କର୍ଣ୍ଣାଟକ କଂଗ୍ରେସ ସଙ୍କଟ : ରିସୋର୍ଟରେ ମାର୍‌ପିଟ, ବିଧାୟକ ଗୁରୁତର

ବେଙ୍ଗାଲୁରୁ : କର୍ଣ୍ଣାଟକ କଂଗ୍ରେସରେ ଲାଗି ରହିଥିବା ଭୟଙ୍କର ଆଭ୍ୟନ୍ତରୀଣ କନ୍ଦଳ ଏବେ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଦଳର ୪ ଜଣ ବିଧାୟକଙ୍କ ଦଳ ବିରୋଧୀ ‌କାର୍ଯ୍ୟ ଯୋଗୁଁ କଂଗ୍ରେସ-ଜେଡିଏସ୍‌ ସରକାର ପ୍ରତି ବିପଦ ବଢ଼ିବା ପରେ ଏବେ କଂଗ୍ରେସର ସମସ୍ତ ବିଧାୟକ ବେଙ୍ଗାଲୁରୁର ଏକ ବିଳାସପୂର୍ଣ୍ଣ ହୋଟେଲରେ ରହିଛନ୍ତି। ତେବେ ଆଜି ହୋଟେଲରେ ଦୁଇ ଜଣ ବିଧାୟକଙ୍କ ମଧ୍ୟରେ ପ୍ରବଳ ମାରପିଟ ହୋଇଛି। ଜଣେ ବିଧାୟକ ଜେ.ଏନ୍‌. ଗଣେଶଙ୍କ ଆକ୍ରମଣରେ ଅନ୍ୟ ଜଣେ ବିଧାୟକ ଆନନ୍ଦ ସିଂହ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଗଣେଶ ଏବଂ ଆନନ୍ଦଙ୍କ ମଧ୍ୟରେ ତୀବ୍ର କଥା କଟାକଟି ହୋଇଥିଲା ବେଳେ ପରେ ଉଭୟ ପରସ୍ପରକୁ ଆକ୍ରମଣ କରିଥିଲେ। ଗଣେଶ ଆନନ୍ଦଙ୍କ ମୁଣ୍ଡରେ ଏକ ବୋତଲ ପିଟି ଦେବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗଣେଶ ଅନ୍ୟ ୪ ଜଣ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କ ସହ ସଂପର୍କରେ ଥିବା ଜଣାପଡ଼ିବା ପରେ ରିସୋର୍ଟରେ ତାଙ୍କୁ ଆନନ୍ଦ ଏବଂ ଅନ୍ୟ କେତେକ ବିଧାୟକ ବିରୋଧ କରିଥିଲେ ଏବଂ ଏହାକୁ ନେଇ ମାର୍‌ପିଟ ଆରମ୍ଭ ହୋଇଥିଲା ବୋଲି କୁହାଯଉଛି।

କଂଗ୍ରେସର ଏହି ରିସୋର୍ଟ କାଣ୍ଡକୁ ନେଇ ଆଜି ବିଜେପି କହିଛି ଯେ କଂଗ୍ରେସ ବିଧାୟକମାନେ ବିଦ୍ରୋହକୁ ଓହ୍ଲାଇଛନ୍ତି ଏବଂ ଏହି ଦଳରେ ଅରାଜକତା ଦେଖାଦେଇଛି। ତେବେ ହୋଟେଲରେ ବିଧାୟକଙ୍କ ମଧ୍ୟରେ ସଂଘର୍ଷକୁ କଂଗ୍ରେସ ଖଣ୍ଡନ କରିଛି। କଂଗ୍ରେସ ବିଧାୟକଙ୍କ ଏଭଳି କାଣ୍ଡ ନେଇ ଜେଡିଏସ୍‌ ନେତାମାନେ କହିଛନ୍ତି ଯେ ଆମେ ପରିସ୍ଥିତି ଉପରେ ସତର୍କ ନଜର ରଖିଛୁ ଏବଂ ଏହା ସେଭଳି କୌଣସି ବଡ଼ ଘଟଣା ନୁହେଁ।

ସମ୍ବନ୍ଧିତ ଖବର