କର୍ଣ୍ଣାଟକ : ରାଜ୍ୟପାଳଙ୍କ ନିର୍ଦ୍ଦେଶ ମାନିଲେନି କୁମାରସ୍ୱାମୀ, ଆସ୍ଥା ଭୋଟକୁ ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ଉଦ୍ୟମ

ବେଙ୍ଗଲୁରୁ: କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ଅଚଳାବସ୍ଥା ଶେଷ ହେବାର ନାଁ ଧରୁ ନାହିଁ । ଆସ୍ଥାଭୋଟ କେବେ ହେବ ସେ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇନାହିଁ ।  ବିଧାନସଭାରେ ଏପର୍ଯ୍ୟନ୍ତ ବିତର୍କ ଚାଲିଥିବାବେଳେ ତାହା ଆସନ୍ତା ସୋମବାରପର୍ଯ୍ୟନ୍ତ ଲମ୍ବିବାର ସମ୍ଭାବନା ରହିଛି । ରାଜ୍ୟର ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ଆସ୍ଥା ଭୋଟକୁ ଯଥାସମ୍ଭବ ବିଳମ୍ବିତ କରିବାକୁ ଚାହୁଁଥିବାବେଳେ ତୁରନ୍ତ ଆସ୍ଥାଭୋଟ ପାଇଁ ବିଜେପି ଦାବି କରୁଛି । ଆସ୍ଥାଭୋଟକୁ ନେଇ ଗତକାଲିଠାରୁ ଚାଲିଥିବା ବିତର୍କ ଏବେ ବି ଜାରି ରହିଛି ।

ଏହାପୂର୍ବରୁ ରାଜ୍ୟପାଳ ବାଜୁଭାଇ ବାଲା ଗତ ରାତିରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ନିକଟକୁ ଏକ ପତ୍ର ଲେଖି ଆଜି ଅପରାହ୍ଣ ସାଢ଼େ ଗୋଟାଏ ସୁଦ୍ଧା ଆସ୍ଥା ଭୋଟ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ତେବେ ଏହାକୁ ସରକାର ନ ମାନିବାରୁ ସଂଧ୍ୟା ୬ଟାରେ ଆଉ ଏକ ସମୟସୀମା ଧାର୍ଯ୍ୟ କରିଥିଲେ ।  କିନ୍ତୁ ଏହା ବିରୋଧରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଆସ୍ଥାଭୋଟ ଉପରେ ଚାଲିଥିବା ଆଲୋଚନା ଶେଷ ନହେବା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କଂଗ୍ରେସ ନେତା ସିଦ୍ଧରମେୟା ବିଧାନସଭାରେ କହିଛନ୍ତି। ଆହୁରି ୨୦ ଜଣ ବିଧାୟକ ଆଲୋଚନାରେ ଅଂଶ ଗ୍ରହଣ କରିବାକୁ ଥିବାରୁ ଆଲୋଚନା ସୋମବାର ପର୍ଯ୍ୟନ୍ତ ଚାଲିବ ବୋଲି କହିଛନ୍ତି ସିଦ୍ଧରମେୟା ।

ସେପଟେ ଆସ୍ଥା ଭୋଟ ନେଇ ସମୟ ସୀମା ନିର୍ଦ୍ଧାରଣ କରି ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିବା ବେଳେ ଏବେ ଏମାମଲାରେ ବାଚସ୍ପତି ଆଉ କିଛି କରି ପାରିବେ ନାହିଁ ବୋଲି କହି ଦେଇଛନ୍ତି ବିଜେପି ନେତା ୟେଦ୍ୟୁରାପ୍ପା । ଏଣେ ଗୃହ କାର୍ଯ୍ୟରେ ହସ୍ତକ୍ଷେପ କରି ରାଜ୍ୟପାଳ ସ୍ପଷ୍ଟ ଦିବାଲୋକରେ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ। ଏପରିସ୍ଥିତିରେ ରାଜ୍ୟପାଳ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଆସ୍ଥା ଭୋଟ ଶେଷ କରିବାକୁ ଆଉ ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଅନ୍ୟପକ୍ଷରେ ଜେଡିଏସ୍‌ ବିଧାୟକ ଶ୍ରୀନିବାସ ଗୌଡ଼ ତାଙ୍କୁ ବିଜେପି ୫ କୋଟିର ଲାଞ୍ଚ ଦେଇଥିବା ଅଭିଯୋଗ କରିବା ପରେ କର୍ଣ୍ଣାଟକ ବିଜେପି ମୁଖ୍ୟ ୟେଦୁରାପ୍ପା ତାଙ୍କ ବିରୋଧରେ ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଆଗତ କରିଛନ୍ତି।

ସେପଟେ ସୁପ୍ରମ୍‌ କୋର୍ଟ ନିର୍ଦ୍ଦେଶର ଅବମାନନା କରି ଦଳ ଦଳୀୟ ବିଧାୟକମାନଙ୍କ ଉପରେ ହୁଇପ୍‌ ଜାରି କରିଛି ବୋଲି ଅଭିଯୋଗ କରି କର୍ଣ୍ଣାଟକ କଂଗେସ ସଭାପତି ଦୀନେଶ ଗୁଣ୍ଡୁ ରାଓ ସୁପ୍ରିମ୍‌ କୋର୍ଟରେ ଏକ ମାମଲା ଆଗତ କରିଛନ୍ତି।

ଉଳ୍ଲେଖଯୋଗ୍ୟ, ଗତକାଲି (ଗୁରୁବାର) ପ୍ରବଳ ହଟ୍ଟଗୋଳ ମଧ୍ୟରେ କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏଚ୍‌ ଡ଼ି କୁମାରସ୍ୱାମୀଙ୍କ କଂଗ୍ରେସ- ଜେଡିଏସ୍‌ ମିଳିତ ସରକାର ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ଉଦ୍ଦେଶ୍ୟରେ ହେବାକୁ ଥିବା ଆସ୍ଥା ଭୋଟକୁ ବିଧାନସଭାର ଉପ ବାଚସ୍ପତି ଆସନ୍ତାକାଲି (ଜୁଲାଇ ୧୯ ତାରିଖ) ଦିନ ୧୧ଟା ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ। ତେବେ, ଉପ ବାଚସ୍ପତିଙ୍କ ଏ ନିଷ୍ପତ୍ତିର ବିରୋଧ କରି ବିଜେପି ବିଧାୟକମାନେ ଗତକାଲି ସାରା ରାତି ବିଧାନସଭା ଗୃହ ମଧ୍ୟରେ କଟାଇଥିଲେ। ଅନ୍ୟପକ୍ଷରେ ବିଜେପି ବିଧାୟକମାନେ ଆସ୍ଥା ଭୋଟ ଆଗତ କ୍ଷେତ୍ରରେ ବିଧାନସଭାର ବାଚସ୍ପତି ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରିବା ସହ ଉଦ୍ଦେଶ୍ୟ ମୂଳକ ଭାବେ ଆସ୍ଥା ଭୋଟ ଆଗତ କରିବାରେ ବିଳମ୍ବ କରୁଛନ୍ତି ବୋଲି ଅଭିଯୋଗ କରି ରାଜ୍ୟପାଳ ବାଜୁଭାଇ ଭାଲ୍ଲାଙ୍କ ଦ୍ୱାରସ୍ଥ ହେବା ସହ ଏ ମାମଲାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ରାଜ୍ୟପାଳ ଗତ ରାତିରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ନିକଟକୁ ଏକ ପତ୍ର ଲେଖି ଆଜି ଅପରାହ୍ଣ ସାଢ଼େ ଗୋଟାଏ ସୁଦ୍ଧା ଆସ୍ଥା ଭୋଟ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

 

ସମ୍ବନ୍ଧିତ ଖବର