ଆକ୍ରମଣ ପରେ କରତାରପୁର କରିଡର ପ୍ରକଳ୍ପ ନେଇ ଅନିଶ୍ଚିତତା

ଅମୃତସର : ପୁଲଵାମାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ଆତ୍ମଘାତୀ ଆକ୍ରମଣ ପରେ ସାରା ଭାରତରେ ପାକିସ୍ତାନ ପ୍ରତି ଆହୁରି ଘୃଣାଭାବ ଜାଗ୍ରତ ହେବା ସହ ବିଶ୍ବାସଘାତକ ପଡ଼ୋଶୀ ପାକିସ୍ତାନ ଉପରେ କଠୋର ପଦକ୍ଷେପ ନେବାକୁ ଦେଶବାସୀ ଚାହି ବସିଛନ୍ତି। ଏ ପରିପ୍ରେକ୍ଷୀରେ ପଞ୍ଜାବର ଡେରା ବାବା ନାନକ ସାହିବ ଏବଂ ପାକିସ୍ତାନର କରତାରପୁର ସ୍ଥିତ ଗୁରୁଦ୍ବାର ଦରବାର ସାହିବକୁ ଉଭୟ ଦେଶର ଶିଖ ସମ୍ପ୍ରଦାୟ ଶ୍ରଦ୍ଧାଳୁମାନଙ୍କ ଆତଯାତ ପାଇଁ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଏବଂ ପ୍ରସ୍ତାବିତ କରତାରପୁର ପ୍ରକଳ୍ପରେ ପ୍ରଶ୍ନବାଚୀ ଲାଗିଛି। ଏଣେ ପାକିସ୍ତାନକୁ ଦୃଢ଼ ହସ୍ତରେ ଉଚିତ ଜବାବ ଦେବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଦେଇଥିବା ଆହ୍ବାନ କରତାରପୁର ପ୍ରକଳ୍ପକୁ ଆହୁରି ଅନିଶ୍ଚିତତା ମଧ୍ୟକୁ ଠେଲିଦେଇଛି। କିଛି ଦିନ ଦିନ ତଳେ କରତାରପୁର ପ୍ରକଳ୍ୁପର ଶିଳାନ୍ୟାସରେ ଯୋଗଦେଇଥିବା କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରିଙ୍କ କହିବା କଥା, ଭାରତୀୟ ଶିଖମାନେ ପାକିସ୍ତାନର କରତାରପୁର ସହିବ ଗୁରୁଦ୍ବାର ଦର୍ଶନ କରିବା ପାଇଁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ଦୃଢ଼ ପରିକର। ମାତ୍ର ସାମ୍ପ୍ରତିକ ସ୍ଥିତିରେ ବାସ୍ତବତାକୁ ଅନୁଭବ କରି ତଦନୁସାରେ ପଦକ୍ଷେପ ନେବାର ସମୟ ଆସିଛି। ଅପରପକ୍ଷେ, ଭାରତ ମାଟିରେ କରତାରପୁର ପ୍ରକଳ୍ପର ଶିଳାନ୍ୟାସ ବେଳେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ ପାକିସ୍ତାନକୁ କୌଣସି ଅମାନବୀୟ ଘଟଣା ନ ରଚାଇବାକୁ ସତର୍କ କରିଥିଲେ। ଏଭଳି ସ୍ଥିତିରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଜଗାଇବା ପାଇଁ ଉଦ୍ଦିଷ୍ଟ କରତାରପୁର ପ୍ରକଳ୍ପର ଭାଗ୍ୟ ଅନ୍ଧକାରାଚ୍ଛନ୍ନ ହୋଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର