ଏକଜିଟ ପୋଲ୍ : କର୍ଣ୍ଣାଟକରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ, ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ନେବ ଜେଡିଏସ୍

ବାଙ୍ଗାଲୋର : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି । ଏହି ନିର୍ବାଚନ ଦେଶର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି । କର୍ଣ୍ଣାଟକ ପରି ଏକ ବଡ଼ ରାଜ୍ୟକୁ ନିଜ ହାତରେ ରଖିବାକୁ କଂଗ୍ରେସ ଚାହୁଁଥିବାବେଳେ ବିଜେପି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ମନୋବଳକୁ ଦୃଢ କରିବାକୁ ଚାହୁଁଛି । କର୍ଣ୍ଣାଟକର ୨୨୪ଟି ଆସନ ମଧ୍ୟରୁ ଆଜି ୨୨୨ଟିରେ ଭୋଟ ଗ୍ରହଣ ହୋଇଛି । ସଂଧ୍ୟା ୬ଟା ଭୋଟ ଗ୍ରହଣ ଶେଷ ହେବା ପରେ ବିଭିନ୍ନ ଚ୍ୟାନେଲ ପକ୍ଷରୁ ଏକଜିଟ୍‌ ପୋଲ ଫଳାଫଳ ପ୍ରକାଶ ପାଇଛି । ପ୍ରାୟ ଅଧିକାଂଶ ସଂସ୍ଥା ଝୁଲା ବିଧାନସଭା ସଂପର୍କରେ ପୂର୍ବାନୁମାନ କରିଛନ୍ତି ।

ଇଣ୍ଡିଆ ଟୁଡେ-ଆକ୍ସିସ ପକ୍ଷରୁ କଂଗ୍ରେସକୁ ୧୦୬ରୁ ୧୧୮ ସିଟ, ବିଜେପିକୁ ୭୯ ରୁ ୯୨ ସିଟ୍‌ ଓ ଜେଡିଏସ ୨୨ରୁ ୩୦ଟି ସିଟ ପାଇବ ବୋଲି ପୂର୍ବାନୁମାନ କରିଛି । ଅନ୍ୟପକ୍ଷରେ ଟାଇମ୍ସ ନାଓ କଂଗ୍ରେସକୁ ୯୦ରୁ ୧୦୩ ସିଟ, ବିଜେପିକୁ ୮୦ରୁ ୯୩ ସିଟ ଓ ଜେଡିଏସକୁ ୩୫ଟି ସିଟ ମିଳିବ ବୋଲି କହିଛି । ସେହିପରି ରିପବ୍ଲିକ ଟିଭି ବିଜେପିକୁ ୯୫ରୁ ୧୧୪ ସିଟ, କଂଗ୍ରେସକୁ ୭୩ରୁ ୮୨ ସିଟ ଓ ଜେଡିଏସକୁ ୩୨ରୁ ୪୩ ସିଟ ମିଳିବ ବୋଲି ପୂର୍ବାନୁମାନ କରିଛି ।

ଏହା ସ୍ପଷ୍ଟ କରୁଛି ଯେ କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହେବ ଓ ଭାରତୀୟ ଜନତା ପାର୍ଟି ତା’ପଛକୁ ରହିବ। ତେବେ ୩ୟ ସ୍ଥାନରେ ରହିବ ଜେଡିଏସ୍। ମାତ୍ର ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ନେବ ଜେଡିଏସ୍। କଂଗ୍ରେସ ହେଉକି ବିଜେପି, ସରକାର ଗଠନରେ ସେମାନେ ଜେଡିଏସ୍ ସହ ମେଣ୍ଟ କରିବାକୁ ଏକପ୍ରକାର ବାଧ୍ୟ ହେବେ।

ସମ୍ବନ୍ଧିତ ଖବର