କର୍ଣ୍ଣାଟକ ନିର୍ବାଚନ : କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିବ ନାହିିଁ!

୮୮୩ ପ୍ରାର୍ଥୀ କୋଟିପତି, ୬୪୫ ଜଣଙ୍କ ବିରୋଧରେ ଅପରାଧିକ ମାମଲା

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ଯୁଦ୍ଧରେ କେଉଁ ଦଳର ବିଜୟ ହେବ ତାହାକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ। ତେବେ ଆଜି ପ୍ରକାଶିତ ଜନମତ ସର୍ଭେରୁ ଜଣାପଡ଼ିଛି ଯେ କୌଣସି ଦଳକୁ ମଧ୍ୟ ସଂଖ୍ୟାଗରିଷ୍ଠତା ମିଳିବ ନାହିଁ। ଝୁଲା ବିଧାନସଭା ସ୍ଥିତିରେ ଜେଡିଏସ୍‌ କିଙ୍ଗ ମେକର୍‌ ଭୂମିକାରେ ରହିବ ଏବଂ କଂଗ୍ରେସ ସବୁଠାରୁ ବଡ଼ ଦଳ ଭାବେ ଉଭା ହେବ ବୋଲି ଲୋକନୀତି-ସିଏସ୍‌୍‌ଡିଏସ୍‌ ଏବଂ ଏବିପି ନ୍ୟୁଜ୍‌ ଜନମତ ସର୍ଭେରୁ ଜଣାପଡ଼ିଛି। ଲିଙ୍ଗାୟତ ସଂପ୍ରଦାୟର ଭୋଟ୍‌ ହାସଲ ପାଇଁ କଂଗ୍ରେସର ରଣନୀତି ଫେଲ୍‌ ମାରିବ ବୋଲି ଏହି ସର୍ଭେ ରିପୋର୍ଟରେ କୁହାଯାଇଛି। କଂଗ୍ରେସ ଦଳକୁ ୯୭ଟି ଆସନ, ବିଜେପିକୁ ୮୪ ଆସନ ଏବଂ ଜେଡିଏସ୍‌କୁ ୩୭ ଆସନ ମିଳିବ ବୋଲି ଅନୁମାନ କରାଯାଇଛି। ସର୍ଭେରେ ସାମିଲ ହୋଇଥିବା ଲୋକଙ୍କ କହିବା ମୁତାବକ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟ ମୁଖ୍ୟମନ୍ତ୍ରୀ ଭାବେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ବିଜେପି ରାଜ୍ୟରେ ସବୁଠାରୁ ଦୁର୍ନୀତିଗ୍ରସ୍ତ ଦଳ ଏବିପି ନ୍ୟୁଜ୍‌ ସର୍ଭେ ମୁତାବକ ୩୮ ପ୍ରତିଶତ ଭୋଟ୍‌ ସହିତ କଂଗ୍ରେସକୁ ୯୨ରୁ ୧୦୨ଟି ଆସନ ମିଳିବା ସଂଭାବନା ରହିିଛି। ବିଜେପି ୩୩ ପ୍ରତିଶତ ଭୋଟ୍‌ ସହିତ ୭୯ରୁ ୮୯ ଆସନ ଏବଂ ଜେଡିଏସ୍‌୍‌ ୨୨ ପ୍ରତିଶତ ଭୋଟ୍‌ ସହିତ ୩୨ରୁ ୪୪ ଆସନ ପାଇବ ବୋଲି କୁହାଯାଇଛି।

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆସନ୍ତା ୧୨ ତାରିଖ ଦିନ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମୋଟ ୨୬୫୪ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ନିର୍ବାଚନ କମିସନଙ୍କ ସୂଚନା ମୁତାବକ ୮୮୩ ଜଣ ପ୍ରାର୍ଥୀ କୋଟିପତି ହୋଇଥିବା ବେଳେ ୬୪୫ ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଅପରାଧିକ ମାମଲା ଥିବା ୬୪୫ ପ୍ରାର୍ଥୀଙ୍କ ମଧ୍ୟରୁ ୨୫୪ ଜଣଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି ।

ନିର୍ବାଚନ ଲଢ଼ୁଥିବା ବିଜେପିର ସମସ୍ତ ୨୨୩ ଜଣ ପ୍ରାର୍ଥୀଙ୍କ ସତ୍ୟପାଠ ଅନୁଧ୍ୟାନରୁ ଜଣାପଡ଼ଛି ଯେ ୨୨୩ରୁ ୨୦୮ ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ। ଅନ୍ୟ ଦଳମାନଙ୍କ ଅପେକ୍ଷା ବିଜେପିରେ ସର୍ବାଧିକ କୋଟିପତି ପ୍ରାର୍ଥୀ ଅଛନ୍ତି। ରାଜ୍ୟର କ୍ଷମତାସୀନ କଂଗ୍ରେସ ଦଳର ୨୨୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୦୭ ଜଣ କୋଟିପତି ଥିବା ବେଳେ ଜନତା ଦଳ ସେକ୍ୟୁଲାର (ଜେଡିଏସ୍‌୍‌)ର ୧୯୯ ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରହିଛି। ୧୦୯୦ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ୧୯୯ ପ୍ରାର୍ଥୀ କୋଟିପତି ବୋଲି ଜଣାପଡ଼ିଛି। ଭାଜପା ପ୍ରାର୍ଥୀଙ୍କ ବିରୋଧରେ ସର୍ବାଧିକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ବିଜେପିର ୮୩ ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ବେଳେ ୫୮ ଜଣଙ୍କ ବିରୋଧରେ ହତ୍ୟା ସମେତ ଅନ୍ୟ ଗୁରୁତର ଅପରାଧିକ ମାମଲା ରୁଜୁ ହୋଇଛି । କ୍ଷମତାସୀନ କଂଗ୍ରେସ ଦଳର ୫୯ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର