କର୍ଣ୍ଣାଟକ ନିର୍ବାଚନ: ମଇଦାନରେ ୭ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏବେ ଜୋର୍‌ଦାର ପ୍ରଚାର ଚାଲିଥିବା ବେଳେ ଚଳିତ ନିର୍ବାଚନରେ ୭ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ପୁଅ ନିର୍ବାଚନ ଲଢ଼ୁଛନ୍ତି। ବଂଶବାଦ ଓ ପରିବାରବାଦର ଏହା ଏକ ଜ୍ଜଳନ୍ତ ଉଦାହରଣ ହୋଇଥିବା ବେଳେ ପୂର୍ବ ମୁଖ୍ୟମନ୍ତ୍ରୀମାନଙ୍କର ୯ ଜଣ ପୁଅଙ୍କ ଭାଗ୍ୟ ଏଥିରେ ନିର୍ଣ୍ଣୟ ହେବ। କର୍ଣ୍ଣାଟକର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ପୁଅ ଯତିନ୍ଦ୍ର ମଧ୍ୟ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। କର୍ଣ୍ଣାଟକର ବରୁଣା ନିର୍ବାଚନ ମଣ୍ଡଳୀ ଏବେ ନିର୍ବାଚନୀ ରଣକ୍ଷେତ୍ର ପାଲଟିଯାଇଛି । ଏଠାରେ ଦୁଇ ପ୍ରମୁଖ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସିଦ୍ଦରମେୟା ଏବଂ ବିଏସ ୟଦୁରପ୍ପାଙ୍କ ପୁଅଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ୟଦୁରପ୍ପାଙ୍କ ପୁଅ ବି.ଓ୍ଵାଇ ବିଜୟେନ୍ଦ୍ର ଏବଂ ସିଦ୍ଦରମେୟାଙ୍କ ପୁଅ ଯତିନ୍ଦ୍ର କର ବା ମର ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ନିର୍ବାଚନ ଜିଣିବାପାଇଁ ଉଭୟ ଦଳ ପକ୍ଷରୁ ହାଇଭୋଲ୍‌୍‌ଟେଜ ପ୍ରଚାର ଚାଲିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବଗୌଡ଼ାଙ୍କ ଦୁଇ ପୁଅ ଏଚଡି ରେବାନ୍ନ ଏବଂ ଏଚଡି କୁମାରସ୍ୱାମୀ ମଧ୍ୟ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଜେଡି(ଏସ୍‌) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କୁମାରସ୍ୱାମୀ ରାମନଗର ଏବଂ ଛେନ୍ନାପାଟନ୍ନା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌ ବଙ୍ଗାରାପ୍ପାଙ୍କ ଦୁଇ ପୁଅ କୁମାର ଏବଂ ମଧୁ ଯଥାକ୍ରମେ ବିଜେପି ଏବଂ କଂଗ୍ରେସରୁ ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେମାନେ ସୋରାବା ଏବଂ ଶିବମୋଗ୍ଗା ଜିଲ୍ଲାରେ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଜେଏଚ୍‌ ପଟେଲଙ୍କ ପୁଅ ମହିମା ପଟେଲ ଏବେ ଜନତା ଦଳ (ୟୁନାଇଟେଡ୍‌) ପ୍ରାର୍ଥୀ ଭାବେ ଦାବନାଗରେ ଜିଲ୍ଲାର ଚନ୍ନାଗିରିରୁ ନିର୍ବାଚନ ଲଢ଼ୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଧରମ ସିଂହଙ୍କ ପୁଅ ଅଜୟ ସିଂହ ଜେବାଗ୍ରି ଆସନରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଆର ବୋମ୍ମାଇଙ୍କ ପୁଅ ବାସବରାଜ ବୋମ୍ମାଇ ବିଜେପି ଟିକଟରେ ହାଭେରି ଜିଲ୍ଲାର ସିଗାଓଁରୁ ନିର୍ବାଚନ ଲଢ଼ୁଛନ୍ତି।

ସମ୍ବନ୍ଧିତ ଖବର