ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ -ଜେଡିଏସ୍ ମେଣ୍ଟକୁ ଶକ୍ତ ଝଟ୍କା ଲାଗିଛି। କର୍ଣ୍ଣାଟକର ୨୮ ଲୋକସଭା ଆସନରୁ ବିଜେପି ୨୫ଟି ଆସନରେ ବିଜୟ ହାସଲ କରିଛି। କଂଗ୍ରେସକୁ ୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅନ୍ୟପକ୍ଷେ ଗୋଟିଏ ଆସନରେ ବିଜେପି ସମର୍ଥନରେ ଜଣେ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଜିତିଛନ୍ତି। ଏକମାତ୍ର ଦକ୍ଷିଣ ରାଜ୍ୟ ଭାବେ ବିଜେପି କର୍ଣ୍ଣାଟକରେ ହିଁ ଭଲ ପ୍ରଦର୍ଶନ କରି ଆସିଛି। ୨୦୧୪ ଲୋକସଭା ନିର୍ବାଚନ ପରି ଏଥର ମଧ୍ୟ ବିଜେପି କର୍ଣ୍ଣାଟକରେ ଅଧିକ ଆସନରେ ବିଜୟ ହାସଲ କରିଛି। ୨୦୧୪ରେ ବିଜେପି କର୍ଣ୍ଣାଟକର ୨୮ଟି ଲୋକସଭା ଆସନରୁ ୧୭ଟିରେ ଜିତିଥିଲା। ଅନ୍ୟପକ୍ଷେ କଂଗ୍ରେସ ୯ ଏବଂ ଜେଡିଏସ୍ ୨ଟି ଲୋକସଭା ଆସନରେ ବିଜୟ ହାସଲ କରିଥିଲା। ରାଜ୍ୟରେ ବିଜେପିର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ହେଉଛନ୍ତି ତେଜସ୍ବୀ ସୂର୍ଯ୍ୟ। ବେଙ୍ଗାଲୁରୁ ଦକ୍ଷିଣ ନିର୍ବାଚନମଣ୍ଡଳୀରେ ତେଜସ୍ବୀ ସୂର୍ଯ୍ୟ କଂଗ୍ରେସର ବିକେ ହରିପ୍ରସାଦଙ୍କୁ ପରାଜିତ କରିଛନ୍ତି। ତେବେ ଦେବଗୌଡ଼ାଙ୍କ ପରିବାରକୁ ଆଜି ଏକ ବଡ଼ ଧରଣର ଝଟ୍କା ଲାଗିଛି। ଦେବଗୌଡ଼ା ତୁମକୁର ଆସନରେ ନିର୍ବାଚନ ହାରିଥିବାବେଳେ ତାଙ୍କ ନାତି ନିଖିଳ କୁମାରସ୍ବାମୀ ମାଣ୍ଡ୍ୟା ଆସନରେ ହାରିଛନ୍ତି।
କର୍ଣ୍ଣାଟକର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ା ହାସନ ଆସନକୁ ଲଗାତାର ପ୍ରତିନିଧିତ୍ବ କରି ଆସିଥିବାବେଳେ ଚଳିତ ନିର୍ବାଚନରେ ସେ ଏହି ଆସନ ତାଙ୍କର ଅନ୍ୟ ଜଣେ ନାତି ପ୍ରଜ୍ବଳ ରେବାନ୍ନାଙ୍କ ପାଇଁ ଛାଡ଼ି ଦେଇଛନ୍ତି। ଅନ୍ୟପକ୍ଷେ ଦେବଗୌଡ଼ା ତୁମକୁର ଆସନରେ ନିର୍ବାଚନ ଲଢ଼ିଥିଲେ। ବିଜେପିର ଜି ଏସ୍ ବସଭରଜଙ୍କ ଦ୍ବାରା ସେ ପରାଜୟ ବରଣ କରିଛନ୍ତି। ଅନ୍ୟପକ୍ଷେ ମାଣ୍ଡ୍ୟା ଆସନରେ କୁମାରସ୍ବାମୀଙ୍କ ପୁଅ ନିଖିଳ କୁମାରସ୍ବାମୀ ସ୍ବାଧୀନ ପ୍ରାର୍ଥୀ ସୁମଲଥା ଅମ୍ବରିଶଙ୍କଠାରୁ ପରାଜୟ ବରଣ କରିଛନ୍ତି। ସେହିପରି ଗୁଲ୍ବର୍ଗ୍ ଆସନରେ ନିର୍ବାଚନ ଲଢ଼ିଥିବା କଂଗ୍ରେସ ନେତା ମଲିକାର୍ଜୁନ ଖଡ଼ଗେ ବିଜେପିର ଉମେଶ ଯାଦବଙ୍କଠାରୁ ନିର୍ବାଚନ ହାରିଛନ୍ତି।
କର୍ଣ୍ଣାଟକରେ କମାଲ୍ କଲା ବିଜେପି:୨୮ ଆସନରୁ ୨୫ରେ ବିଜୟୀ
/sambad/media/post_attachments/wp-content/uploads/2019/05/karnatak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)