କର୍ଣ୍ଣାଟକ ନିର୍ବାଚନ:୨୦୧୩ ଅପେକ୍ଷା ୩ଗୁଣା ଅଧିକ ଟଙ୍କା ଜବତ: ନିର୍ବାଚନ କମିସନ

ବେଙ୍ଗାଲୁରୁ,: କର୍ଣ୍ଣାଟକ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହେଉଛି। ଭୋଟ ହାତେଇବା ପାଇଁ ରାଜନୈତିକ ଦଳ ଗୁଡ଼ିକ ଟଙ୍କା, ଗହଣା ଏବଂ ମଦ ବାଣ୍ଟୁଛନ୍ତି। ନିର୍ବାଚନ ପ୍ରଚାର ଶେଷ ହେବାକୁ ଆହୁରି ଗୋଟିଏ ସପ୍ତାହ ବାକିଥିବା ବେଳେ ଆଜି ସୁଦ୍ଧା ନିର୍ବାଚନ କମିସନ ୨୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିସାରିଲେଣି। ଏହା ମଧ୍ୟରେ୧୯ କୋଟି ୬୯ ଲକ୍ଷର ନଗଦ ଟଙ୍କା ଓ ୪କୋଟି ୮୧ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ରହିଥିବା ଜଣାପଡ଼ିଛି। କର୍ଣ୍ଣାଟକ ନିର୍ବାଚନ ବିଗୁଲ ବାଜିବା ଦିନଠାରୁ ହିଁ ଆୟକର ବିଭାଗର ଫ୍ଲାଇଙ୍ଗ ସ୍କ୍ଵାର୍ଡ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚଢଉ କରିଆସୁଥିବା ନିର୍ବାଚନ କମିସନ କହିଛନ୍ତି। ଜବତ ହୋଇଥିବା ଟଙ୍କା ମଧ୍ୟରୁ ଅର୍ଦ୍ଧାଧିକ ଟଙ୍କା ବଣ୍ଟା ହେବା ପାଇଁ ଯିବା ସମୟରେ ହିଁ ଧରାପଡ଼ିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ୨୦୧୩ରେ ନିର୍ବାଚନ କମିସନ ମୋଟ ୪ କୋଟି ୯୭ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ କରିଥିଲା ବେଳେ ୩ କୋଟି ୪୧ଲକ୍ଷ ଟଙ୍କାର ସୁନା ଗହଣା ଜବତ କରିଥିଲା।
ଗତ ୨୮ ତାରିଖ ରାତିରେ ଜଣେ ପ୍ରାର୍ଥୀଙ୍କ ଘରେ ଆୟକର ବିଭାଗ ଚଢଉ କରିଥିଲା ବେଳେ ତାଙ୍କ ପରିବାର ବର୍ଗଙ୍କ ବାର୍ଷିକ ଆୟ ୧୮ କୋଟି ଟଙ୍କା ଥିବା ଜଣାପଡ଼ିଛି। ପ୍ରାର୍ଥୀପତ୍ର ଦାଖଲ ସମୟରେ ସେ ଦେଇଥିବା ସତ୍ୟପାଠ ମୁତାବକ, ତାଙ୍କ ସମ୍ପତ୍ତିର କୌଣସି ମେଳ ଖାଉ ନଥିବାରୁ ଆୟକର ବିଭାଗ ଏହି ଚଢଉ କରିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଉକ୍ତ ପ୍ରାର୍ଥୀଙ୍କର ମୋଟ ୧୯୧ କୋଟିର ସମ୍ପତ୍ତି ଥିବା ଆକଳନ କରାଯାଇଛି ବୋଲି ଆୟକର ବିଭାଗ କହିଛି। ଏହି ପ୍ରାର୍ଥୀଙ୍କ ପରିଚୟ ପ୍ରଘଟ କରଯାଇ ନାହିଁ। ଅନ୍ୟ ଏକ ଘଟଣାରେ ଜଣେ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଅଧିକ ମାତ୍ରାରେ ଚାନ୍ଦା ଦେଉଥିବା ଘଟଣା ଜଣାପଡ଼ିବା ପରେ ତାଙ୍କ ଘରେ ଆୟକର ବିଭାଗ ଚଢଉ କରି ୩କୋଟି ୧୮ ଲକ୍ଷର ନଗଦ ଟଙ୍କା ଜବତ କରିଛି।
୫ ଦିନରେ ୧୫ ର‍୍ୟାଲି କରିବେ ମୋଦି
ବେଙ୍ଗାଲୁରୁ: ଆସନ୍ତା ୧୨ ତାରିଖରେ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ ହେବାକୁ ଥିବା ବେଳେ ଏବେ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ପ୍ରଚାର ପାଇଁ ଯାଇ ନାହାନ୍ତି। ତେବେ ମାତ୍ର ୫ ଦିନରେ ସେ ଏକା ବେଳକେ ୧୫ଟି ର‍୍ୟାଲି କରି ନିର୍ବାଚନରେ ବାଜିମାତ କରିବେ ବୋଲି ବିଜେପି ମୁଖପାତ୍ର ଏସ୍‌ ପ୍ରକାଶ କହିଛନ୍ତି।

ସମ୍ବନ୍ଧିତ ଖବର