ଗୋଟିଏ ଇଞ୍ଚ ଜମି ମହାରାଷ୍ଟ୍ରକୁ ଛଡ଼ାଯିବ ନାହିଁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରାପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକ ଓ ମହାରାଷ୍ଟ୍ର ସୀମାରେ ଥିବା ଜମିକୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହାକୁ ନେଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରାପ୍ପା ମୁହଁ ଖୋଲିଛନ୍ତି।

ସେ କହିଛନ୍ତି ଯେ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜନୈତିକ ଫାଇଦା ଉଠାଇବା ଲାଗି କର୍ଣ୍ଣାଟକର ବେଲଗାଭି ସୀମା ପ୍ରସଙ୍ଗକୁ ଉଠାଇଛନ୍ତି। ଉଦ୍ଧବ ଭ୍ରମ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଉଦ୍ଧବ ଠାକରେ ମରାଠୀ ଓ କନ୍ନଡ ଭାଷାଭାଷୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ବି କହିଛନ୍ତି ବିଏସ ୟେଦ୍ୟୁରାପ୍ପା । ଏହାକୁ ସେ ତୀବ୍ର ନିନ୍ଦା କରିଛନ୍ତି।

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସ୍ପଷ୍ଟଭାବେ କହିଛନ୍ତି ଯେ, ତାଙ୍କ ସରକାର ଗୋଟିଏ ଇଞ୍ଚ ଜମି ମହାରାଷ୍ଟ୍ରକୁ ଛାଡ଼ିବେ ନାହିଁ ।

ୟେଦ୍ୟୁରାପ୍ପା କହିଛନ୍ତି କି, ମହାଜନ ରିପୋର୍ଟରେ ହିଁ ନିର୍ଦ୍ଧାରିତ ହୋଇଯାଇଥିଲା ଯେ, ମହାରାଷ୍ଟ୍ର ପାଖରେ କ’ଣ ରହିବ ଏବଂ କର୍ଣ୍ଣାଟକ ପାଖରେ କ’ଣ ରହିବ । ସେ କର୍ଣ୍ଣାଟକର ଜନତାଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବା ଲାଗି ନିବେଦନ କରିଛନ୍ତି।

Image Source–jansatta

ସୂଚନାଯୋଗ୍ୟ, କର୍ଣ୍ଣାଟକର ବେଲଗାଭି ମହାରାଷ୍ଟ୍ରର ବୋଲି ଉଦ୍ଧବ ଠାକରେ ଦାବି କରିଛନ୍ତି। ଏହି ଜିଲ୍ଲାରେ ମରାଠୀ ଭାଷାଭାଷୀଙ୍କ ସଂଖ୍ୟା ଅଧିକ ହୋଇଥିବା ହେତୁ ଏହା ମହାରାଷ୍ଟ୍ରରେ ମଶିବା ଦରକାର ବୋଲି ଠାକରେ କହିଛନ୍ତି। ବେଲଗାଭି ଏବେ କର୍ଣ୍ଣାଟକରେ ଅଛି । ମହାରାଷ୍ଟ୍ର ସରକାରଙ୍କର ଏହି ନୂତନ ଦାବି ଉଠିବା ପରେ ଗତ ରବିବାରଠାରୁ ବେଲଗାଭିରୁ ମହାରାଷ୍ଟ୍ରର କୋହ୍ଲାପୁରକୁ ଚଳାଚଳ କରୁଥିବା ବସକୁ ବନ୍ଦ କରି ଦିଆଯାଇଛି ।

ସମ୍ବନ୍ଧିତ ଖବର