ବିଜେପିକୁ ପୁଣି ଝଟ୍‌କା : କଂଗ୍ରେସ-ଜେଡିଏସ୍‌ ମେଣ୍ଟର ବାଜିମାତ୍

୨ ‌ଲୋକସଭା, ୨ ବିଧାନସଭା ଆସନରେ ମେଣ୍ଟ ବିଜୟୀ, କେବଳ ଗୋଟିଏ ଲୋକସଭା ଆସନରେ ବିଜେପି ସନ୍ତୁଷ୍ଟ

ବେଙ୍ଗାଲୁରୁ : ଚଳିତ ନଭେମ୍ବର ଓ ଡିସେମ୍ବର ମାସରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଆସନ୍ତା ବର୍ଷ ପ୍ରାରମ୍ଭରେ ଲୋକସଭା ନିର୍ବାଚନ ମଧ୍ୟ ହେବ। ଏହାପୂର୍ବରୁ କର୍ଣ୍ଣାଟକର ୩ଟି ଲୋକସଭା ଏବଂ ଦୁଇଟି ବିଧାନସଭା ଉପନିର୍ବାଚନ ଫଳାଫଳ ରାଜ୍ୟରେ କ୍ଷମତାସୀନ କଂଗ୍ରେସ-ଜେଡିଏସ୍ ମେଣ୍ଟକୁ ଯେତେ ଉତ୍ସାହିତ କରିଛି ତାଠାରୁ ଅଧିକ କ୍ଷତି ପହଂଚାଇଛି ବିଜେପିକୁ। ଏହି ୫ଟି ଆସନ ମଧ୍ୟରୁ କେବଳ ‌ସିମୋଗା ଲୋକସଭା ଆସନକୁ ବଜାୟ ରଖିବାରେ ବିଜେପି ସଫଳ ହୋଇଥିବା ବେଳେ ଅନ୍ୟ ସମସ୍ତ ୪ଟି ଆସନରେ ଏହାର ପ୍ରାର୍ଥୀମାନେ ଶୋଚନୀୟ ଭାବେ ପରାଜୟର ସମ୍ମୁଖୀନ ହୋଇଛନ୍ତି। କର୍ଣ୍ଣାଟକ ଉପନିର୍ବାଚନରେ ୧-୪ରେ ପରାଜୟ ବିଜେପିକୁ ଭୟଭୀତ କରାଇଦେଇଛି। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ଫଳାଫଳ ଆଦୌ ଶୁଭଙ୍କର ନୁହେଁ ବୋଲି ବିଜେପି ନେତାମାନେ ସ୍ବୀକାର କରିଛନ୍ତି।

କର୍ଣ୍ଣାଟକର ଯେଉଁ ୩ଟି ଲୋକସଭା ଓ ୨ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା ସେଥିମଧ୍ୟରୁ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ୪ଟି ବିଜୟୀ ହୋଇଥିବା ବେଳେ ବିଜେପିକୁ କେବଳ ସିମୋଗା ଲୋକସଭା ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ତେବେ ବିଜେପିକୁ ସବୁଠାରୁ ବଡ଼ ଝଟ୍‌କା ଲାଗିଛି ଏହାର ଗଡ଼ କୁହାଯାଉଥିବା ବେଲାରି ଲୋକସଭା ଆସନରେ। ଗତ ତିନିଟି ନିର୍ବାଚନରେ ଏଠାରୁ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଅର୍ଥାତ ୧୫ ବର୍ଷ ଧରି ଏହି ଆସନ ବିଜେପି କବ୍‌ଜାରେ ଥିଲା। କିନ୍ତୁ ଏଥର କଂଗ୍ରେସ ଏଠାରେ ବିଜୟ ଧ୍ବଜା ଉଡ଼ାଇଛି। ଏହି ଲୋକସଭା ଆସନରେ ବିଜେପିର ବରିଷ୍ଠ ନେତା ଶ୍ରୀରାମୁଲୁ ସାଂସଦ ଥିଲେ ଏବଂ ଗତ ବିଧାନସଭା ନିର୍ବାଚନରେ ଜିତିବା ପରେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ଶ୍ରୀରାମୁଲୁଙ୍କ ଇସ୍ତଫା ପରେ ଉପନିର୍ବାଚନ ପାଇଁ ତାଙ୍କ ଭଉଣୀ ଜେ ଶାନ୍ତାଙ୍କୁ ବିଜେପି ଟିକେଟ୍‌ ମିଳିଥିଲା। କିନ୍ତୁ ତାଙ୍କୁ ପରାଜୟ ସ୍ବୀକାର କରିବାକୁ ପଡ଼ିଛି। ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ଭି ଏସ୍‌ ଉଗ୍ରପ୍ପା ବିଜୟୀ ହୋଇଛନ୍ତି। ସେ ୨ ଲକ୍ଷ ୪୧ ହଜାର ଅଧିକ‌ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ଉଗ୍ରପ୍ପା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବାଙ୍ଗାରପ୍ପାଙ୍କ ପୁଅ।

