କର୍ଣ୍ଣାଟକ ନିର୍ବାଚନ: ବିଜେପିର ୫ଟି ବଡ଼ ଭୁଲ୍‌

ଲିଙ୍ଗାୟତ ବିଧାୟକଙ୍କ ଉପରେ ମାତ୍ରାଧିକ ଭରସା କାଳ ହେଲା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦୀର୍ଘ ୭୦ ଘଣ୍ଟାର ରାଜନୈତିକ ହଟଚମଟର ଗତକାଲି ସନ୍ଧ୍ୟାରେ ପରିସମାପ୍ତି ଘଟିଛି ଏବଂ ଆଗାମୀ ବୁଧବାର ରାଜ୍ୟରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଶପଥ ଗ୍ରହଣ କରିବାକୁ ସ୍ଥିର ହୋଇଛି। ତେବେ ରାଜ୍ୟରେ ସବୁଠାରୁ ବଡ଼ ଦଳ ହୋଇ ମଧ୍ୟ ବିଜେପି କ୍ଷମତାରୁ ଦୂରେଇ ରହିବା ପଛରେ ଏହାର ୫ଟି ବଡ଼ ଭୁଲ୍‌ ଏବେ ଚର୍ଚ୍ଚାରେ ରହିଛି। କର୍ଣ୍ଣାଟକରେ ବିଜେପିରେ ରାଜନୈତିକ ସଫଳତା ମଂଗଳବାରଠାରୁ ଆରମ୍ଭ ହୋଇ ଶନିବାର ସନ୍ଧ୍ୟାରେ ବଡ଼ ବିଫଳତା ପାଲଟି ଯିବା ପଛରେ ଲିଙ୍ଗାୟତ ବିଧାୟକଙ୍କ ଉପରେ ମାତ୍ରାଧିକ ଭରସା ହିଁ ମୁଖ୍ୟ କାରଣ ବୋଲି ଜଣେ ଦଳୀୟ ନେତା କହିଛନ୍ତି।

ଏହି ବିଜେପି ନେତା କହିଛନ୍ତି ଯେ କଂଗ୍ରେସ ଏବଂ ଜେଡିଏସ୍‌୍‌ ଏତେ ଶୀଘ୍ର ହାତ ମିଳାଇ ସରକାର ଗଠନ ପାଇଁ ଦାବି କରିବେ ବୋଲି ବିଜେପି ଚିନ୍ତା କରିନଥିଲା । ଜନମତ କଂଗ୍ରେସ ବିରୋଧରେ ଥିଲେ ମଧ୍ୟ ଜେଡିଏସ୍‌କୁ ମୁଖ୍ୟମନ୍ତ୍ରୀ ପଦ ଲୋଭ ଦେଖାଇ କଂଗ୍ରେସ ତୁରନ୍ତ ନିଜ ପଟକୁ ନେବାକୁ ସମର୍ଥ ହୋଇଥିଲା। ୧୦୪ ଆସନରେ ବିଜୟୀ ହୋଇ ବିଜେପି ସବୁଠାରୁ ବଡ଼ ଦଳ ହୋଇଥିବାରୁ ସ୍ୱାଭାବିକ ଭାବେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ତେବେ ମେଣ୍ଟର ସୁଦୃଢ଼ ସ୍ଥିତି କାଏମ ରହିବ ନାହିଁ ବୋଲି ଅନୁମାନ କରି ବିଜେପି ଏହି ପ୍ରକ୍ରିୟାରେ ଆଗକୁ ବଢ଼ିବାରୁ ସମସ୍ୟା ବଢ଼ି ଚାଲିଲା। ବିଜେପିର ଦ୍ୱିତୀୟ ଭୁଲ୍‌ ଥିଲା ବିଧାୟକଙ୍କ ସମର୍ଥନ ସହଜରେ ମିଳିଯିବ ବୋଲି ଧରିନେବା। ତେବେ ଜେଡିଏସ୍‌କୁ ମୁଖ୍ୟମନ୍ତ୍ରୀ ପଦ ଦେବା ସହ ଏହାର ସବୁ ସର୍ତ୍ତରେ କଂଗ୍ରେସ ରାଜି ହୋଇଯିବାରୁ ବିଜେପିର ଅନୁମାନ ଭୁଲ୍‌ ପ୍ରମାଣିତ ହେଲା। କଂଗ୍ରେସ ଏହି ମାମଲା ନେଇ ସୁପ୍ରିମ୍‌ କୋର୍ଟ ଯିବା ପରେ ୟେଦୁରପ୍ପାଙ୍କ ଶପଥ ଗ୍ରହଣରେ ରୋକ୍‌ ଲାଗିବ ନାହିଁ ବୋଲି କୋର୍ଟ ରାୟକୁ ବିଜେପି ଉତ୍ସାହର ସହ ଗ୍ରହଣ କରିଥିଲା। ତେବେ ଅସଲରେ ବିଧାୟକଙ୍କ ସମର୍ଥନ ଯୋଗାଡ଼ ପାଇଁ ବିଜେପି କୌଣସି ଯୋଜନା ସାକାର କରିବାରେ ବ୍ୟର୍ଥ ହୋଇଥିଲା। ପରବର୍ତ୍ତୀ ସମୟରେ କୋର୍ଟ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ପାଇଁ ରାଜ୍ୟପାଳ ଦେଇଥିବା ୧୫ ଦିନ ସମୟକୁ ୪୮ ଘଣ୍ଟାରେ ସୀମିତ ରଖିବାରୁ ସମସ୍ୟା ଅତି ଜଟିଳ ହୋଇପଡ଼ିଲା। ଏଥିପାଇଁ ପୂର୍ବରୁ କୌଣସି ଯୋଜନା ନ କରିବା ବିଜେପିର ତୃତୀୟ ବଡ଼ ଭୁଲ୍‌ ଥିଲା। ବିଜେପି ନେତାଙ୍କ କହିବାନୁଯାୟୀ ଚତୁର୍ଥ ବଡ଼ ଭୁଲ ଥିଲା କଂଗ୍ରେସର ରଣନୀତିକୁ ବୁଝି ନପାରିବା। କଂଗ୍ରେସ ନିଜ ବିଧାୟକଙ୍କୁ ଏକଜୁଟ ରଖିବା ପାଇଁ ଯେଭଳି ତତ୍ପରତା ଦେଖାଇଲା, ସେଭଳି ସ୍ଥିତି ଆସିବ ବୋଲି ଦଳ ଚିନ୍ତା କରିନଥିଲା। ବିଜେପିର ପଞ୍ଚମ ତଥା ବଡ଼ ଭୁଲ୍‌ ଥିଲା ୟେଦୁରପ୍ପାଙ୍କୁ ସବୁ ଲିଙ୍ଗାୟତ ବିଧାୟକମାନେ ସମର୍ଥନ ଦେବେ ବୋଲି ବିଶ୍ୱାସ କରିନେବା । ଏହି ବିଶ୍ୱାସକୁ ନେଇ ୟେଦୁରପ୍ପା ଆଗକୁ ବଢ଼ୁଥିବା ବେଳେ ଅସଲରେ କଂଗ୍ରେସର କୌଣସି ଲିଙ୍ଗାୟତ ବିଧାୟକ ସମର୍ଥନ ପାଇଁ ସଙ୍କେତ ଦେଇନଥିଲେ।

ସମ୍ବନ୍ଧିତ ଖବର