କର୍ଣ୍ଣାଟକ ରାଜନୀତି : ମେଣ୍ଟ ସରକାର ଚଳାଇବା ବଡ଼ ଚ୍ୟାଲେଞ୍ଜ୍‌

ଆଜି କୁମାରସ୍ୱାମୀ ଶପଥ ନେବେ : ଜି. ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ଜେଡିଏସ୍‌ ନେତା ଏଚ୍‌୍‌ଡି କୁମାରସ୍ୱାମୀ ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆଜି ଗଣମାଧ୍ୟମକୁ ସେ କହିଛନ୍ତି ଯେ ରାଜ୍ୟରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରକୁ ୫ ବର୍ଷ ଚଳାଇବା ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଂଜ ହେବ। ଶପଥ ଗ୍ରହଣ ଉତ୍ସବରେ କୁମାରସ୍ୱାମୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ କଂଗ୍ରେସ ନେତା ଜି. ପରମେଶ୍ୱର ଶପଥ ଗ୍ରହଣ କରିବେ। ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ଗୁରୁବାର ଆସ୍ଥା ଭୋଟ ପରେ ଯାଇ ଶପଥ ନେବେ ବୋଲି କଂଗ୍ରେସ ନେତା ଡି.ଶିବ କୁମାର କହିଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ବିଭିନ୍ନ ବିରୋଧୀ ଦଳ ନେତା ଯୋଗ ଦେବେ।

ବିଜେପି ବିରୋଧୀ ସମସ୍ତ ନେତା ଗୋଟିଏ ମଞ୍ଚରେ ଏକାଠି ହେବା ବଡ଼ ରାଜନୈତିକ ଘଟଣା ବୋଲି ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା କହିଛନ୍ତି। କୁମାରସ୍ୱାମୀଙ୍କ ମନ୍ତ୍ରିମଣ୍ଡଳରେ କଂଗ୍ରେସର ୨୨ ଜଣ ଏବଂ ଜେଡିଏସ୍‌୍‌ର ୧୨ ମନ୍ତ୍ରୀ ରହିବେ। କଂଗ୍ରେସ ନେତା କେ.ଆର୍‌. ରମେଶ କୁମାରଙ୍କୁ ବାଚସ୍ପତି ପଦ ମିଳିବ।
ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଜେଡିଏସ୍‌ ମୁଖ୍ୟ ଏଚଡି ଦେବେଗୌଡା, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ମାୟାବତୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କମଲ ହାସନ, ସିପିଏମ୍‌ ନେତା ସୀତାରାମ ୟେଚୁରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ପ୍ରମୁଖ ବିରୋଧୀ ନେତା ଏହି ଉତ୍ସବରେ ସାମିଲ ହେବେ। କଂଗ୍ରେସ ବିରୋଧୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏହି ଉତ୍ସରେ ଯୋଗ ଦେବେନି। ତେବେ ପ୍ରଥମ ଥର ପାଇଁ ଦୁଇ ବିରୋଧୀ ମାୟାବତୀ ଓ ଅଖିଲେଶ ଯାଦବଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ।
ଇତିମଧ୍ୟରେ କୁମାରସ୍ୱାମୀ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରି କୁମାରସ୍ୱାମୀ ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଛନ୍ତି। ଦୁଇଟି ଉପ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜେଡିଏସ୍‌-କଂଗ୍ରେସ ମଧ୍ୟରେ ଟଣା ଓଟରା ଚାଲିଥିବା ବେଳେ କଂଗ୍ରେସର ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଜଣଙ୍କୁ ବାଚସ୍ପତି ଭାବେ ନିଯୁକ୍ତି ଦେବାକୁ ଆଜି ଜେଡିଏସ୍‌-କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଥିଲା। ସିଦ୍ଦରାମେୟାଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ପଦରେ ପୂର୍ବ ଭଳି ରହିବେ ବୋଲି ଜଣାପଡ଼ିଛି।
ଶପଥ ଗ୍ରହଣ ଉତ୍ସବରେ ରୋକ୍‌ ଲାଗିବନି: ସୁପ୍ରିମ୍‌ କୋର୍ଟ
ନୂଆଦିଲ୍ଲୀ, ୨୨/୫: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସରେ ରୋକ୍‌ ଲଗାଇବା ସଂକ୍ରାନ୍ତ ମାମଲାର ତୁରନ୍ତ ଶୁଣାଣି ପାଇଁ ହିନ୍ଦୁ ମହାସଭା ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସରକାର ଗଠନ ପାଇଁ ରାଜ୍ୟପାଳ ବାଜୁଭାଇ ବାଲା ଜେଡିଏସ୍‌-କଂଗ୍ରେସକୁ ଆମନ୍ତ୍ରଣ କରିବାକୁ ହିନ୍ଦୁ ମହାସଭା ବିରୋଧ କରିଛି। ସେପଟେ ଜେଡିଏସ୍‌ ଓ କଂଗ୍ରେସର ମେଣ୍ଟକୁ ମଧ୍ୟ ହିନ୍ଦୁ ମହାସଭା ପକ୍ଷରୁ ବେଆଇନ ଓ ଅସାମ୍ବିଧାନିକ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର