ମହଙ୍ଗା ପଡ଼ିଲା ଦିଦିଙ୍କୁ ଚଲାଇବା; ୨୪ ଘଣ୍ଟାରେ ବଦଳି ହୋଇଗଲେ ଡିଜିପି

ବେଙ୍ଗାଲୁରୁ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (ଦିଦି)ଙ୍କୁ ପାଦରେ ଚଲାଇବା ଘଟଣା କର୍ଣ୍ଣାଟକର ମହିଳା ଡିିଜିପି ନୀଳମଣି ରାଜୁଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଚ୍‌ ଡି କୁମାରସ୍ୱାମୀଙ୍କ ସରକାର ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହେବା ପୂର୍ବରୁ ଡିଜିପି ରାଜୁଙ୍କୁ ବଦଳି ଆଦେଶ ଦେଇଛନ୍ତି। ଡିଜିପି ରାଜୁଙ୍କ ବଦଳି ପୁଲିସ୍‌ ବିଭାଗର ଏକ ସାଧାରଣ ବଦଳି ଘଟଣା ବୋଲି କହିଛି କର୍ଣ୍ଣାଟକ ଗୃହବିଭାଗ। ଉଲ୍ଲେଖଯୋଗ୍ୟ, ଡିଜିପି ନୀଳମଣି ରାଜୁ ଥିଲେ ରାଜ୍ୟର ପ୍ରଥମ ମହିଳା ପୁଲିସ୍‌ ଡିଜିପି।


ହେଲେ, ଡିଜିପି ନୀଳମଣି ରାଜୁଙ୍କ ଏ ଅଚାନକ ବଦଳି ପଛର କାରଣ ହେଉଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। କର୍ଣ୍ଣାଟକର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉପଲକ୍ଷେ ଗତ ବୁଧବାର ବିଧାନ ସୌଧ ପରିସରରେ ଆୟୋଜିତ ଉତ୍ସବକୁ ନମନ୍ତ୍ରିତ ହୋଇ ମମତା ବାନାର୍ଜୀ ବେଙ୍ଗାଲୁରୁ ଯାଇଥିବା ବେଳେ ସେଠାରେ ଟ୍ରାଫିକ୍‌ ଅବ୍ୟସ୍ଥାର ଶିକାର ହୋଇଥିଲେ। ମମତାଙ୍କ ଗାଡ଼ିଟି ଟ୍ରାଫିକ୍‌ ଜାମ୍‌ରେ ଫଶିଯିବା ସହ ବିଧାନ ସୌଧ ପର୍ଯନ୍ତ ଯାଇପାରି ନଥିଲା। ଫଳରେ ମମତା ବାଧ୍ୟହୋଇ ତାଙ୍କ ଗାଡ଼ିରୁ ଓହ୍ଲାଇ ପାଦରେ ଚାଲି ଚାଲି ଯାଇ ପହଞ୍ଚିଥିଲେ ବିଧାନ ସୌଧ ମଧ୍ୟରେ ଆୟୋଜିତ ଉତ୍ସବ ସ୍ଥଳରେ। ତେବେ, ଏହି ଘଟଣାରେ ଅତ୍ୟନ୍ତ କ୍ରେଧିତ ହୋଇପଡ଼ିଲେ ମମତା। ଉତ୍ସବ ସ୍ଥଳରେ ମଞ୍ଚ ଉପରେ ଶପଥ ନେବାକୁ ପ୍ରସ୍ତୁତ ହେଉଥିବା ଏଚ୍‌ ଡି କୁମାରସ୍ୱାମୀ ଏବଂ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ାଙ୍କ ସମୁଖରେ ମଞ୍ଚ ନିକଟକୁ ଡକାଇ ଡିଜିପି ନୀଳମଣି ରାଜୁଙ୍କ ଉପରେ ଭୀଷଣ ଭାବେ ବର୍ଷିଥିଲେ। କ୍ରୋଧିତ ମମତାଙ୍କ ଏ ଉଗ୍ର ରୂପ ଦେଖି ଉଭୟ ଏଚ୍‌ ଡି କୁମାରସ୍ୱାମୀ ଓ ଏଚ୍‌ ଡି ଦେବେଗୌଡ଼ା ତଟସ୍ଥ ହୋଇଯିବା ସହ ନିରବଦ୍ରଷ୍ଟ୍ରା ସାଜି ଠିଆ ହୋଇ ରହିଥିଲେ। ପରେ, ଆଜି ଏହି ଘଟଣା ପାଇଁ ଡିଜିପି ରାଜୁଙ୍କୁ କୁମାରସ୍ୱାମୀ ସରକାର ବଦଳି କରିଥିବା ଆଲୋଚନା ହେଉଛି।

୧୯୮୩ ବ୍ୟାଚ୍‌ର ୫୭ ବର୍ଷ ବୟସ୍କ ବରିଷ୍ଠ ଆଇପିଏସ୍‌ ନୀଳମଣି ରାଜୁୁ ଗତ ବର୍ଷ ନଭେମ୍ବର ୧ ତାରିଖରେ ରାଜ୍ୟର ପ୍ରଥମ ମହିଳା ଡିଜିପି ଭାବେ ନିଯୁକ୍ତି ପାଇଥିଲେ। ନୀଳମଣିଙ୍କ ସ୍ୱାମୀ ଡିଏନ୍‌ ନରସିଂହା ରାଜୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥାଇ ୨୦୧୬ରେ ଚାକିରିରୁ ଅବସର ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର