କର୍ଣ୍ଣାଟକ: ଜେଡିଏସ୍‌ ଉପରେ ନଜର

ବେଙ୍ଗାଲୁରୁ: ଆସନ୍ତା ମେ’ ୧୨ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଥିବାବେଳେ ରାଜ୍ୟରେ ଝୁଲା ବିଧାନସଭା ହେବ ବୋଲି ୫ଟି ସର୍ଭେରୁ ଜଣାପଡ଼ିଲାଣି। ସମସ୍ତ ରିପୋର୍ଟ ମୁତାବକ, କଂଗ୍ରେସ ଯଦିଓ ସର୍ବାଧିକ ଆସନ ପାଇବ କିନ୍ତୁ ସରକାର ଗଢିବାରେ ସକ୍ଷମ ହେବ ନାହିଁ। ବିଜେପି ମଧ୍ୟ କଂଗ୍ରେସକୁ ଟକ୍କର ଦେଇ ପାଖାପାଖି ୯୦ଟି ଆସନ ଦଖଲ କରିବ। ତେବେ ପ୍ରାୟ ୪୦ଟି ଆସନ ଜିତିବାର ସମ୍ଭାବନା ଥିବା ଜେଡିଏସ୍‌ ସମର୍ଥନରେ କଂଗ୍ରେସ ବା ବିଜେପି ସରକାର ଗଢିବେ ବୋଲି ପୂର୍ବାନୁମାନ କରାଯାଉଛି। ଆଜି ଗଣମାଧ୍ୟମକୁ ବିବୃତି ଦେଇ ଜେଡିଏସ୍‌ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେଗୌଡା କହିଛନ୍ତି ଯେ, ବିଜେପି ଶାସନ କାଳରେ କର୍ଣ୍ଣାଟକକୁ ଅନେକ ସଂଘର୍ଷ ସହିବାକୁ ପଡ଼ିଛି। ସେହିଭଳି କଂଗ୍ରେସକୁ ସମର୍ଥନ କରିଥିଲେ ବି ବିଶେଷ କିଛି ଫାଇଦା ହୋଇନି। ତେବେ ଜେଡିଏସ୍‌ର ଏଭଳି ଆଭିମୁଖ୍ୟ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି।

ଜେଡିଏସ୍‌ କାହାକୁ ସମର୍ଥନ କରିବ ଏବେ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିବାବେଳେ ମୋଟ ୧୧୨୭ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗତକାଲି ଟାଇମ୍ସ ନାଓ ଏବଂ ଭିଏମ୍‌ଆର ଜନମତ ସର୍ଭେ ରିପୋର୍ଟରୁ ଜଣାଯାଇଛି, ରାଜ୍ୟରେ ମୋଟ ୨୨୪ ବିଧାନସଭା ଆସନରୁ କଂଗ୍ରେସ ପାଖାପାଖି ୯୧ଟି ଆସନରେ ଜିତି ପ୍ରଥମରେ ରହିବ ଏବଂ ବିଜେପି ପାଖାପାଖି ୮୯ଟି ଆସନରୁ ଜିତି ଏହା ପଛକୁ ଦ୍ୱିତୀୟରେ ରହିବ। କିନ୍ତୁ ସରକାର ଗଢ଼ିବାପାଇଁ ୧୧୩ଟି ଆସନ ଦରକାର। ଅନ୍ୟପକ୍ଷେ ଜେଡିଏସ୍‌-ବିଏସପି ମେଣ୍ଟ ୪୦ ଟି ଆସନ ଜିତିବ ବୋଲି ପୂର୍ବାନୁମାନ କରାଯାଇଛି। ତେଣୁ ସରକାର ଗଢ଼ିବାରେ ଜେଡିଏସ୍‌ ହିଁ ଗୁରୁ ଦାୟିତ୍ୱ ବହନ କରିବ ଏବଂ ଏହା କିଙ୍ଗ୍‌ ମେକର ହେବ। ଉଲ୍ଲେଖଯୋଗ୍ୟ ୨୦୧୩ ମସିହାରେ କଂଗ୍ରେସ ୧୨୨ଟି ଆସନ ଜିତିଥିଲା। ଅନ୍ୟପକ୍ଷରେ ବିଜେପି ୪୦ଟିରେ ବିଜୟୀ ହୋଇଥିଲା। ଜେଡିଏସ୍‌ ମଧ୍ୟ ୪୦ଟି ଆସନ ପାଇଥିଲା।

ସମ୍ବନ୍ଧିତ ଖବର