କର୍ଣ୍ଣାଟକ ଉପ-ନିର୍ବାଚନରେ ବିପୁଳ ବିଜୟ ପରେ କଂଗ୍ରେସ କହିଲା, ଏହା ହେଉଛି ୨୦୧୯ ନିର୍ବାଚନର ‘ଟିଜର’; ବିଜେପି ମୁଖ୍ୟ ୟେଦୁରାପ୍ପା ମୁହଁ ଲୁଚାଇବା ସହ ନିଜକୁ କଲେ ଗୃହବନ୍ଦୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପ-ନିର୍ବାଚନରେ କଂଗ୍ରେସ- ଜେଡିଏସ୍‌ ମେଣ୍ଟକୁ ବିପୁଳ ସଫଳତା ପରେ ଦିନକ ପୂର୍ବରୁ ଦୀପାବଳି ଉତ୍ସବ ପାଳନ କରିବା ଆରମ୍ଭ କରି ଦେଇଛନ୍ତି କଂଗ୍ରେସ ନେତା ଓ କର୍ମୀ। କର୍ଣ୍ଣଟକ ଉପ-ନିର୍ବାଚନରେ କଂଗ୍ରେସ- ଜେଡିଏସ୍‌ ମେଣ୍ଟକୁ ଯେଉଁ ବିପୁଳ ସଫଳତା ମିଳିଛି, ତାହା ଆଗାମୀ ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନର ‘ଟିଜର୍‌’ ବୋଲି କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକର ୩ଟି ଲୋକସଭା ଓ ୨ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ୩ଟିରୁ ୨ଟି ଲୋକସଭା ଆସନ ଓ ୨ଟି ଯାକ ବିଧାନସଭା ଆସନରେ କଂଗ୍ରେସ- ଜେଡିଏସ୍‌ ପ୍ରାର୍ଥୀମାନେ ବିପୁଳ ବିଜୟ ହାସଲ କରିଥିବା ବେଳେ ବିଜେପିକୁ ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। କର୍ଣ୍ଣାଟକ ଉପ-ନିର୍ବାଚନ ଫଳାଫଳ ବିଜେପିକୁ ଶକ୍ତ ଧକ୍କା ଦେଇଥିବା ବେଳେ ରାଜ୍ୟର ଶାସକ ଜେଡିଏସ- କଂଗ୍ରେସ ମେଣ୍ଟ ବିରାଟ ସଫଳତା ପରେ ଉଭୟ ଦଳର କର୍ମୀମାନେ ଦିନକ ପୂର୍ବରୁ ଦୀପାବଳି ଉତ୍ସବ ପାଳନ ଆରମ୍ଭ କରି ଦେଇଛନ୍ତି।


ଅପରପକ୍ଷରେ କର୍ଣ୍ଣାଟକରେ ବିଜେପି ମୁଖ୍ୟ ବି ଏସ୍‌ ୟେଦୁରାପ୍ପା ଉପ-ନିର୍ବାଚନରେ ଦଳର ଏପ୍ରକାର ଶୋଚନୀୟ ପରାଜୟକୁ ବରଦାସ୍ତ କରିପାରି ନାହାନ୍ତି। ଉପ-ନିର୍ବାଚନ ଫଳାଫଳ ଘୋଷିତ ହେବା ପରେ ତାଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଦଳୀୟ ନେତା ଓ କର୍ମୀମାନେ ତାଙ୍କର ଶିଭମୋଗା ସ୍ଥିତ ବାସଭବନ ସମ୍ମୁଖରେ ଭିଡ଼ ଲଗାଇଥିବା ବେଳେ ସେ କାହାରିକି ଦେଖା ନଦେଇ ନିଜକୁ ଘର ଭିତରେ ଗୃହବନ୍ଦୀ କରି ରଖିଛନ୍ତି।

ସମ୍ବନ୍ଧିତ ଖବର