କର୍ଣ୍ଣାଟକ ସଙ୍କଟ : ଆଜି ଦେଢ଼ଟା ସୁଦ୍ଧା ଆସ୍ଥା ଭୋଟ୍‌

ସମୟ ଧାର୍ଯ୍ୟ କଲେ ରାଜ୍ୟପାଳ, ବିଜେପି ବିଧାୟକଙ୍କ ରାତିସାରା ଧାରଣା

ବେଙ୍ଗାଲୁରୁ : କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ଭବିଷ୍ୟତ ନେଇ ଅନିଶ୍ଚିତତା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ କ୍ଷମତାରେ ରହିବେ କିମ୍ବା ଯିବେ ସେ ନେଇ ଆଜି (ଗୁରୁବାର) ମଧ୍ୟ ଗୃହରେ ଫଏସଲା ହୋଇପାରି ନାହିଁ। ବିଧାନସଭାରେ କୁମାରସ୍ବାମୀ ଆସ୍ଥା ପ୍ରସ୍ତାବ ଆଗତ କରିଥିଲେ, କିନ୍ତୁ ଏହା ଉପରେ ଭୋଟ୍‌ ଗ୍ରହଣ ହୋଇନାହିଁ। ହୁଇପ୍ ସଂପର୍କରେ ସୁପ୍ରିମ କୋର୍ଟଙ୍କ ଆଦେଶ ଏବଂ ଆଜି ହିଁ ଆସ୍ଥା ଭୋଟ୍ କରାଇବା ଲାଗି ରାଜ୍ୟପାଳଙ୍କ ପରାମର୍ଶକୁ ନେଇ ବିଧାନସଭ‌ାରେ ପ୍ରବଳ ହଙ୍ଗାମା ହୋଇଥିଲା। ରାଜ୍ୟପାଳଙ୍କ ହସ୍ତକ୍ଷେପରେ କ୍ଷୁବ୍ଧ ହୋଇ ବାଚସ୍ପତି ରାଜ୍ୟ ଆଡଭୋକେଟ ଜେନେରାଲଙ୍କ ସହିତ ବିଚାରବିମର୍ଶ କରିବା ପରେ ବିଧାନସଭାକୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି।

ତେବେ ଗୁରୁବାର ସନ୍ଧ୍ୟାରେ ରାଜ୍ୟପାଳ କଠୋର ଆଭିମୁଖ୍ୟ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ଶୁକ୍ରବାର ଦିନ ୧ଟା ୩୦ ସୁଦ୍ଧା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପତ୍ରରେ ସେ ଦର୍ଶାଇଛନ୍ତି ଯେ ଯାହା ଜଣାପଡ଼ୁଛି କୁମାରସ୍ବାମୀ ସରକାର ଗୃହର ଆସ୍ଥା ହରାଇଛନ୍ତି। କାରଣ କଂଗ୍ରେସ ଓ ଜେଡିଏସ୍‌ର ୧୫ ଜଣ ବିଧାୟକ ଇସ୍ତଫା ଦେଇଥିବା ବେଳେ ଦୁଇ ଜଣ ସ୍ବାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି। ୧୭ ଜଣ ବିଧାୟକ ବାହାରିବା ପରେ ସରକାର ପାଖରେ ସ୍ପଷ୍ଟ ବହୁମତ ନାହିଁ। ସରକାର ତିଷ୍ଠିବ‌ାକୁ ହେଲେ ଗୃହର ଆସ୍ଥା ରହିବା ଦରକାର ବୋଲି ରାଜ୍ୟପାଳ ଉଲ୍ଲେଖ କରିଛନ୍ତି। ତେଣୁ ଆଉ ବିଳମ୍ବ ନକରି କୁମାରସ୍ବାମୀ ଆସ୍ଥା ଭୋଟର ସମ୍ମୁଖୀନ ହୁଅନ୍ତୁ ବୋଲି ରାଜ୍ୟପାଳ କହିଛନ୍ତି।

ସୂଚନାଯୋଗ୍ୟ ଯେ ୧୯ ବିଧାୟକଙ୍କ ଅନୁପସ୍ଥିତିରେ ଗୁରୁବାର ଦିନ ବିଧାନସଭା ବୈଠକ ଆରମ୍ଭ ହୋଇଥିଲା। ଦିନ ସାରା ଆସ୍ଥା ‌ପ୍ରସ୍ତାବ ଉପରେ ବିତର୍କ ହୋଇଥିଲେ ମଧ୍ୟ ସନ୍ଧ୍ୟାରେ ଭୋଟ୍‌ ପାଇଁ ବାଚସ୍ପତି ରାଜି ହୋଇନଥିଲେ। ରାତି ୧୨ଟା ଭିତରେ ଏହି ପ୍ରକ୍ରିୟା ଶେଷ କରିବାକୁ ବିଜେପି ନେତା ୟେଦୁରପ୍ପା ଦୃଢ଼ ଦାବି କରିଥିଲେ। ବିଜେପିର କେତେକ ବିଧାୟକ ରାଜ୍ୟପାଳ ବଜୁଭାଇ ବାଲାଙ୍କୁ ଭେଟି ଆଜି ହିଁ ଭୋଟ୍ ସାରିବା ନିମନ୍ତେ ବାଚସ୍ପତିଙ୍କୁ ନିର୍ଦେଶ ଦେବାକୁ କହିଥିଲେ। ଏହାପରେ ରାଜ୍ୟପାଳ ଏଥିରେ ହସ୍ତକ୍ଷେପ କରି ଆଜି ହିଁ ଆସ୍ଥା ଭୋଟ୍‌ ପ୍ରକ୍ରିୟା ସାରିବାକୁ ବାଚସ୍ପତିଙ୍କୁ କହିଥିଲେ।

କିନ୍ତୁ କଂଗ୍ରେସ-ଜେଡିଏସ୍‌ ସଦସ୍ୟମାନେ ରାଜ୍ୟପାଳଙ୍କ ହସ୍ତକ୍ଷେପକୁ ସମ୍ବିଧାନ ବିରୋଧୀ ବୋଲି ଦର୍ଶାଇ ହଙ୍ଗାମା କରିଥିଲେ। ସେମାନେ କହିଥିଲେ‌ ଯେ ଗୃହ ଚାଲିଛି ଏବଂ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିବା ବେଳେ ରାଜ୍ୟପାଳ ଏଭଳି ପରାମର୍ଶ ଦେଇ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରିଛନ୍ତି। ଏହାଉପରେ ପ୍ରଥମେ ଆଲୋଚନା ହେଉ ବୋଲି ସେମାନେ ଦାବି କରିଥିଲେ। ଏହି ପ୍ରସଙ୍ଗରେ ବାଚସ୍ପତି ଆଡଭୋକେଟ ଜେନେରାଲଙ୍କୁ ଡାକି ବିଚାରବିମର୍ଶ କରିଥିଲେ। ଏହାପରେ ‌େସ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ଏହାପୂର୍ବରୁ କଂଗ୍ରେସ ବିଧାୟକ ଦଳର ନେତା ସିଦ୍ଧରମେୟା ହୁଇପ୍ ନେଇ ସୁପ୍ରିମ କୋର୍ଟ ରାୟର ବିରୋଧ କରିଥିଲେ। ସେ କହିଥିଲେ ଯେ ଦଳର ନେତା ହିସାବରେ ଯଦି ସେ ବିଦ୍ରୋହୀ ବିଧାୟକମାନଙ୍କୁ ହୁଇପ୍ ଜାରି କରିପାରିବେ ନାହିଁ, ତାହାହେଲେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହେବ। ତେଣୁ ସୁପ୍ରିମ କୋର୍ଟ କିମ୍ବା ବାଚସ୍ପତି ପ୍ରଥମେ ଏହା ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ। ସୁପ୍ରିମ କୋର୍ଟ ଗତକାଲି ତାଙ୍କ ମଧ୍ୟବର୍ତିକାଳୀନ ଆଦେଶରେ କହିଥିଲେ ଯେ ବିଧାୟକମାନଙ୍କ ଇସ୍ତଫା ଓ ଅଯୋଗ୍ୟ ଘୋଷଣା ସଂପର୍କରେ ବାଚସ୍ପତି ନିଷ୍ପତ୍ତି ନେଇପାରିବେ। କିନ୍ତୁ ବିଦ୍ରୋହୀ ବିଧାୟକମାନଙ୍କୁ ବିଧାନସଭା ଯିବ‌ାଲାଗି ବାଧ୍ୟ କରାଯାଇପାରିବ ନାହିଁ କିମ୍ବା ସେମାନଙ୍କୁ ହୁଇପ୍ ଜାରି କରାଯାଇପାରିବ ନାହିଁ।

ଏହାପରେ ବାଚସ୍ପତି ଗୃହକୁ ମୁଲତବୀ କରିବାରୁ ବିଜେପି ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବାଚସ୍ପତି ଆଜି ଆସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ କରାଇ ନଦେବା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଛି। ଆଜି ରାତି ସୁଦ୍ଧା ଆସ୍ଥା ଭୋଟ୍‌ ପ୍ରକ୍ରିୟା ସଂପନ୍ନ କରିବାରେ କୌଣସି ସମସ୍ୟା ନଥିଲା ଏବଂ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରି ବାଚସ୍ପତି ଯେଭଳି ଗୃହକୁ ମୁଲତବୀ ରଖିଲେ ତାହା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଧକ୍କା ବୋଲି ବିଜେପି ନେତା ବି.ଏସ୍‌. ୟେଦୁରପ୍ପା କହିଛନ୍ତି। ଆସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ ହୋଇନଥିବାରୁ ଏହାର ପ୍ରତିବାଦରେ ବିଜେପି ବିଧାୟକମାନେ ଗୃହରେ ଧାରଣା ଦେଇଛନ୍ତି। ରାତି ସାରା ବିଧାନସଭାରେ ଧାରଣା ଚାଲିବ ବୋଲି ୟେଦୁରପ୍ପା ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର