କର୍ଣ୍ଣାଟକ ନିର୍ବାଚନ : ବିଜେପି ଆଡ଼କୁ ଢଳୁଛି ଜେଡିଏସ୍‌!

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି। ବିଭିିନ୍ନ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ମୁତାବକ, କଂଗ୍ରେସ ସର୍ବାଧିକ ଆସନ ପାଇଲେ ବି ମ୍ୟାଜିକ ନମ୍ବର ୧୧୩ ଯାଏଁ ପହଞ୍ଚି ପାରିବ ନାହିଁ। ସେପଟେ ବିଜେପି ମଧ୍ୟ କଂଗ୍ରେସକୁ କଡ଼ା ଟକ୍କର ଦେଇ ପ୍ରାୟ ୮୦-୯୦ ଆସନ ଦଖଲ କରିବ ବୋଲି ପୂର୍ବାନୁମାନ କରାଯାଉଛି। ତେବେ ପ୍ରାୟ ୪୦ ଆସନ ପାଇବାକୁ ଥିବା ଜେଡିଏସ୍‌ କିଙ୍ଗ ମେକର ସାଜିବ। ବର୍ତ୍ତମାନ ପରିସ୍ଥିତିରେ ଜେଡିଏସ୍‌ର ବିଜେପି ପ୍ରତି ନରମ ଆଭିମୁଖ୍ୟ ରାଜ୍ୟରେ ନୂଆ ମେଣ୍ଟ ସରକାର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ଆଜି ଜେଡିଏସ୍‌ ମୁଖ୍ୟ ଏଚ୍‌.ଡି.କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦରାମୟାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ସେ ଜିତି ପାରିବେନି ବୋଲି ଭୟ କରୁଥିବାରୁ ଏକା ବେଳକେ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି। ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି.ଦେବେଗୌଡ଼ା ମଧ୍ୟ ଅତୀତରେ କଂଗ୍ରେସ ସହ ମେଣ୍ଟକରି କିଛି ଫାଇଦା ହୋଇନି ବୋଲି କହିଥିଲେ। ତେବେ ଜେଡିଏସର ଏଭଳି ଆଭିମୁଖ୍ୟ ଝୁଲା ବିଧାନସଭା ସ୍ଥିତିରେ ରାଜ୍ୟରେ ମେଣ୍ଟ ସରକାର ଗଠନ ସମ୍ଭାବନା ସୂଚନା ଦେଉଥିବା ଆଲୋଚନା ହେଉଛି। ଅପରପକ୍ଷେ, ଚଳିତ ନିର୍ବାଚନରେ ରାଜ୍ୟରେ ଝୁଲା ବିଧାନସଭା ହେବା ନେଇ ପାଖାପାଖି ୬ଟି ସଂସ୍ଥାର ସର୍ଭେ ରିପୋର୍ଟ ପ୍ରକାଶ ପାଇବା ପରେ ଏହକୁ ନେଇ ବିଜେପି କ୍ଷୁବ୍ଧ ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ନିର୍ବାଚନ ହାରିବା ଭୟରେ କଂଗ୍ରେସ ଏଭଳି ପ୍ରଚାର କରୁଛି। ରାଜ୍ୟରେ ବିଜେପି ହିଁ ସରକାର ଗଢ଼ିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆଜି ୪୦ ମିନିଟ ଧରି କର୍ଣ୍ଣାଟକ ବିଜେପିର ୨୨୪ଜଣ ପ୍ରାର୍ଥୀଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦି ଏଭଳି କହିଛନ୍ତି।

ସମ୍ବନ୍ଧିତ ଖବର