ଦୁର୍ବୃତ୍ତର ଛୁରା ମାଡରେ କର୍ଣ୍ଣାଟକର ଲୋକାୟୁକ୍ତ ଗୁରୁତର ଆହତ

ମୁମ୍ବାଇ: କର୍ଣ୍ଣାଟକ ଲୋକାୟୁକ୍ତ ବି ବିଶ୍ୱନାଥ ସେଟ୍ଟୀ ବୁଧବାର ଦୁର୍ବୃତ୍ତର ଛୁରାମାଡରେ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ବି ବିଶ୍ୱନାଥଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୁକ୍ତର ନାମ ତେଜସ ଶର୍ମା ବୋଲି ଜଣାପଡ଼ିଛି। ତେବେ ସେ କର୍ଣ୍ଣାଟକ ଲୋକାୟୁକ୍ତଙ୍କ ଉପରକୁ କାହିଁକି ଛୁରାମାଡ କରିଛି ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଆକ୍ରମଣକାରୀକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି।

ସୁଚନାଯୋଗ୍ୟ, ଲୋକାୟୁକ୍ତ ବିଚାରପତି ବି ବିଶ୍ୱନାଥ ସେଟ୍ଟୀ ନିଜ କାର୍ଯ୍ୟାଳୟରେ କାମ କରୁଥିଲେ। ଏହି ସମୟରେ ତାଙ୍କୁ ଦେଖା କରିବା ପାଇଁ ଜଣେ ବ୍ୟକ୍ତି ଆସିଥିଲା ଯାହାଙ୍କ ନାମ ତେଜସ ଶର୍ମା ବୋଲି କୁହାଯାଉଛି। ଏହି ବ୍ୟକ୍ତି ଜଣକ ବି ବିଶ୍ୱନାଥଙ୍କୁ ଭେଟି କିଛି ସମୟ କଥାବାର୍ତ୍ତା ହେବା ପରେ ତାଙ୍କ ଉପରକୁ ତିନିିଥର ଛୁରାମାଡ କରିଥିଲା। ଏହି ଛୁରାମାଡରେ ଲୋକାୟୁକ୍ତ ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ମାଲ୍ୟା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଆକ୍ରମଣକାରୀ ତେଜସ ଶର୍ମାକୁ ପଚରାଉଚରା ପାଇଁ ପୁଲିସ ହାଜତକୁ ନେଇଛି। ଏହି ଆକ୍ରମଣକାରୀ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରୁଜୁ ହୋଇଥିବା ନେଇ ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର