କର୍ଣ୍ଣାଟକ ଲଢ଼େଇ: ମୋଦି-ଦେବଗୌଡ଼ା ‘ଗୁପ୍ତ’ ସହଯୋଗୀ

ଟ୍ରମ୍ପକାର୍ଡ ପାଲଟିଛି କାବେରୀ, କୃଷକଙ୍କ ଭୋଟ୍‌ ହାସଲ ପାଇଁ ମାଷ୍ଟରପ୍ଲାନ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ଉପରେ ଏବେ ସାରା ଦେଶର ନଜର ରହିଥିବା ବେଳେ ଏଠାରେ ପୁଣି କ୍ଷମତାକୁ ଆସିବା ପାଇଁ ବିଜେପି ଯୋଜନାବଦ୍ଧ ଭାବେ ଆଗକୁ ବଢ଼ୁଛି। ଆସନ୍ତା ୧୨ ତାରିଖରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ପ୍ରଚାର ଉଷ୍ଣତା ଚରମରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନ ତଳେ ଜେଡିଏସ୍‌ ସୁପ୍ରିମୋ ଦେବ ଗୌଡ଼ାଙ୍କୁ ପ୍ରଶଂସା କରିଥିବା ବେଳେ ଆଜି ଏକ ର‍୍ୟାଲିରେ ଜେଡିଏସ୍‌କୁ ସମାଲୋଚନା କରିଛନ୍ତି। ତେବେ ଏହା ପଛରେ ବିଜେପିର ସୁଚିନ୍ତିତ ରଣନୀତି କାର୍ଯ୍ୟ କରୁଛି। ଯେଉଁଠି ଜେଡିଏସ୍‌ର ବିଜୟ ସମ୍ଭାବନା ରହିଛି ସେଠାରେ ବିଜେପି ଦୁର୍ବଳ ପ୍ରାର୍ଥୀ ଦେଇଛି ଏବଂ ଜେଡିଏସ୍‌ ବିରୋଧରେ ମୁହଁ ଖୋଲୁଥିବା ନଜିର ନାହିଁ। ଯେଉଁଠି ବିଜେପିର ପ୍ରାର୍ଥୀ ଭଲ ସ୍ଥିତିରେ ଅଛନ୍ତି ସେଠାରେ ଜେଡିଏସ୍‌ ବିରୋଧରେ କଡ଼ା ବୟାନ ଦିଆଯାଉଛି। ପ୍ରାୟ ୩୦ରୁ ୪୦ ଆସନରେ ଜେଡିଏସ୍‌-ବିଜେପିର ଭିତିରି ବୁଝାମଣା ହୋଇଥିବା କୁହାଯାଉଛି।  କାବେରୀ ନଦୀ ଜଳ ଆବଣ୍ଟନ ପାଇଁ ବୋର୍ଡ ଗଠନ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦିଙ୍କ କାଳକ୍ଷେପଣ ନୀତିକୁ ଦେବ ଗୌଡ଼ା ପୂର୍ଣ୍ଣ ସମର୍ଥନ କରିଛନ୍ତି। କାବେରୀ ଅବବାହିକା ଅଂଚଳରେ କୃଷକଙ୍କ ଭୋଟ୍‌ ହାତେଇବା ପାଇଁ ବିଜେପି ଓ ଜେଡିଏସ୍‌ ମାସକ ତଳୁ ସଲସୁତରାରେ କାମ କରୁଥିବା କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି। ଚଳିତ ନିର୍ବାଚନରେ କର୍ଣ୍ଣାଟକ ଦେଇ ପ୍ରବାହିତ ଦୁଇ ନଦୀ କାବେରୀ ଓ ମହାଦାୟୀ ପ୍ରମୁଖ ଭୂମିକା ଗ୍ରହଣ କରିବ।

ସୁପ୍ରିମକୋର୍ଟ କାବେରୀ ଜଳ ବିବାଦ ମାମଲାରେ କର୍ଣ୍ଣାଟକ ସପକ୍ଷରେ ରାୟ ଦେବା ପରେ ଶାସକ କଂଗ୍ରେସ ଦଳ ଏଥିପାଇଁ ବାହାବା ନେଇଥିଲା। ସେପଟେ କାବେରୀ ଜଳ ବଣ୍ଟନ ପାଇଁ ସ୍ୱତନ୍ତ୍ର କମିଟି ଗଠନରେ ବିଳମ୍ବ କରି କେନ୍ଦ୍ରର ବିଜେପି ସରକାର ରାଜ୍ୟବାସୀଙ୍କୁ ତାଙ୍କର ଦରଦ ପଣିଆ ଦେଖାଇବାକୁ ଚେଷ୍ଟା କରିଛନ୍ତି। କର୍ଣ୍ଣାଟକ ନିର୍ବାଚନରେ ଭୋଟ ହାତେଇବା ପାଇଁ କାବେରୀକୁ ଢାଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଭଳିକି ସୁପ୍ରିମକୋର୍ଟଙ୍କ ଆଦେଶକୁ ମଧ୍ୟ କାର୍ଯ୍ୟକାରୀ କରାଯାଉନାହିଁ। କିଛି ଦିନ ତଳେ ଦେବ ଗୌଡା ମଧ୍ୟ ସ୍ୱୀକାର କରିଥିଲେ ଯେ, ତାଙ୍କ ପୁଅ  ପୂର୍ବ ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ୱାମୀ ବିଜେପି ମୁହାଁ ହେଉଛନ୍ତି। ପୁରୁଣା ମହିସୁରର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ  ଯେଉଁଠି ଜେଡିଏସ୍‌ ପ୍ରାର୍ଥୀଙ୍କ ସ୍ଥିତି ମଜଭୁତ ରହିଛି ସେହି ସ୍ଥାନଗୁଡ଼ିକରେ ବିଜେପି  ଦୁର୍ବଳ ପ୍ରାର୍ଥୀ ଛିଡ଼ା କରିଛି। ସେପେଟ ଜେଡିଏସ୍‌ ମଧ୍ୟ ନିର୍ବାଚନୀ ମଇଦାନରେ ବିଜେପି ପାଇଁ ଅନୁରୂପ କୋହଳ ନୀତି ଧରିଛି। ଝୁଲା ବିଧାନସଭା ସ୍ଥିତିରେ  ଜେଡିଏସ୍‌ ସହ  ହାତ ମିଳାଇ ଶାସନ କ୍ଷମତା ହାତେଇବା ନିମନ୍ତେ ବିଜେପି ମାଷ୍ଟରପ୍ଲାନ ପ୍ରସ୍ତୁତ କରିଥିବା ରାଜନୈତିକ ତଥ୍ୟାଭିଜ୍ଞ ମହଲ ମତ ଦେଇଛନ୍ତି। ଦେବ ଗୌଡ଼ା ଜଣେ କୃଷକ ନେତା ଭାବେ  ତାଙ୍କ ସୁଖ୍ୟାତି ବଜାୟ ରଖିଛନ୍ତି ଏବଂ ୮୪ ବର୍ଷ ବୟସରେ ନିଜର ଭୋଟ୍‌ ବ୍ୟାଙ୍କ୍‌କୁ ସୁରକ୍ଷିତ ରଖିବାରେ ସମର୍ଥ ହୋଇଛନ୍ତି। କାବେରୀ ଓ ମହାଦାୟୀକୁ ନେଇ ବିବାଦ ପୁରୁଣା ହୋଇଥିବା ବେଳେ ବିଜେପି ଓ ଜେଡିଏସ ଏବେ ଏହାକୁ ଢାଲ କରି ନିର୍ବାଚନ ବୈତରଣୀ ପାର କରିବାକୁ ମିଳିତ ପ୍ରୟାସ ଚଳାଇଛନ୍ତି।  ବିଭିନ୍ନ ଗଣମାଧ୍ୟମ ସଂସ୍ଥା ରାଜ୍ୟରେ କଂଗ୍ରେସ ସର୍ବାଧିକ ଆସନ ପାଇବା ନେଇ ପୂର୍ବାନୁମାନ କରିବା ପରେ ବିଜେପି ଜେଡିଏସ୍‌ର ଅଧିକ ନିକଟତର ହୋଇଛି।

ସମ୍ବନ୍ଧିତ ଖବର