କର୍ଣ୍ଣାଟକ ନିର୍ବାଚନ: ପ୍ରଚାର ଯୁଦ୍ଧ ଶେଷ

ବିଜେପିକୁ ରାହୁଲଙ୍କ ଜବାବ: ମୋ ମା’ ଅଧିକ ଭାରତୀୟ, ଲୋକଙ୍କୁ ଭୂତାଉଛି କଂଗ୍ରେସ: ଅମିତ ଶାହ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଚାଲିଥିବା ଘମାଘୋଟ ପ୍ରଚାର ଆଜି ଶେଷ ହୋଇଛି। ଶେଷ ଦିବସରେ ଭୋଟର୍‌ଙ୍କୁ ମନାଇବା ପାଇଁ କଂଗ୍ରେସ-ବିଜେପି-ଜେଡିଏସ୍‌ ଜୋର୍‌ଦାର ପ୍ରୟାସ କରିଥିବା ବେଳେ କଂଗ୍ରେସ ଓ ବିଜେପିର ୫୦ରୁ ଊର୍ଦ୍ଧ୍ୱ ନେତାଙ୍କୁ ମଇଦାନରେ ଦେଖିବାକୁ ମିଳିଥିଲା। ଅପରାହ୍ନ ୫ଟାରେ ସମସ୍ତ ରାଜନୈତିକ ଦଳ ସେମାନଙ୍କ ପ୍ରଚାରରେ ପୂର୍ଣ୍ଣଛେଦ ପକାଇଥିବା ବେଳେ ରାଜ୍ୟର ୨୨୪ଟି ବିଧାନସଭା ଆସନ ପାଇଁ ଆଗାମୀ ୧୨ ତାରିଖ ଦିନ ଭୋଟ୍‌ ଗ୍ରହଣ ହେବ। ନିର୍ବାଚନ ଫଳାଫଳ ୧୫ ମେ’ରେ ଘୋଷଣା କରାଯିବ। ରାଜ୍ୟର ୪ କୋଟି ୯୭ ଲକ୍ଷ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଆଜି ଶେଷ ଦିବସରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହ ସାମ୍ବାଦିକ ସମ୍ମିଳନୀ କରି ପରସ୍ପର ବିରୋଧରେ ଗର୍ଜିଛନ୍ତି। ମୋଦି ସରକାର ସବୁ କ୍ଷେତ୍ରରେ ଲୋକଙ୍କୁ ପ୍ରତାରଣା କରିଛି ବୋଲି କଂଗ୍ରେସ ଅଭିଯୋଗ କରିଥିବା ବେଳେ ଅମିତ ଶାହ ସିଦ୍ଦରାମେୟା ସରକାରଙ୍କୁ ଘେରିଥିଲେ। କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ତାଙ୍କ ରାଜନୈତିକ ଭବିଷ୍ୟତ ପାଇଁ ବିପଦ ବୋଲି ଭାବୁଛନ୍ତି। ପ୍ରଧାନମନ୍ତ୍ରୀ ହେବାପାଇଁ ସେ ତାଙ୍କ ଇଛା ଜାହିର କରିବା ପରେ ମୋଦି ତାଙ୍କୁ ଯେଭଳି ସମାଲୋଚନା କରିଛନ୍ତି ତାହା ଭୋଟର୍‌ଙ୍କ ଦୃଷ୍ଟି ବିଭିନ୍ନ ପ୍ରସଙ୍ଗରୁ ହଟାଇବା ପାଇଁ ଉଦ୍ଦିଷ୍ଟ ବୋଲି ରାହୁଲ କହିଛନ୍ତି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମୂଳ ଭାରତୀୟ ହୋଇନଥିବା ପ୍ରସଙ୍ଗ ବିଜେପି ଉଠାଉଥିବାରୁ ଏ ନେଇ ରାହୁଲ କହିଥିଲେ ଯେ ତାଙ୍କ ମା’ ଇଟାଲୀର ହୋଇଥିଲେ ମଧ୍ୟ ସେ ଅନେକ ଭାରତୀୟଙ୍କ ଠାରୁ ଅଧିକ ଭାରତୀୟ। କର୍ଣ୍ଣାଟକକୁ ଆମେ ଆର୍‌୍‌ଏସ୍‌ଏସ୍‌ କବ୍‌ଜାକୁ ଯିବାକୁ ଦେବୁନାହିଁ ଏବଂ ଭୋଟର୍‌ ଆମ ସହିତ ଅଛନ୍ତି ବୋଲି ରାହୁଲ କହିଥିଲେ।

ଅନ୍ୟପକ୍ଷରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ସିଦ୍ଦରାମେୟା ସରକାରଙ୍କୁ ଆଜି କଡ଼ା ସମାଲୋଚନା କରିଛନ୍ତି। ସିଦ୍ଦରାମେୟା ସରକାର ସ୍ୱାଧୀନ ଭାରତର ସବୁଠାରୁ ବିଫଳ ସରକାର। କର୍ଣ୍ଣାଟକରେ କୃଷକମାନେ ସବୁ କ୍ଷେତ୍ରରେ ନିରାଶ ହୋଇ ଆତ୍ମହତ୍ୟା କରୁଥିବା ବେଳେ ଶାସନରେ ଦୁର୍ନୀତି ସୀମା ଟପିଯାଇଛି । କଂଗ୍ରେସ ସରକାର ବିରୋଧରେ ଜନ ଆକ୍ରୋଶ ରହିଛି। କର୍ଣ୍ଣାଟକରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଛି। ବିକାଶ ଦିଗହରା ହୋଇଯାଇଥିବା ବେଳେ କଂଗ୍ରେସ କେବଳ ଲୋକଙ୍କୁ ଭୂତାଇ ଶାସନରେ ରହିବାକୁ ଚାହୁଛି ବୋଲି ଶାହ କହିଥିଲେ। ଏଥର ନିର୍ବାଚନରେ ବିଜେପି ୧୩୦ ଆସନ ଦଖଲ କରି ସରକାର ଗଢ଼ିବ ବୋଲି ସେ କହିଥିଲେ। କଂଗ୍ରେସ କେବଳ ବିଜେପି ବିରୋଧରେ ଅପପ୍ରଚାର କରି ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଚାହୁଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର