କର୍ଣ୍ଣାଟକ ସଙ୍କଟ: ରାଜ୍ୟପାଳ ବନାମ ବାଚସ୍ପତି

କାର୍ଯ୍ୟକାରୀ ହେଲାନି ରାଜ୍ୟପାଳଙ୍କ ନିର୍ଦେଶ, ସୁପ୍ରିମ୍‌ କୋର୍ଟ ଗଲେ କୁମାରସ୍ବାମୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍‌କୁ ନେଇ ଚାଲିଥିବା ରାଜନୈତିକ ଡ୍ରାମା ଆଜି ଦ୍ବିତୀୟ ଦିନରେ ବି ଜାରି ରହିଥିଲା। ରାଜ୍ୟପାଳ ବଜୁଭାଇ ବା‌ଲା ଆଜି ଅପରାହ୍ନ ସାଢ଼େ ୧ଟା ସୁଦ୍ଧା ଆସ୍ଥା ଭୋଟ୍‌ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବାଚସ୍ପତି ଏହାକୁ କାର୍ଯ୍ୟକାରୀ କରିନଥିଲେ। ଏହାପରେ ରାଜ୍ୟପାଳ ଦ୍ବିତୀୟ ବାର ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ପତ୍ର ଲେଖି ସନ୍ଧ୍ୟା ୬ଟା ସୁଦ୍ଧା ଆସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ କରିବାକୁ କହିଥିଲେ। ତେବେ କୁମାରସ୍ବାମୀ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଗ୍ରହଣ କରିନାହାନ୍ତି ଏବଂ ଏହାକୁ ଚ୍ୟାଲେଂଜ କରି ସୁପ୍ରିମ୍‌ କୋର୍ଟରେ ଆବେଦନ କରିଛନ୍ତି। ରାଜ୍ୟପାଳଙ୍କ ଏଭଳି ‘ପ୍ରେମପତ୍ର’ ତାଙ୍କୁ ବହୁତ ଦୁଃଖ ଦେଉଛି ଏବଂ ଏଥିରୁ ବାଚସ୍ପତି ତାଙ୍କୁ ଉଦ୍ଧାର କରିବା ଉଚିତ ବୋଲି ସେ କହିଥିଲେ। ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବାଚସ୍ପତି ସଂପୂର୍ଣ୍ଣ ଅଣଦେଖା କରି ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଆସ୍ଥା ଭୋଟ୍‌କୁ ନେଇ ରାଜ୍ୟପାଳ ଏବଂ ବାଚସ୍ପତିଙ୍କ ମଧ୍ୟରେ ଏଭଳି ମୁହାଁମୁହିଁ ସ୍ଥିତି ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିଛି।

ବିଧାନସଭାରେ ବିଦ୍ରୋହୀ ବିଧାୟକଙ୍କ ଅନୁପସ୍ଥିତି ଏବଂ ଏ ବାବଦରେ ଜୁଲାଇ ୧୭ରେ ସୁପ୍ରିମ୍‌ କୋର୍ଟ ରାୟକୁ ନେଇ ଆଜି ଗୃହରେ ଜୋର୍‌ଦାର ବିତର୍କ ହୋଇଥିଲା। ବିଦ୍ରୋହୀ ବିଧାୟକଙ୍କ ମାମଲାରେ ସୁପ୍ରିମ୍‌ କୋର୍ଟ ଯେଉଁ ରାୟ ଦେଇଛନ୍ତି ସେଥିରେ ସ୍ଥିତି ସ୍ପଷ୍ଟ ହୋଇନଥିବାରୁ ଏ ଦିଗରେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅଯଥା ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଛି ବୋଲି କୁମାରସ୍ବାମୀ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି। ଏହା ସହିତ ଆସ୍ଥା ଭୋଟ୍‌ କିଭଳି ପରିଚାଳିତ ହେବ ସେ ନେଇ ରାଜ୍ୟପାଳ କୌଣସି ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ମଧ୍ୟ ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି।
ଆସ୍ଥା ପ୍ରସ୍ତାବ ଉପରେ ମତଦାନ ସୋମବାର ଦିନ କରାଯିବାକୁ କୁମାରସ୍ବାମୀଙ୍କ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରି ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା ପରେ ବିଜେପି ଏହାର ଜୋର୍‌ଦାର ବିରୋଧ କରିଥିଲା। ସଂଖ୍ୟାଲଘୁ ସରକାର କେବଳ ଷଡ଼ଯନ୍ତ୍ର କରି କ୍ଷମତାରେ ରହିଥିବାରୁ ଏହାକୁ ଅଧିକ କାଳ ଚାଲିବାକୁ ଦିଆଯିବ ନାହିଁ ବୋଲି ବିଜେପି ନେତା ବି.ଏସ. ୟେଦୁରପ୍ପା କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଆଜି ବିଦ୍ରୋହୀ ବିଧାୟକଙ୍କ ମାମଲାରେ ପୁଣି ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ପ୍ରଦେଶ ଅଧ୍ୟକ୍ଷ ଦିନେଶ ଗୁଣ୍ଡୁରାଓ ଅଦାଲତରେ ମାମଲା ଦାଏର କରି ଉକ୍ତ ବିଧାୟକଙ୍କ କ୍ଷେତ୍ରରେ ଦଳୀୟ ହ୍ବିପ୍‌ ଲାଗୁ ହୋଇପାରିବ କି ନାହିଁ ତାହା ଅଦାଲତ ସ୍ପଷ୍ଟ କରିବାକୁ କହିଛନ୍ତି। ସୂଚନାଯୋଗ୍ୟ ସୁପ୍ରିମ୍‌ କୋର୍ଟ ତାଙ୍କ ପୂର୍ବ ଆଦେଶରେ କହିଥିଲେ ଯେ ଇସ୍ତଫା ଦେଇଥିବା ବିଧାୟକଙ୍କୁ ଗୃହ କାର୍ଯ୍ୟରେ ଭାଗ ନେବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଗୋଟିଏ ପଟେ କଂଗ୍ରେସ ନିଜର ୧୫ ବିଧାୟକଙ୍କ ମାମଲାରେ ଦ୍ବିତୀୟ ବାର ସୁପ୍ରିମ୍‌ କୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଅନ୍ୟପଟେ କୁମାରସ୍ବାମୀ ରାଜ୍ୟପାଳଙ୍କ ଆସ୍ଥା ଭୋଟ୍‌ ସଂପର୍କିତ ନିର୍ଦ୍ଦେଶ ଏବଂ ଅନୁପସ୍ଥିତ ବିଧାୟକଙ୍କ ମାମଲାରେ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି। ଏଭଳି ସ୍ଥିତିରେ ବିଧାନସଭା ଲମ୍ବା ଚାଲିବ ବୋଲି କଂଗ୍ରେସ ନେତା ସିଦ୍ଧରାମେୟା କହିଛନ୍ତି।

ଆସ୍ଥା ଭୋଟ୍‌କୁ ନେଇ କର୍ଣ୍ଣାଟକ ବିଧାନସଭାରେ ଅସ୍ବାଭାବିକ ସ୍ଥିତି ଉପୁଜିବାରୁ ଗୁରୁବାର ସନ୍ଧ୍ୟାରେ ରାଜ୍ୟପାଳ କଠୋର ଆଭିମୁଖ୍ୟ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ଶୁକ୍ରବାର ଦିନ ୧ଟା ୩୦ ସୁଦ୍ଧା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ଏହା କାର୍ଯ୍ୟକାରୀ ନହେବାରୁ ରାଜ୍ୟପାଳ ପୁଣି ପତ୍ର ଲେଖି ସନ୍ଧ୍ୟା ୬ଟା ସୁଦ୍ଧା ଏହି ପ୍ରକ୍ରିୟା ସାରିବାକୁ କହିଥିଲେ। ତେବେ ତାଙ୍କ ନିର୍ଦ୍ଦେଶକୁ ଏବେ ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଂଜ କରାଯାଇଥିବାରୁ ଏହି ସଙ୍କଟ ଆହୁରି ଜଟିଳ ହୋଇଛି। ସୂଚନାଯୋଗ୍ୟ କଂଗ୍ରେସ ଓ ଜେଡିଏସ୍‌ର ୧୫ ଜଣ ବିଧାୟକ ଇସ୍ତଫା ଦେଇଥିବା ବେଳେ ଦୁଇ ଜଣ ସ୍ବାଧୀନ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି। ୧୭ ଜଣ ବିଧାୟକ ବାହାରିବା ପରେ ସରକାରଙ୍କ ପାଖରେ ସ୍ପଷ୍ଟ ବହୁମତ ନାହିଁ। ସରକାର ତିଷ୍ଠିବ‌ାକୁ ହେଲେ ଗୃହର ଆସ୍ଥା ରହିବା ଦରକାର ବୋଲି ରାଜ୍ୟପାଳ ଉଲ୍ଲେଖ କରିଛନ୍ତି।

ବିଧାନସଭା ସୋମବାର ପର୍ଯ୍ୟନ୍ତ ମୁଲତବୀ
୧୫ ବିଧାୟକଙ୍କ ମାମଲାରେ କଂଗ୍ରେସ ପୁଣି ଅଦାଲତର ଦ୍ବାରସ୍ଥ

ଘଟଣାକ୍ରମ
କର୍ଣ୍ଣାଟକରେ ମେ’ ୨୦୧୮ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ମଧ୍ୟ ସଂଖ୍ୟା ଗରିଷ୍ଠତା ମିଳିନଥିଲା। ସରକାର ଗଠନ ପାଇଁ ୧୧୩ ଜଣ ବିଧାୟକଙ୍କ ସମର୍ଥନ କାହା ପାଖରେ ନଥିବାରୁ ୧୦୪ ଆସନ ଦଖଲ କରିଥିବା ଏକକ ସଂଖ୍ୟାଗରିଷ୍ଠ ଦଳ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିଥିଲେ । ବିଏସ୍‌ ୟେଦୁରପ୍ପାଙ୍କ ନେତୃତ୍ବରେ ସରକାର ଗଠନ ହୋଇଥିଲା। ତେବେ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ିଥିବା ଦୁଇ ଦଳ କଂଗ୍ରେସ ଏବଂ ଜେଡିଏସ୍‌ ହାତ ମିଳାଇବାରୁ ଏକ ନାଟକୀୟ ସ୍ଥିତିରେ ଆସ୍ଥା ଭୋଟ୍‌ ପୂର୍ବରୁ ମେ ୧୯ ତାରିଖରେ ୟେଦୁରପ୍ପା ଇସ୍ତଫା ଦେଇଥିଲେ। ଏହାପରେ ମାତ୍ର ୩୭ ଆସନ ହାସଲ କରିଥିବା ଜେଡିଏସ୍‌ ନେତା କୁମାରସ୍ବାମୀ କଂଗ୍ରେସ ସମର୍ଥନରେ ସରକାର ଗଢ଼ିଥିଲେ। ଏହି ସରକାର କ୍ଷମତାକୁ ଆସିବା ପରଠାରୁ ଲଗାତାର କଂଗ୍ରେସରେ ବିଦ୍ରୋହ ଦେଖିବାକୁ ମିଳିଥିଲା ଏବଂ ଏହି ସଙ୍କଟ ଏବେ ଜଟିଳ ରୂପ ନେଇଛି।
ଜୁଲାଇ ୧: କଂଗ୍ରେସର ଦୁଇ ଜଣ ବିଧାୟକ ଏକା ଦିନରେ ଇସ୍ତଫା ଦେଇଥିଲେ ଏବଂ ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ଯ୍ୟର ପ୍ରତିବାଦରେ ସେମାନେ ଏଭଳି କରିଥିବା ଦର୍ଶାଇଥିଲେ।
ଜୁଲାଇ ୬: ୯ ଜଣ କଂଗ୍ରେସ ବିଧାୟକ ଏବଂ ୩ ଜଣ ଜେଡିଏସ୍‌ ବିଧାୟକ ସେମାନଙ୍କ ପଦରୁ ଇସ୍ତଫା ପ୍ରଦାନ କଲେ। ସେମାନେ ବାଚସ୍ପତିଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହାକୁ ବାଚସ୍ପତି ଗ୍ରହଣ କରିନାହାନ୍ତି।
ଜୁଲାଇ ୭: ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସ-ଜେଡିଏସ୍‌ ସରକାରର ସଙ୍କଟ ବଢ଼ି ଯାଇଥିଲା ଏବଂ ଉଭୟ ଦଳ ଏଥିପାଇଁ ବିଜେପିକୁ ଦାୟୀ କରିଥିଲେ। ବିଜେପି ଅର୍ଥ ବଳରେ ବିଧାୟକଙ୍କୁ ଖରିଦ୍‌ କରିଥିବା ସେମାନେ ଅଭିଯୋଗ କରିଥିଲେ।
ଜୁଲାଇ ୮: ସରକାରରେ ମନ୍ତ୍ରୀ ଥିବା ଦୁଇ ଜଣ ସ୍ବାଧୀନ ବିଧାୟକ ଇସ୍ତଫା ଦେଲେ ଏବଂ ସେମାନେ ବିଜେପିକୁ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ।
ଜୁଲାଇ ୯: ବିଧାୟକଙ୍କ ଇସ୍ତଫା ସଠିକ୍‌ ପ୍ରକ୍ରିୟାରେ ଆସି ନାହିଁ ବୋଲି ବାଚସ୍ପତି କେ.ଆର୍‌ ରମେଶ କୁମାର ଘୋଷଣା କରିବା ପରେ ଏହାକୁ ନେଇ ବିବାଦ ଜୋର୍‌ ଧରିଥିଲା। ଇସ୍ତଫା ଦେଇଥିବା ବିଧାୟକମାନେ ମୁମ୍ବାଇରେ ଡେରା ପକାଇଥିବା ବେଳେ ପରବର୍ତ୍ତୀ ସମୟରେ ସେମାନେ ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଜୁଲାଇ ୧୨: ବିଧାୟକଙ୍କ ଇସ୍ତଫା ମାମଲାରେ ଜୁଲାଇ ୧୬ ପର୍ଯ୍ୟନ୍ତ ସ୍ଥିତାବସ୍ଥା କାଏମ ରଖିବାକୁ ବାଚସ୍ପତିଙ୍କୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଜୁଲାଇ ୧୭: ବିଧାୟକଙ୍କ ଇସ୍ତଫା ମାମଲାରେ ବାଚସ୍ପତି ନିଷ୍ପତ୍ତି ନେବାପାଇଁ କୌଣସି ସମୟ କଟକଣା ରହିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ କହିଥିଲେ। ତେବେ ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ଗୃହ କାର୍ଯ୍ୟରେ ଭାଗ ନେବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଥିଲେ।
ଜୁଲାଇ ୧୮: ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଗତ କରିଥିଲେ। କିନ୍ତୁ ଏହା ଉପରେ ଭୋଟ୍‌ ଗ୍ରହଣ କରିବା ନେଇ ବାଚସ୍ପତି ସମୟ ସ୍ଥିର କରୁ ନଥିବା ଯୋଗୁଁ ବିବାଦ ଆହୁରି ଜଟିଳ ହୋଇଛି।

ସମ୍ବନ୍ଧିତ ଖବର