ଇନୋଭା ଏକ ସାଧାରଣ ଗାଡ଼ି, ଏପରି ଗାଡ଼ି ଚଢିବା ମୋର ଅଭ୍ୟାସ ନାହିଁ, କର୍ଣ୍ଣାଟକର କଂଗ୍ରେସ ବିଧାୟକଙ୍କ ଦାବି

ବାଙ୍ଗାଲୁରୁ : କର୍ଣ୍ଣାଟକରେ ସରକାର ଗଠନ ନାଟକ ଶେଷ ହେବା ପରେ ମଧ୍ୟ ବିଧାୟକ ମାନଙ୍କ ନାଟକ ସରିନାହିଁ । ଜନସେବା ପାଇଁ ରାଜନୀତିକୁ ଆସିଥିବା କହୁଥିବା ନେତାମାନେ ପ୍ରକୃତରେ କେଉଁଥିପାଇଁ ଆସିଛନ୍ତି ତାହା ଜନସାଧାରଣଙ୍କୁ ଭଲଭାବେ ଜଣା । କିନ୍ତୁ କର୍ଣ୍ଣାଟକର ଜଣେ କଂଗ୍ରେସ ବିଧାୟକ ଖୋଲାଖୋଲି ଭାବେ ବିଭିନ୍ନ ସୁବିଧା ସୁଯୋଗ ମାଗିବା ବେଶ ଚର୍ଚ୍ଚାର ବିଷୟ ହୋଇଛି ।
ଏହି ବିଧାୟକଙ୍କ ନାଁ ହେଉଛି ଜମିର ଅହମଦ ଖାଁ । ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଟୟୋଟା ଇନୋଭା କାର ପ୍ରଦାନ କରାଯାଇଥିଲା । କିନ୍ତୁ ସେ ତାହାକୁ ନେବାକୁ ମନା କରିଦେଇଛନ୍ତି । ଇନୋଭା ଏକ ଛୋଟ ଧରଣର କାର । ଏପରି ଛୋଟମୋଟ ଗାଡି ଚଢିବା ତାଙ୍କର ଅଭ୍ୟାସ ନାହିଁ । ସେ ସବୁବେଳେ ବଡ଼ ଓ ଦାମୀ ଗାଡ଼ି ଚଢିଆସିଛନ୍ତି । ତାଙ୍କର ଏକ ଟୟୋଟା ଫର୍ଚୁନର ଗାଡି ଦରକାର ବୋଲି ସେ ରାଜ୍ୟର କାର୍ମିକ ଓ ପ୍ରାଶାସନିକ ସଂସ୍କାର ବିଭାଗକୁ ଜଣାଇଦେଇଛନ୍ତି । ବିଶେଷ କରି ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ଯେଉଁ ଫର୍ଚୁନରଟି ଚଢୁଥିଲେ ତାହା ଦିଆଯାଉ ବୋଲି ସେ ଦାବି କରିଛନ୍ତି । ଏହାକୁ ନେଇ ରାଜ୍ୟ ସରକାରଙ୍କ ଅକଲ ଗୁଡୁମ ହୋଇଯାଇଛି । କଂଗ୍ରେସ ନେତାମାନଙ୍କ ଦାବି ଅନେକ ପରିମାଣରେ ବଢିଯାଇଛି ବୋଲି ଜେଡିଏସର ଜଣେ ନେତା କହିଛନ୍ତି ।

ସମ୍ବନ୍ଧିତ ଖବର