ସୂଚନାଯୋଗ୍ୟ ଯେ କର୍ଣ୍ଣାଟକର ବେଲାରି, ‌ସିମୋଗା ଏବଂ ମାଣ୍ଡ୍ୟା ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା। ପୂର୍ବରୁ ବେଲାରି ଓ ସିମୋଗା ଆସନ ବିଜେପି କବ୍‌ଜାରେ ଥିଲା ଏବଂ ମାଣ୍ଡ୍ୟା ଆସନ ଜେଡିଏସ୍‌ ହାତରେ ଥିଲା। ବେଲାରିରେ ପରାଜିତ ବିଜେପି କେବଳ ସିମୋଗା ଆସନ ବଜାୟ ରଖିଛି। ଏଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦୁରପ୍ପାଙ୍କ ପୁଅ ବି ଓ୍ବାଇ ରାଘବେନ୍ଦ୍ର ବିଜୟୀ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ଜିତିବା ପରେ ୟେଦୁରପ୍ପା ଏହି ଆସନରୁ ଇସ୍ତଫା ଦେଇ ପୁଅଙ୍କୁ ଦଳୀୟ ପ୍ରାର୍ଥୀ କରାଇଥିଲେ। ଅନ୍ୟପକ୍ଷରେ ମାଣ୍ଡ୍ୟା ଲୋକସଭା ଆସନରେ ଜେଡିଏସ୍‌ ପ୍ରାର୍ଥୀ ଏଲ୍‌ ଆର୍‌ ଶିବରାମ୍ମେ ଗୌଡ଼ା ବିଜୟ ହାସଲ କରିଛନ୍ତି। ଏହି ଆସନ ଜେଡିଏସ୍ ହାତ‌େର ଥିଲା।

ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ଜେଡିଏସ୍‌ ଓ କଂଗ୍ରେସ ପ୍ରାର୍ଥୀ ନିଜ ନିଜ ଆସନ ବଜାୟ ରଖିଥିବାବେଳେ ବିଜେପି ପରାଜିତ ହୋଇଛି। ରାମନାଗଡ଼ ବିଧାନସଭା ଆସନରେ ‌ଜେଡିଏସ୍‌ ପ୍ରାର୍ଥୀ ଅନିତା କୁମାରସ୍ବାମୀ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଏଲ୍‌ ଚନ୍ଦ୍ରଶେଖର ପରାଜିତ ହୋଇଛନ୍ତି। ଜାମଖଣ୍ଡି ଆସନରେ କଂଗ୍ରେସ ପ୍ରାର୍ଥୀ ଆନନ୍ଦ ସିଦ୍ଦୁ ନ୍ୟାମଗୌଡ଼ା ବିଜୟ ହାସଲ କରିଥିବା ବେଳେ ବିଜେପିର କୁଲକର୍ଣ୍ଣୀ ଶ୍ରୀକାନ୍ତ ସୁବ୍ରାଓ ପରାଜୟ ବରଣ କରିଛନ୍ତି।

ଏହାସହିତ କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସ-ଜେଡିଏସ୍ ମେଣ୍ଟର ସ୍ଥିତି ମଜବୁତ ହୋଇଛି। ଗତ ମଇରେ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନଥିଲା। ୨୨୪ ଆସନ ମଧ୍ୟରୁ ୧୦୪ ଆସନ ଜିତି ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ସର୍ବ‌ାଧିକ ଆସନ ଜିତିବାରୁ ବିଜେପିକୁ ସରକାର ଗଠନ ପାଇଁ ସୁଯୋଗ ମିଳିଥିଲା। ତେବେ ଆସ୍ଥା ଭୋଟ୍ ପାଇଁ ଆବଶ୍ୟକ ସଂଖ୍ୟା ଜୁଟାଇ ନପାରିବାରୁ ବିଜେପି ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଇସ୍ତଫା ଦେଇଥିଲେ। ଏହାପରେ କଂଗ୍ରେସ-ଜେଡିଏସ୍ ମେଣ୍ଟ (୧୧୭) ସରକାର ଗଠନ କରିଥିଲା। କଂଗ୍ରେସ ୮୦ଟି ଆସନ ଜିତିଥିବା ବେଳେ ଜେଡିଏସ୍ ୩୭ଟି ଆସନ ହାସଲ କରିଥିଲା। ତେବେ ଆଜିର ଫଳାଫଳ ପରେ ମେଣ୍ଟ ସଭ୍ୟସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି।

ବିଜେପି ଅଙ୍କ ୨୮୨ରୁ ୨୭୨କୁ ଖସିଲା

୨୦୧୪ ସାଧାରଣ ନିର୍ବାଚନ ପରେ ଏ ପର୍ଯ୍ୟନ୍ତ ୩୦ଟି ଲୋକସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇସାରିଲାଣି। ୨୦୧୪ରେ ଜିତିଥିବା ଆସନଗୁଡ଼ିକୁ ବିଜେପି ଗୋଟିଏ ପରେ ଗୋଟିଏ ହାତଛଡ଼ା କରିବାରେ ଲାଗିଛି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ୨୦୧୪ରେ ୨୮୨ ଆସନରେ ବିଜୟୀ ହୋଇଥିଲା। ତେବେ ୨୦୧୪ ପରେ ଯେଉଁ ୩୦ ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି, ସେଥିମଧ୍ୟରୁ ବିଜେପି ୧୦ ଆସନ ହାତଛଡ଼ା କରିସାରିଲାଣି। ଏହାଦ୍ବାରା ବିଜେପିର ମୋଟ ଲୋକସଭା ସଦସ୍ୟ ସଂଖ୍ୟା ୨୮୨ରୁ ୨୭୨କୁ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର