କର୍ଣ୍ଣାଟକ ନିର୍ବାଚନ ପ୍ରଚାର ଅଧାରୁ ଛାଡ଼ି ଫେରିଲେ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆସିଥିବା ପ୍ରଳୟଙ୍କରୀ ଘୂର୍ଣ୍ଣିଝଡ଼ରେ ପ୍ରାୟ ୮୦ ଲୋକଙ୍କ ମୃତ୍ୟୁ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କର୍ଣ୍ଣାଟକରେ ତାଙ୍କର ନିର୍ବାଚନ ପ୍ରଚାର ଅଧାରୁ ଛାଡ଼ି ଫେରି ଆସିଛନ୍ତି। ରାଜ୍ୟରେ ଝଡ଼ ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏଥିପ୍ରତି ଗୁରୁତ୍ୱ ନଦେଇ ସେ କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିବା ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇ କଂଗ୍ରେସ, ବହୁଜନସମାଜ ପାର୍ଟି କଡ଼ା ସମାଲୋଚନା କରିବା ପରେ ଯୋଗୀଙ୍କୁ ତାଙ୍କ ପ୍ରଚାର ବନ୍ଦ ରଖିବାକୁ ପଡ଼ିଛି। ଆସନ୍ତାକାଲି ରିଲିଫ୍‌ ଏବଂ ଥଇଥାନ କାର୍ଯ୍ୟ ସଂପର୍କରେ ଯୋଗୀ ସମୀକ୍ଷା କରିବେ ଏବଂ ପ୍ରଭାବିତ ଅଂଚଳ ମଧ୍ୟ ଗସ୍ତ କରିବେ ବୋଲି ଜଣାପଡ଼ିଛି। ବୁଧବାର ଘୂର୍ଣ୍ଣିଝଡ଼ରେ କେବଳ ଆଗ୍ରାରେ ୬୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଯୋଗୀଙ୍କ କର୍ଣ୍ଣାଟକରେ ପ୍ରଚାରକୁ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ କଡ଼ା ସମାଲୋଚନା କରିବା ସହ ଯୋଗୀ ସେଠାରେ ମଠ ନିର୍ମାଣ କରି ରହିଯିବା ଉଚିତ ବୋଲି କହିଥିଲେ। ତେବେ ଏହାର ଜବାବ ଦେଇ ଯୋଗୀ କହିଛନ୍ତି ଯେ ରିଲିଫ୍‌ କାର୍ଯ୍ୟ ସେ ବ୍ୟକ୍ତିଗତ ଭାବେ ତଦାରଖ କରୁଛନ୍ତି ଏବଂ ଅସନ୍ତାକାଲି ପ୍ରଭାବିତ ଅଂଚଳ ଗସ୍ତ କାର୍ଯ୍ୟକ୍ରମ ରହିଥିବା ରାଜ୍ୟବାସୀ ଅବଗତ ଅଛନ୍ତି। ବିରୋଧୀ ଦଳର ବିଭ୍ରାନ୍ତି ଓ ମିଥ୍ୟାକୁ ଜନତା ଠିକ୍‌ ଜାଣିଛନ୍ତି ବୋଲି ଯୋଗୀ କହିଛନ୍ତି।

ଲିଙ୍ଗାୟତ ବିଗାଡ଼ିବେ ବିଜେପି ଖେଳ!
ବେଙ୍ଗାଲୁରୁ: ଚଳିତ କର୍ଣ୍ଣାଟକ ନିର୍ବାଚନରେ ଏବେ ବିଜେପି ପାଇଁ ଲିଙ୍ଗାୟତଙ୍କ ଭୋଟ୍‌ ବଡ଼ ସମସ୍ୟା ସୃଷ୍ଟି କରିଛି। ପୂର୍ବରୁ ବିଜେପି ଲିଙ୍ଗାୟତଙ୍କ ଭୋଟ୍‌ ହାସଲ କରି ଆସୁଥିବା ବେଳେ ଏବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି ଏସ୍‌ ୟେଦୁରପ୍ପ ମଧ୍ୟ ଲିଙ୍ଗାୟତ ସଂପ୍ରଦାୟର। ତେବେ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟାଙ୍କ ମାଷ୍ଟର ଷ୍ଟ୍ରୋକ୍‌ ବିଜେପିର ଗଣିତକୁ ଓଲଟପାଲଟ କରିଦେଇଛି। ଲିଙ୍ଗାୟତ ସଂପ୍ରଦାୟକୁ ସ୍ୱତନ୍ତ୍ର ଧର୍ମର ମାନ୍ୟତା ଦେବାକୁ କଂଗ୍ରେସର ଘୋଷଣା ବିଜେପି ପାଇଁ ଘୋର ସଙ୍କଟର କାରଣ ପାଲଟିଛି। ସଂପ୍ରଦାୟର ଧାର୍ମିକ ନେତାମାନେ ଏବେ ବିଜେପି ନେତାଙ୍କୁ ପ୍ରଶ୍ରୟ ଦେଉନାହାନ୍ତି ଏବଂ କଂଗ୍ରେସକୁ ଭୋଟ୍‌ ଦେବାପାଇଁ ଆହ୍ଵାନ ଦେଉଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚାର ହିଁ ବିଜେପି ପାଇଁ ମୁଖ୍ୟ ଭରସା ପାଲଟିଛି। ମୋଦି ତାଙ୍କ ପ୍ରଚାରରେ ଜାତି ଓ ଧର୍ମ ପ୍ରସଙ୍ଗକୁ ଏଡ଼ାଇ ‘କଂଗ୍ରେସର ଦୁର୍ନୀତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅପାରଗତା’କୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଚାହୁଛନ୍ତି। କଂଗ୍ରେସ ମଧ୍ୟ ମୋଦିଙ୍କ ସମାଲୋଚନାର ଜବାବ ଦେବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି।

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ସୋରରେ ଚାଲିଥିବା ବେଳେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି। ଗତ ରାତିରେ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ଜୟନଗରର ବିଜେପି ବିଧାୟକ ବି.ଏନ.ବିଜୟକୁମାରଙ୍କୁ ହୃଦଘାତ ହୋଇଥିଲା। ତୁରନ୍ତ ତାଙ୍କୁ ଜୟନଗର ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କର ପରଲୋକ ହୋଇଯାଇଥିବା ରାଜ୍ୟ ବିଜେପି ମୁଖପାତ୍ର ଏସ୍‌ ପ୍ରକାଶ କହିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା ଓ ରାଜ୍ୟ ବିଜେପି ସଭାପତି ବିଏସ୍‌ ୟେଦୁରପ୍ପା ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର