ଫେଲ୍‌ ମାରିଲେ ୟେଦୁରପ୍ପା : ଆସ୍ଥା ଭୋଟ୍‌ ପୂର୍ବରୁ ପରାଜୟ ସ୍ୱୀକାର, ନୂଆ ମୁଖ୍ୟମନ୍ତ୍ରୀ ହେବେ କୁମାରସ୍ୱାମୀ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ବିଏସ୍‌ ୟେଦୁରପ୍ପାଙ୍କ ଅପ୍ରତ୍ୟାଶିତ ଶପଥ ଗ୍ରହଣକୁ ନେଇ ଗତ ତିନି ଦିନ ଧରି ଚାଲିଥିବା ବିବାଦର ଆଜି ଅବସାନ ଘଟିଛି। ସୁପ୍ରିମ କୋର୍ଟଙ୍କ ନିର୍ଦେଶ କ୍ରମେ କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍‌ ପୂର୍ବରୁ ପରାଜୟ ସ୍ୱୀକାର କରି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ୟେଦୁରପ୍ପା। ଏହା ବିଜେପି ପାଇଁ ଗୁରୁତର ଝଟକା ହୋଇଛି। ଅନ୍ୟପକ୍ଷରେ ଆବଶ୍ୟକ ସଂଖ୍ୟା ଥାଇ ସରକାର ଗଠନରୁ ବଞ୍ଚିତ ହୋଇଥିବା କଂଗ୍ରେସ-ଜେଡିଏସ୍‌ ମେଣ୍ଟ ପାଇଁ ଏହାକୁ ବଡ଼ ଧରଣର ସଫଳତା ରୂପେ ବିଚାର କରାଯାଉଛି। ମେଣ୍ଟର ନେତା କୁମାରସ୍ୱାମୀ ଆସନ୍ତା ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୧୫ ଦିନ ମଧ୍ୟର ଶକ୍ତି ପରୀକ୍ଷା ଲାଗି ରାଜ୍ୟପାଳ ତାଙ୍କୁ ନିର୍ଦେଶ ଦେଇଛନ୍ତି।

ସୁପ୍ରିମ କୋର୍ଟଙ୍କ ନିର୍ଦେଶ କ୍ରମେ ଆଜି ଅପରାହ୍ନ ୪ଟାରେ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଆସ୍ଥା ଭୋଟର ସମ୍ମୁଖୀନ ହେବାର ଥିଲା। ଏହାକୁ ନେଇ ଦୁଇ ଦିନ ଧରି ଉତ୍କଣ୍ଠା ଲାଗି ରହିଥିବା ବେଳେ ଆଜି ସକାଳୁ ପରିସ୍ଥିତି ନାଟକୀୟ ମୋଡ଼ ନେଇଥିଲା। ଆଜି ସକାଳେ ପ୍ରଥମେ ସୁପ୍ରିମ କୋର୍ଟରେ ଅସ୍ଥାୟୀ ବାଚସ୍ପତି ମାମଲାର ଶୁଣାଣି ହୋଇଥିଲା। କଂଗ୍ରେସ ପକ୍ଷରୁ ଆଗତ ପିଟିସନକୁ କୋର୍ଟ ଖାରଜ କରିଦେଇଥିଲେ। ବିଜେପି ବିଧାୟକ କେଜି ବୋପେୟାଙ୍କୁ ପ୍ରୋଟେମ୍‌ ସ୍ପିକର (ଅସ୍ଥାୟୀ ବାଚସ୍ପତି) ଭାବେ ନିଯୁକ୍ତିକୁ ବିରୋଧ କରି କଂଗ୍ରେସ ଗତକାଲି ସୁପ୍ରିମ୍‌ କୋର୍ଟରେ କରିଥିବା ଆବେଦନକୁ ଆଜି କୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ବୋପେୟାଙ୍କ ନିଯୁକ୍ତିକୁ ରଦ୍ଦ କରିବାର କୌଣସି କାରଣ ନାହିଁ ବୋଲି କୋର୍ଟ କହିଥିଲେ ଏବଂ ବିଧାନସଭାର ସିଧା ପ୍ରସାରଣ ପାଇଁ ବୋପେୟାଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ।

