ୍ଟାର୍‌ କ୍ୟାମ୍ପେନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ପର୍ଯ୍ୟନ୍ତ ପ୍ରଚାର ଅଭିଯାନ ଆରମ୍ଭ କରିନଥିବାରୁ ଏହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୋଦି କୌଣସି ସେମି ଫାଇନାଲ୍‌ରେ ପରାଜୟ ବୋଝ ନିଜେ ମୁଣ୍ଡାଇବାକୁ ଚାହୁ ନଥିବାରୁ ସୁଚିନ୍ତିତ ରଣନୀତି ସ୍ୱରୂପ ଜାତୀୟ ପ୍ରସଙ୍ଗଗୁଡ଼ିକୁ ରାଜ୍ୟ ନିର୍ବାଚନରେ ଗୌଣ କରିଛନ୍ତି। ମୋଦି ତାଙ୍କର ସୁଖ୍ୟାତି, ସମ୍ବଳ ଓ ଶକ୍ତିକୁ ୨୦୧୯ ନିର୍ବାଚନୀ ଯୁଦ୍ଧ ପାଇଁ ଠିକ୍‌ଠାକ ରଖିବାକୁ ଚାହୁଥିବାରୁ ଏ ପର୍ଯ୍ୟନ୍ତ କର୍ଣ୍ଣାଟକ ରାଜନୀତିରେ ତାଙ୍କର ଚମକ ଦେଖିବାକୁ ମିଳିନାହିଁ। ପୂର୍ବରୁ ଝାଡ଼ଖଣ୍ଡ, ହରିୟାଣା, ଉତ୍ତର ପ୍ରଦେଶ ଏବଂ ଗୁଜରାଟରେ ମୋଦି ହିଁ ପ୍ରଚାର ମଙ୍ଗ ଧରିଥିଲେ ଏବଂ ଏହି ସବୁ ରାଜ୍ୟରେ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇ ନଥିଲା। କିନ୍ତୁ କର୍ଣ୍ଣାଟକରେ ସ୍ଥିତି ଅଲଗା। ନିର୍ବାଚନ ତାରିଖ ଘୋଷଣାର ବହୁ ପୂର୍ବରୁ ବିଏସ୍‌ ୟେଦୁରପ୍ପାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ମଇଦାନକୁ ଓହ୍ଲାଇଥିଲା। ଦୁର୍ନୀତି ମାମଲାରେ ଭୀଷଣ ବଦନାମ ହୋଇଥିବା ୟେଦୁରପ୍ପାଙ୍କୁ ପ୍ରାର୍ଥୀ କରିବା ପାଇଁ ନିଜେ ମୋଦି ମଧ୍ୟ ଆଗ୍ରହ ଦେଖାଇଥିଲେ। ଏଭଳି ସ୍ଥିତିରେ ୨୦୧୯ ନିର୍ବାଚନ ପୂର୍ବରୁ ମୋଦି ନିଜ ଷ୍ଟାର୍‌ କ୍ୟାମ୍ପେନର ଛବି ଖରାପ ନ କରିବା ପାଇଁ ପ୍ରଚାରର ମୁଖ୍ୟସ୍ରୋତରୁ ଦୂରେଇ ରହିଛନ୍ତି। ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି ଏସ୍‌ ୟେଦୁରପ୍ପା ଏବଂ ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ତତ୍ତ୍ୱାବଧାନରେ ହିଁ ମୋଦି ସବୁକିଛି ଛାଡ଼ିଛନ୍ତି। ଯଦି କର୍ଣ୍ଣାଟକରେ ବିଜେପିର ପରାଜୟ ଘଟିବ ତା’ହେଲେ ଏଥିପାଇଁ ୟେଦୁରପ୍ପାଙ୍କ ମୁଣ୍ଡରେ ହିଁ ସମସ୍ତ ଦୋଷ ଲଦି ଦିଆଯିବ ଏବଂ ମୋଦିଙ୍କ ପାଇଁ କିଛି ଫରକ୍‌ ପଡ଼ିବ ନାହିଁ। ୨୦୧୫ରେ ବିହାର ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟରେ ମୋଦି ଏହି ନୀତି ଅପଣାଇଥିଲେ।

ୟେଦୁରପ୍ପାଙ୍କୁ ନେଇ ବିଜେପିରେ ସଙ୍କଟ ମଧ୍ୟ କିଛି କମ୍‌ ନାହିଁ। ଏବେ ବି ଦଳ ଭିତରେ ଏକ ଗୋଷ୍ଠୀ ତାଙ୍କୁ ବିରୋଧ ଜାରି ରଖିଛନ୍ତି। ଅମିତ ଶାହଙ୍କ ସକଳ ଉଦ୍ୟମ ସତ୍ତ୍ୱେ ଏହା ପ୍ରଚାର ଅଭିଯାନରେ ବାରମ୍ବାର ପ୍ରତିଫଳିତ ହେଉଥିବା ଦେଖିବାକୁ ମିଳିଛି। ଶାହ ନିର୍ବାଚନୀ ରଣନୀତି ପ୍ରସ୍ତୁତିରେ ଧୂରନ୍ଧର ହୋଇଥିଲେ ମଧ୍ୟ ଜଣେ ଜନନେତା ଭାବେ ତାଙ୍କର ପରିଚିତି ନାହିଁ ଏବଂ ପ୍ରଚାର ମଧ୍ୟ ପ୍ରଭାବଶାଳୀ ହୋଇପାରୁନାହିଁ। ବିଜେପି ପାଇଁ କର୍ଣ୍ଣାଟକ ପରିସ୍ଥିତି ଅନ୍ୟ ରାଜ୍ୟଠାରୁ ଅନେକ ଭିନ୍ନ ଏବଂ ଏହାକୁ ମୋଦି ଠିକ୍‌ ଆକଳନ କରିଥିବା କୁହାଯାଉଛି। ଅନ୍ୟପକ୍ଷରେ ଦୁର୍ନୀତି ଅଭିଯୁକ୍ତ ୟେଦୁରପ୍ପାଙ୍କୁ ବିଜେପି ପ୍ରାର୍ଥୀ କରିଥିବାରୁ କଂଗ୍ରେସ ବିପୁଳ ଉତ୍ସାହରେ ବିଜେପି ବିରୋଧୀ ଅଭିଯାନକୁ ଜୋର୍‌ଦାର କରିଛି।

ମେ’ ୧୨ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟରେ ତ୍ରିଶଙ୍କୁ ବିଧାନସଭା ହେବ ବୋଲି ସର୍ଭେ ରିପୋର୍ଟଗୁଡ଼ିକର ତଥ୍ୟ ଉଭୟ କଂଗ୍ରେସ ଓ ବିଜେପି ପାଇଁ ଚିନ୍ତାର କାରଣ ହୋଇଛି । ଝୁଲା ବିଧାନସଭା ସ୍ଥିତିରେ ଜେଡିଏସ୍‌ ସହ ବିଜେପି ହାତ ମିଳାଇବା ସମ୍ଭାବନା ଏବେ ବଳବତ୍ତର ହୋଇଛି। ତେବେ ରାଜ୍ୟର ୨୨୪ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ଅତିକମ୍‌ରେ ୧୨୫ଟି ଆସନ ଜିତିବ ବୋଲି ଦଳର ବହୁ ବରିଷ୍ଠ ନେତା ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। ଦଳର ରଣନୀତିକାରମାନେ ଦାବି କରିଛନ୍ତି ଯେ ‘ମୋଦି ଲହର’ ଏବଂ ’ମୋଦି ମନ୍ତ୍ର’ କର୍ଣ୍ଣାଟକରେ ମଧ୍ୟ କାମ କରିବ। ତେବେ ଏ ପର୍ଯ୍ୟନ୍ତ କୌଣସି ଲହର କିମ୍ବା ମନ୍ତ୍ରର କିଛି ପ୍ରଭାବ ନଥିବାରୁ ଆଗକୁ କ’ଣ ହେବ ସେ ନେଇ ଅନିଶ୍ଚିତତା ବଢ଼ୁଛି। ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦି ମେ ୧ ତାରିଖରୁ ନିର୍ବାଚନୀ ଅଭିଯାନ ଚଳାଇବେ ଏବଂ ମୋଟ ୧୫ଟି ର‍୍ୟାଲିରେ ଉଦ୍‌୍‌ବୋଧନ ଦେବେ ବୋଲି ବିଜେପିର କର୍ଣ୍ଣାଟକ ପ୍ରଭାରୀ ପ୍ରକାଶ ଜାଭଡେକର କହିଛନ୍ତି।

କୁମାର ସ୍ୱାମୀଙ୍କ ଦୃଢୋକ୍ତି : ମୁଁ ‘କିଙ୍ଗ୍‌’ ହେବି, ‘କିଙ୍ଗ୍‌ ମେକର୍‌’ ନୁହଁ

ବେଙ୍ଗାଲୁରୁ : କର୍ଣ୍ଣାଟକ ନିର୍ବାଚନରେ ଜେଡିଏସ୍‌ ପ୍ରାୟ ୪୦ଟି ଆସନ ଜିତି କିଙ୍ଗ୍‌ ମେକର ସାଜିବ ବୋଲି ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ସର୍ଭେ ରିପୋର୍ଟରେ କୁହାଯିବା ପରେ ଏହାକୁ ନେଇ ରାଜନୈତିକ ଉଷ୍ଣତା ବଢ଼ିଯାଇଛି। ଆଜି ଜେଡିଏସ୍‌ ରାଜ୍ୟ ସଭାପତି କୁମାରସ୍ୱାମୀ କହିଛନ୍ତି ଯେ, ସେ କିଙ୍ଗ୍‌ ମେକର ନୁହନ୍ତି, ସେ ନିଜେ ହିଁ କିଙ୍ଗ୍‌୍‌ ହେବେ। ସେ କାହା ସହିତ ମେଣ୍ଟ କରି ନୁହେଁ ବରଂ ନିଜେ ସରକାର ଗଢିବେ ବୋଲି ଦୃଢୋକ୍ତି ବାଢ଼ିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ତାଙ୍କ ଦଳ ୧୧୩ଟି ଆସନ ଦଖଲ କରିବା ଲକ୍ଷ୍ୟରେ ଆଗେଇ ଚାଲିଛି। ଦଳ ୯୭-୧୦୫ଟି ଆସନ ଜିତିବା ସୁନିଶ୍ଚିତ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତେବେ ରାଜ୍ୟରେ ଝୁଲା ବିଧାନସଭା ପ୍ରସଙ୍ଗରେ ମତବ୍ୟକ୍ତ କରି କୁମାରସ୍ୱାମୀ କହିଛନ୍ତି ଯେ, ରାଜ୍ୟରେ ଏଭଳି ସ୍ଥିତି ଉପୁଜିବ ନାହିଁ। କଂଗ୍ରେସ ଓ ବିଜେପି ଉପରୁ ଲୋକଙ୍କ ଭରସା ତୁଟି ସାରିଥିବାରୁ ଲୋକେ ଏଥର ଜେଡିଏସ୍‌କୁ ହିଁ ଶାସନ କ୍ଷମତା ଦେବେ। ସେପଟେ ରାଜ୍ୟରେ କଂଗ୍ରେସ ଓ ବିଜେପି ଉଭୟ କ୍ଷମତା ହାସଲ ପାଇଁ ମିଳିମିଶି ନିର୍ବାଚନ ଲଢ଼ୁଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଝୁଲା ବିଧାନସଭା ସ୍ଥିତିରେ ଜେଡିଏସ୍‌ର ସମର୍ଥନ ହାସଲ ପାଇଁ ରାଜ୍ୟ ବିଜେପିର କେତେକ ବରିଷ୍ଠ ନେତା କସରତ ଆରମ୍ଭ କରିଦେଇଛନ୍ତି। ଜେଡିଏସ୍‌ ମଧ୍ୟ ଅଚାନକ ବିଜେପି ବିରୋଧରେ ତା’ର ପୂର୍ବରୁ ଥିବା କଠୋର ଆଭିମୁଖ୍ୟକୁ ବଦଳାଇ ଦେଇଛି।

ସମ୍ବନ୍ଧିତ ଖବର