ବେଙ୍ଗାଲୁରୁ: ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ କର୍ଣ୍ଣାଟକ ମେଣ୍ଟ ସରକାରରେ ଅସନ୍ତୋଷ ସୃଷ୍ଟି ହୋଇଛି। ମନ୍ତ୍ରୀପଦ ନ ମିଳିବା ଆଶଙ୍କା କରି କିଛି କଂଗ୍ରେସ ବିଧାୟକ ଖୋଲାଖୋଲି ଅସନ୍ତୋଷ ଜାହିର କରିବା ସହ ଦଳ ହାଇକମାଣ୍ଡଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି। ନୂଆ ସରକାରକୁ ୩ ଦିନ ପୂରିନଥିବା ବେଳେ ଦଳରେ ଏଭଳି ଅସନ୍ତୋଷ ମେଣ୍ଟ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଉଛି। ଏହି ପ୍ରସଙ୍ଗରେ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ୱାମୀ କହିଛନ୍ତି ଯେ, ଏଭଳି ଅସନ୍ତୋଷ ସୃଷ୍ଟି ହୋଇଥିବା କଥା ସତ କିନ୍ତୁ ଏଭଳି ସମସ୍ୟା ମେଣ୍ଟ ଭାଙ୍ଗିପାରିବ ନାହିଁ। କଂଗ୍ରେସ ବିଧାୟକମାନେ ତାଙ୍କ ହାଇକମାଣ୍ଡଙ୍କ କଥା ମାନିବେ ଏବଂ ରାଜ୍ୟ କ୍ୟାବିନେଟରେ ସମ୍ପ୍ରସାରଣ ସୁରୁଖୁରୁରେ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଦରାମେୟା, ଉପ ମୁଖ୍ୟମନ୍ତ୍ରୀ ଜି.ପରମେଶ୍ୱର ଓ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି.ବେଣୁଗୋପାଳଙ୍କୁ ଭେଟି ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେ ଦିଲ୍ଲୀ ଯାଇ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଭେଟିବାର କୌଣସି ଯୋଜନା ନାହିଁ। ରାଜ୍ୟ ମନ୍ତ୍ରିମଣ୍ଡଳରେ ୨୨ ଜଣ କଂଗ୍ରେସ ଓ ୧୨ ଜଣ ଜେଡିଏସ ବିଧାୟକଙ୍କୁ ସ୍ଥାନ ମିଳିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇସାରିଛି। ତେଣୁ ବିଧାୟକମାନେ ଦିଲ୍ଲୀରୁ ଫେରିବା ପରେ କ୍ୟାବିନେଟ ସମ୍ପ୍ରସାରଣ କରାଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେପଟେ, କୃଷି ଋଣ ଛାଡ ସମ୍ପର୍କରେ ମତବ୍ୟକ୍ତ କରି ସେ କହିଛନ୍ତି ଯେ ଏନେଇ ସେ ଆଲୋଚନା ଆରମ୍ଭ କରିଛନ୍ତି।