କର୍ଣ୍ଣାଟକ କବଜା ପାଇଁ ଲଢେଇ : କଂଗ୍ରେସର ୩ ବିଧାୟକ ଗଲେ କୁଆଡ ?

ବାଙ୍ଗାଲୁରୁ : କର୍ଣ୍ଣାଟକରେ ଝୁଲା ବିଧାନସଭା ହେବାପରେ ସରକାର ଗଠନ ପାଇଁ ବିଜେପି ଓ ଜେଡିଏସ-କଂଗ୍ରେସ ମଧ୍ୟରେ ଟଣାଓଟରା ଚାଲିଛି । ଆଜି ପୂର୍ବାହ୍ନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ ୟେଦ୍ୟୁରାପ୍ପା ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବାପରେ ଅପରାହ୍ନରେ ଜେଡିଏସ ଓ କଂଗ୍ରେସ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ୧୧୭ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି । କିନ୍ତୁ ଜେଡ଼ିଏସ ପକ୍ଷରୁ ୩୮ ଜଣ ଓ କଂଗ୍ରେସ ପକ୍ଷରୁ ୭୮ ବିଧାୟକଙ୍କ ମଧ୍ୟରୁ ୭୫ ଜଣ ବିଧାୟକଙ୍କ ତାଲିକା ଦିଆଯାଇଛି । କଂଗ୍ରେସର ୩ ଜଣ ବିଧାୟକ କୁଆଡେ ଗଲେ ତାହାକୁ ନେଇ ସଂଦେହ ସୃଷ୍ଟି ହୋଇଛି । ଆଜି ପୂର୍ବାହ୍ନରେ କଂଗ୍ରେସ ପକ୍ଷରୁ ଡକାଯାଇଥିବା ବିଧାୟକ ଦଳ ବୈଠକରେ ମଧ୍ୟ କେବଳ ୬୬ ଜଣ ପହଞ୍ଚିଥିଲେ, ୧୨ ଜଣ ବିଧାୟକ ଅନୁପସ୍ଥିତ ଥିଲେ । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଏହି ବିଧାୟକମାନେ ଏକ ଜରୁରୀ କାମରେ ବ୍ୟସ୍ତ ଥିବାରୁ ଆସିପାରିନାହାନ୍ତି ।

ତେବେ ନିଜର ସବୁ ବିଧାୟକ ସୁରକ୍ଷିତ ଥିବା କଂଗ୍ରେସ ଦାବି କରିଛି । ତେବେ ରାଜ୍ୟପାଳ ଏହି ଗଠବନ୍ଧନକୁ କୌଣସି ପ୍ରତିଶୃତି ଦେଇନଥିବା ଜଣାଯାଇଛି ।

ଅନ୍ୟପକ୍ଷରେ କଂଗ୍ରେସ ନିଜ ବିଧାୟକଙ୍କୁ କେରଳ କିମ୍ବା ଅନ୍ୟ କୌଣସି ଅଣ-ବିଜେପି ଶାସିତ ରାଜ୍ୟକୁ ପଠାଇ ସୁରକ୍ଷିତ ରଖିବାକୁ ଯୋଜନା କରିଛି । ସେହିପରି ଜେଡିଏସ ମଧ୍ୟ ନିଜର ସବୁ ବିଧାୟକ ଏକତ୍ରିତ ଥିବା ଦାବି କରିଛି । ବିଜେପି ତାଙ୍କ ବିଧାୟକଙ୍କୁ କିଣିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର