ଗଛରେ ଚଢ଼ୁଥିବା ବାଇକ ନିର୍ମାଣ କଲେ ଚାଷୀ, ତୋଳିହେବ ଗୁଆ,ନଡ଼ିଆ

ମାଙ୍ଗଲୋର: କର୍ଣ୍ଣାଟକ ମାଙ୍ଗଲୋରର ଜଣେ କୃଷକ ଏକ ନୂଆ ଯନ୍ତ୍ରର ନିର୍ମାଣ କରିଛନ୍ତି | ଗୁଆ ଓ ନଡ଼ିଆ ଗଛରେ ଚଢିବା ପାଇଁ ସେ ଏହି ଯନ୍ତ୍ରର ନିର୍ମାଣ କରିଛନ୍ତି | ଏହି ମେସିନ ଜରିଆରେ ଖୁବ ସୁବିଧାରେ ଜଣେ ଚାହିଁଲେ ଗଛରେ ଚଢ଼ିପାରିବ ଓ ଓହ୍ଲାଇପାରିବ | ଏହି ମେସିନ ଦ୍ୱାରା ଗଛରେ କୀଟନାଶକ ପ୍ରୟୋଗ ମଧ୍ୟ କରିହେବ | ସେହିପରି ସହଜରେ ବିନା କୌଣସି ବ୍ୟକ୍ତିଙ୍କ ସାହାଯ୍ୟରେ ଜଣେ ଚାଷୀ ଚାହିଁଲେ ନଡ଼ିଆ ଓ ଗୁଆ ତୋଳିପାରିବ |

Photo-ANI

ମାଙ୍ଗଲୋରର ଏହି ଚାଷୀ ଗଛରେ ଯନ୍ତ୍ର ସାହାଯ୍ୟରେ ଚଢ଼ୁଥିବାର ଦୃଶ୍ୟ ଭାଇରଲ ହେବା ପରେ ଏହି ଯନ୍ତ୍ର ବାବଦରେ ଜଣାପଡିଛି | ଏହି ମେସିନର ଓଜନ ୨୮ କିଲୋ ହୋଇଥିବାବେଳେ ଏଥିରେ ଟୁ ଷ୍ଟ୍ରୋକ ଇଂଜିନ ଲାଗିଛି | ସେହିପରି ଏହି ମେସିନରେ ବ୍ରେକ ମଧ୍ୟ ଲାଗିଛି | ଯାହାଫଳରେ ଗଛର ଗଣ୍ଡି ମଧ୍ୟରେ ରୋକିହେବ | ଏହି ଯନ୍ତ୍ରର କ୍ଷମତା ୮୦ କିଲୋ ଯାଏଁ ରହିଛି | ଅର୍ଥାତ ୮୦ କିଲୋ ଯାଏଁ ଓଜନ ଥିବା ବ୍ୟକ୍ତି ସହଜରେ ଏହି ମେସିନ ଦ୍ୱାରା ଗଛରେ ଚଢିବା ସହ ଓହ୍ଲାଇପାରିବ |

ବିଶେଷ କଥା ହେଉଛି ଯେ ମାତ୍ର ୩୦ ସେକେଣ୍ଡରେ ଜଣେ ଚାହିଁଲେ ଏହି ଯନ୍ତ୍ର ମାଧ୍ୟମରେ ଗଛରେ ଚଢ଼ିପାରିବ | ଜଣେ ବ୍ୟକ୍ତି ଗଛରେ ଚଢି କୀଟନାଶକ ପ୍ରୟୋଗ କରିବାକୁ ୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ | କିନ୍ତୁ ଏହି ମେସିନ ସାହାଯ୍ୟରେ ଜଣେ ଏକୁଟିଆ ବ୍ୟକ୍ତି ମଧ୍ୟ ଆରାମରେ ଗଛରେ ଚଢ଼ିପାରିବ |

ସମ୍ବନ୍ଧିତ ଖବର