କର୍ଣ୍ଣାଟକ ନିର୍ବାଚନ: ୭୦% ମତଦାନ

କାଁ ଭାଁ ହିଂସା, ଭୋଟ୍‌ ବର୍ଜନ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍‌ ଗ୍ରହଣ   ସମାପ୍ତ ହୋଇଛି ଏବଂ  ପ୍ରାୟ ୭୦ ପ୍ରତିଶତ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ରାଜ୍ୟର ୨୨୪ଟି ବିଧାନସଭା ଆସନରୁ ୨୨୨ଟି ଆସନରେ ଭୋଟ୍‌ ଗ୍ରହଣ ଆଜି ସଂପନ୍ନ ହୋଇଥିବା ବେଳେ ଫଳାଫଳ ୧୫ ତାରିଖରେ ଘୋଷଣା ହେବ। ରାଜ୍ୟରେ ୨ଟି ଆସନର ଭୋଟ୍‌ ଗ୍ରହଣକୁ ସ୍ଥଗିତ ରଖାଯାଇଛି ।  କାଁ ଭାଁ ହିଂସାକାଣ୍ଡ ସତ୍ତ୍ୱେ ମତଦାନ ମୋଟାମୋଟି ଭାବେ   ଶାନ୍ତିପୂର୍ଣ୍ଣ ରହିଥିଲା। ବିଜେପି ଏବଂ କଂଗ୍ରେସ ପାଇଁ ମର୍ଯ୍ୟାଦାର ପ୍ରଶ୍ନ ପାଲଟିଥିବା  ବାଦାମି ଆସନରେ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା ଏବଂ ବିଜେପି ପ୍ରାର୍ଥୀ ଶ୍ରୀରାମୁଲୁଙ୍କ ସମର୍ଥକଙ୍କ ମଧ୍ୟରେ  ସଂଘର୍ଷ ହୋଇଥିଲା। ଏହାକୁ ନେଇ ରାତି ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଛି ।  ଆଜି ଭୋଟ୍‌ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ସାଢ଼େ ୫ଟା ପର୍ଯ୍ୟନ୍ତ ଚାଲଥିଲା।

 

ଉତ୍ତର କର୍ଣ୍ଣାଟକରେ  ପ୍ରଚଣ୍ଡ ଖରା ସତ୍ତ୍ୱେ ଭୋଟର୍‌ଙ୍କ ମଧ୍ୟରେ  ଉତ୍ସାହ ଦେଖିବାକୁ ମିଳିଥିଲା।  ରାଜ୍ୟର ୫୮୦୦୮ଟି ଭୋଟ୍‌ ଗ୍ରହଣ କେନ୍ଦ୍ରରୁ ମହିଳାମାନଙ୍କ ପାଇଁ ୬୦୦ଟି ଗୋଲାପି ରଂଗର ମତଦାନ କେନ୍ଦ୍ର ଖୋଲା ଯାଇଥିଲା।  ସରକାର ଗଠନ ପାଇଁ ୧୧୩ଟି ଆସନ  ଆବଶ୍ୟକ ପଡ଼ୁଥିବା ବେଳେ ଝୁଲା ବିଧାନସଭା ସ୍ଥିତି ସମ୍ଭାବନା ମଧ୍ୟ ରହିଛି  ଏବଂ ଅଧିକାଂଶ ଏକ୍‌୍‌ଜିଟ୍‌ ପୋଲରେ ଏଭଳି ଚିତ୍ର ସାମ୍ନାକୁ ଆସିଛି।  କଲବୁର୍ଗି ଜିଲ୍ଲାର  ତର୍କାସପେଟ୍‌ ଗ୍ରାମରେ ୩ ହଜାରରୁ ଊର୍ଦ୍ଧ୍ୱ ଜନତା ନିର୍ବାଚନ ବର୍ଜନ କରିଥିଲେ। ଗ୍ରାମରେ ପଂଚାୟତ ମୁଖ୍ୟାଳୟ ନିର୍ମାଣ ଦାବିରେ ଏହି ଭୋଟ୍‌ ବର୍ଜନ ହୋଇଥିବା ବେଳେ ଅନ୍ୟ କେତେକ ଗ୍ରାମରେ ମଧ୍ୟ ବିଭିନ୍ନ ଉନ୍ନୟନ ପ୍ରସଙ୍ଗରେ ଭୋଟ୍‌ ବର୍ଜନ ହୋଇଥିବା ଖବର ମିଳିଛି।  ହମ୍ପି ନଗରରେ ଏକ ପୁଲିଂ  ବୁଥ୍‌ ଅଂଚଳରେ କଂଗ୍ରେସ ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଥିଲା।  ପୂର୍ବ କର୍ଣ୍ଣାଟକରେ ବିପୁଳ ପରିମାଣରେ ମଦ, ଧୋତି ଏବଂ ପ୍ରେସର୍‌ କୁକର  ଭୋଟର୍‌୍‌ଙ୍କୁ ବଣ୍ଟା ଯାଇଥିବା ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ନେଇ  ଭୋଟ୍‌ ଗ୍ରହଣ ଦିବସରେ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ଅମିତ ଶାହ ତାଙ୍କ କାର୍ଯ୍ୟକ୍ରମଗୁଡ଼ିକୁ କମେଡି ସୋ ଭଳି କରୁଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ  ପଦର ଗରିମା ନଷ୍ଟ କରୁଛନ୍ତି ବୋଲି ସିଦ୍ଦରାମେୟା କହିଛନ୍ତି।   ରାଜ୍ୟରେ ପୁଣି ଥରେ କଂଗ୍ରେସ ସରକାର ଗଠନ କରିବ ଏବଂ ସେ ପ୍ରଧାନମନ୍ତ୍ରୀଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର