କ୍ରିଷ୍ଣା ସାଗର ଜଳାଶୟଠାରେ କର୍ଣ୍ଣାଟକ ସରକାର ନିର୍ମାଣ କରିବେ ୧୨୫ ଫୁଟ୍‌ ଉଚ୍ଚତା ବିଶିଷ୍ଟ ମାଆ କାବେରୀଙ୍କ ମୂର୍ତ୍ତି

ବେଙ୍ଗାଲୁର: କର୍ଣ୍ଣାଟକର ମଣ୍ଡ୍ୟା ଜିଲ୍ଲାରେ ଥିବା କ୍ରିଷ୍ଣା ସାଗର ଜଳାଶୟଠାରେ କର୍ଣ୍ଣାଟକ ସରକାର ମାଆ କାବେରୀଙ୍କର ୧୨୫ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏକ ମୂର୍ତ୍ତି ସ୍ଥାପନ କରିବାର ଯୋଜନା କରିଛନ୍ତି। ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଜଳାଶୟଠାରେ ଏକ ସଂଗ୍ରହାଳୟ ପରିସର ନିର୍ମାଣ କରାଯିବାର ମଧ୍ୟ ଯୋଜନା ରହିଛି। ଉକ୍ତ ସଂଗ୍ରହାଳୟ ପରିସରରେ ୩୬୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଦୁଇଟି କାଚ ଟାଓ୍ଵାର ତିଆରି କରାଯିବ।

ଏହା ବ୍ୟତୀତ ସେଠାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରାଇବା ସକାଶେ ଏକ ବ୍ୟାଣ୍ଡ୍‌ଷ୍ଟାଣ୍ଡ୍‌, ଏକ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ଏବଂ ଐତିହାସିକ ସ୍ମାରକୀ ବି ତିଆରି କରାଯିବ। ସମୁଦାୟ ପ୍ରକଳ୍ପର ମୂଲ୍ୟ ୧୨୦୦ କୋଟି ବୋଲି ଆକଳନ କରାଯାଇଛି।

ରାଜ୍ୟ ଜଳ ସମ୍ବଳ ମନ୍ତ୍ରୀ ଡିକେ ଶିବକୁମାର ଏବଂ ପର୍ଯ୍ୟଟନ ମନ୍ତ୍ରୀ ସା ରା ମହେଶଙ୍କ ମଧ୍ୟରେ ମଙ୍ଗଳବାର ଏକ ବୈଠକ ଆୟୋଜିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଡିକେ ଶିବକୁମାର ଗଣମାଧ୍ୟମରେ ବୟାନ ଦେଇ ଜଣାଇଛନ୍ତି ଯେ ଜଳାଶୟକୁ ଲାଗି ଏକ ନୂଆ ହ୍ରଦ ତିଆରି କରାଯିବ। ଯାହା ଫଳରେ ସବୁକିଛି ସମ୍ଭବ ହେବ।

ମାଆ କାବେରୀଙ୍କ ମୂର୍ତ୍ତି ସଂଗ୍ରାହଳୟ ପରିସରରେ ଥିବା ଦୁଇଟି କାଚ ଟାଓ୍ଵାରା ମଧ୍ୟରେ ରହିବ। ଏହାକୁ ଏକ ମୂର୍ତ୍ତି ନୁହେଁ, ବରଂ ଟାଓ୍ଵାର ବୋଲି କହିଲେ ବି ହେବ। ସରକାରୀ ଜାଗା ଏଥିପାଇଁ ସ୍ଥିର ହୋଇସାରିଲାଣି। ନିବେଶକାରୀମାନେ ଆସି ନିଜର ଅର୍ଥ ନିବେଶ କରନ୍ତୁ ବୋଲି ସେମାନଙ୍କୁ ସ୍ୱାଗତ କରାଯାଉଛି। ସରକାରୀ ଅର୍ଥ ବି ବ୍ୟବହାର କରାଯିବ। ଏହା ଏକ ପର୍ଯ୍ୟଟନସ୍ଥଳୀ ହେବ ବୋଲି ଶିବକୁମାର କହିଛନ୍ତି।

ସମ୍ବନ୍ଧିତ ଖବର