ହିନ୍ଦୁ ଧର୍ମରୁ ଅଲଗା ହେବ କର୍ଣ୍ଣାଟକର ଲିଙ୍ଗାୟତ ସଂପ୍ରଦାୟ, ରାଜ୍ୟର କଂଗ୍ରେସ ସରକାରଙ୍କ ନିଷ୍ପତ୍ତି

ବାଙ୍ଗାଲୁରୁ: ଆଗକୁ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଥିବାରୁ କଂଗ୍ରେସ ସରକାର ରାଜ୍ୟର ପ୍ରଭାବଶାଳୀ ଲିଙ୍ଗାୟତ ସଂପ୍ରଦାୟଙ୍କୁ ଆକୃଷ୍ଟ କରିବାକୁ ଏକ ସଂବେଦନଶୀଳ ନିଷ୍ପତ୍ତି ନେଇଛି । ଲିଙ୍ଗାୟତ ସଂପ୍ରଦାୟକୁ ଏକ ହିନ୍ଦୁ ଧର୍ମରୁ ଅଲଗା ଏକ ସ୍ୱତନ୍ତ୍ର ଧର୍ମ ମାନ୍ୟତା ଲାଗି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବାକୁ ନିଷ୍ପତ୍ତି ନେଇଛି ।

କର୍ଣ୍ଣାଟକରେ ଲିଙ୍ଗାୟତ ସଂପ୍ରଦାୟ ମୋଟ ଜନସଂଖ୍ୟାର ପ୍ରାୟ ୧୭ ପ୍ରତିଶତ । ଏଣୁ ରାଜ୍ୟର କଂଗ୍ରେସ ସରକାରଙ୍କ ଏହି ନିଷ୍ପତ୍ତି ଆଗାମୀ ନିର୍ବାଚନ ଉପରେ ପ୍ରଭାବ ପକାଇବା ନିଶ୍ଚିତ । ତେବେ ଏହାକୁ ନେଇ ବିରୋଧ ଆରମ୍ଭ ହୋଇଯାଇଛି । କ୍ଷମତା ପାଇବା ପାଇଁ କଂଗ୍ରେସ ହିନ୍ଦୁ ଧର୍ମକୁ ବିଭାଜିତ କରୁଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ବୀରଶୈବ-ଲିଙ୍ଗାୟତ ସଂପ୍ରଦାୟ ସାବୁବେଳେ ବିଜେପିକୁ ସମର୍ଥନ କରିଆସିଛନ୍ତି । କଂଗ୍ରେସ ଏହି ପଦକ୍ଷେପ ନେଇ ବିଜେପିର ଭୋଟ ବ୍ୟାଙ୍କ ଛଡାଇବା ଯୋଜନାରେ ଅଛି ।

ଲିଙ୍ଗାୟତ ସଂପ୍ରଦାୟ ବିଗତ ଅନେକ ବର୍ଷ ଧରି ହିନ୍ଦୁ ଧର୍ମରୁ ଅଲଗା ମାନ୍ୟତା ଲାଗି ଦାବି କରିଆସୁଥିଲେ । ଏମାନଙ୍କ ଦାବି ସଂପର୍କରେ ବିଚାର ପାଇଁ ରାଜ୍ୟ ସରକାର ଜଷ୍ଟିସ ନାଗମୋହନ ଦାସଙ୍କ ଅଧ୍ୟକ୍ଷତାରେ ଏକ ସାତ ଜଣିଆ କମିଟି ଗଠନ କରିଥିଲେ । ଗତ ମାର୍ଚ୍ଚ ୨ରେ କମିଟି ଲିଙ୍ଗାୟତ ସଂପ୍ରଦାୟକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ସରକାରଙ୍କୁ ସୁପାରିଶ କରିଥିଲା ।

୧୨ଶ ଶତାବ୍ଦୀର ସମାଜ ସସ୍କାରକ ବାସବନ୍ନା ଏହି ଲିଙ୍ଗାୟତ ସଂପ୍ରଦାୟ ପ୍ରତିଷ୍ଠା କରିଥିଲେ । ବୈଦିକ ଧର୍ମର କୁସଂସ୍କାରକୁ ଦୂର କରିବା ପାଇଁ ଏହି ସଂପ୍ରଦାୟ ପ୍ରତିଷ୍ଠା କରାଯାଇଥିଲା । ପରେ ଏହା ନିଜକୁ ବୀରଶୈବ ସଂପ୍ରଦାୟଠାରୁ ଅଲଗା ଘୋଷଣା କରିଥିଲା, କାରଣ ଏହି ସଂପ୍ରଦାୟ ବୈଦିକ ଧର୍ମରେ ବିଶ୍ୱାସ କରନ୍ତି ଓ ଶିବଙ୍କୁ ପୂଜା କରନ୍ତି ।

ସମ୍ବନ୍ଧିତ ଖବର