ଏହାପରେ ନବନିର୍ବାଚିତ ବିଧାୟକମାନେ ଶପଥ ନେବାଲାଗି ବିଧାନସଭାକୁ ଆସିଥିଲେ। ପ୍ରଥମେ ଅସ୍ଥାୟୀ ବାଚସ୍ପତି ୟେଦୁରପ୍ପାଙ୍କୁ ଶପଥ ପାଠ କରାଇଥିଲେ ଏବଂ ଏହାପରେ ଅନ୍ୟ ବିଧାୟକମାନେ ଶପଥ ନେଇଥିଲେ। ନିର୍ଦ୍ଧାରିତ କାର୍ଯ୍ୟକ୍ରମ ମୁତାବକ ଅପରାହ୍ନ ୪ଟାରେ ଗୃହରେ ୟେଦୁରପ୍ପା ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାର ଥିଲା। ଶକ୍ତି ପରୀକ୍ଷା
ପୂର୍ବରୁ ମାତ୍ର ୫୫ ଘଣ୍ଟା ମୁଖ୍ୟମନ୍ତ୍ରୀ ରହିଥିବା ୟେଦୁରପ୍ପା ତାଙ୍କ ଇସ୍ତଫା ଘୋଷଣା କରିଥିଲେ।

ତେବେ ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ରାଜ୍ୟରେ ରାଜନୈତିକ ଡ୍ରାମା ଚରମ ପର୍ଯ୍ୟାୟରେ ପହଞ୍ଚିଥିଲା। ବିଜେପି କେତେକ କଂଗ୍ରେସ ବିଧାୟକଙ୍କୁ ଅପହରଣ କରିନେଇଥିବା କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ। କଂଗ୍ରେସର ଦୁଇ ଜଣ ବିଧାୟକ ବିଧାନସଭାରେ ପହଞ୍ଚି ପାରିନଥିବାରୁ ଏହାକୁ ନେଇ ମଧ୍ୟ ଆଜି ଅପରାହ୍ନରେ ତମ୍ବି ତୋଫାନ ସୃଷ୍ଟି ହୋଇଥିଲା। ନିଖୋଜ କଂଗ୍ରେସ ବିଧାୟକ ପ୍ରତାପ ଗୌଡ଼ା ପାଟିଲ ଏବଂ ଆନନ୍ଦ ସିଂହ ହୋଟେଲ ଗୋଲ୍‌୍‌ଡଫିନ୍‌୍‌ଚରେ ଥିବା ଜଣାପଡ଼ିଥିଲା। ପୋଲିସ ସେଠାରେ ଛାନବିନ୍‌ କରିଥିଲା। ପରେ ସେମାନେ ବିଧାନସଭାରେ ପହଞ୍ଚିଥିଲେ। ବିଜେପି ବିଧାୟକ ସୋମଶେଖର ରେଡ୍ଡି ମଧ୍ୟ ବିଧାନସଭାରୁ ଗାଏବ ହୋଇଯାଇଥିଲେ। ତେବେ ଜେଡିଏସ୍‌ର ସମସ୍ତ ୩୭ ବିଧାୟକ ନିର୍ଦ୍ଧାରିତ ସମୟରେ ବିଧାନସଭାରେ ପହଞ୍ଚିଥିଲେ।

ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଭୋଟ୍‌ ଗ୍ରହଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ବିଧାନସଭାରେ ୨୦ ମିନିଟ୍‌ ଧରି ଆବେଗପୂର୍ଣ୍ଣ ଉଦ୍‌୍‌ବୋଧନ ଦେବା ସହ ତାଙ୍କ ଇସ୍ତଫା ଘୋଷଣା କରିଥିଲେ। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ଅନୈତିକ ଏବଂ ସେମାନଙ୍କୁ ସରକାର ଗଠନ ପାଇଁ ରାଜ୍ୟବାସୀ ଭୋଟ୍‌ ଦେଇନଥିଲେ ବୋଲି ୟେୁଦରପ୍ପା ତାଙ୍କ ଭାଷଣରେ କହିଥିଲେ ଏବଂ ଭାଷଣ ଶେଷ କରିବା ମାତ୍ରେ ବିଧାନସଭାରୁ ସିଧା ରାଜଭବନ ଯାଇ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପ୍ରଦାନ କରିଥିଲେ।

ଆଜି ବିଧାନସଭା ଅଧିବେଶନର ସିଧା ପ୍ରସାରଣ ହୋଇଥିଲା ଏବଂ ଗୃହରେ ଶାନ୍ତି ରକ୍ଷା ପାଇଁ କଡ଼ା ସୁରକ୍ଷା ପଦକ୍ଷେପ ନିଆଯାଇଥିଲା।

କର୍ଣ୍ଣାଟକରେ ୨୨୨ ଆସନରେ ନିର୍ବାଚନ ହୋଇଥିବା ବେଳେ ୨୨୧ ଜଣ ବିଧାୟକ ନିର୍ବାଚିତ ହୋଇଥିଲେ। ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ୱାମୀ ୨ଟି ଆସନରୁ ବିଜୟୀ ହୋଇଥିଲେ। ଏହାପରେ ଆଉ ଜଣେ ବିଧାୟକ ଅସ୍ଥାୟୀ ବାଚସ୍ପତି ନିର୍ବାଚିତ ହୋଇଥିବାରୁ ବିଧାୟକଙ୍କ ସଂଖ୍ୟା ୨୨୦କୁ ଖସି ଆସିଥିଲା ଏବଂ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାପାଇଁ ୟେଦୁରପ୍ପାଙ୍କୁ ୧୧୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା। ବିଜେପିର ୧୦୪ ଜଣ ବିଧାୟକ ଥିବା ବେଳେ କଂଗ୍ରେସ-ଜେଡିଏସ୍‌ ମେଣ୍ଟର ବିଧାୟକଙ୍କ ସଂଖ୍ୟ ୧୧୬ରେ ପହଞ୍ଚିଥିଲା, ଯାହାକି ମ୍ୟାଜିକ୍‌ ନମ୍ବରଠାରୁ ୫ଟି ଅଧିକ।

ଇତିମଧ୍ୟରେ ଆଜି ସନ୍ଧ୍ୟାରେ ଜେଡିଏସ୍‌ ନେତା ଏଚ୍‌୍‌ଡି କୁମାରସ୍ୱାମୀ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ସରକାର ଗଢିବାକୁ ଦାବି ଉପସ୍ଥାପନ କରିଛନ୍ତି। ରାଜ୍ୟପାଳ ମଧ୍ୟ ତାଙ୍କୁ ଏଥିପାଇଁ ଆମନ୍ତ୍ରଣ କରିଛନ୍ତି ବୋଲି କୁମାରସ୍ୱାମୀ ଗଣମାଧ୍ୟମକୁ କହିଛନ୍ତି। ଆସନ୍ତା ବୁଧବାର ମଧ୍ୟାହ୍ନ ୧୨ଟା ବେଳେ ମୁଖ୍ୟମନ୍ତ୍ରୀ ଭାବେ କୁମାରସ୍ୱାମୀ ଓ କଂଗ୍ରେସ ନେତା ଜି.ପରମେଶ୍ୱର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କଂଗ୍ରେସ-ଜେଡିଏସ୍‌ ସରକାର ୧୫ ଦିନ ମଧ୍ୟରେ ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ ବୋଲି ଜଣାପଡ଼ିଛି। ବେଙ୍ଗାଲୁରୁର କାନ୍ତିର୍ଭା ଷ୍ଟାଡିୟମରେ ଏହି ଶପଥ ଗ୍ରହଣ ଉତ୍ସବ ଆଡମ୍ବରରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ସେହିଦିନ ହିଁ ନୂଆ ସରକାରର ସମସ୍ତ ମନ୍ତ୍ରୀ ଶପଥ ନେବେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଜାରି କରାଯାଇଥିବା କଂଗ୍ରେସ-ଜେଡିଏସ ମେଣ୍ଟ ସରକାରର ୨୪ ଜଣିଆ କ୍ୟାବିନେଟରେ ମୋଟ ୧୫ ଜଣ କଂଗ୍ରେସ ବିଧାୟକଙ୍କୁ ସ୍ଥାନ ମିଳିଥିବା ବେଳେ ୯ ଜଣ ଜେଡିଏସ୍‌ ବିଧାୟକ ରହିଛନ୍ତି। ସୋମବାର ଦିନ ଶପଥ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ଉକ୍ତ ଦିନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଥିବାରୁ ଶପଥ ତାରିଖ ଘୁଞ୍ଚାଇ ଦିଆଯାଇଛି।

ସମ୍ବନ୍ଧିତ ଖବର