ଅଣ-ଆଇଏନ୍‌ଏକ୍ସ ମାମଲାରେ ସିବିଆଇ ତଦନ୍ତକୁ ଚାଲେଞ୍ଜ୍‌ କରି ସୁପ୍ରିମ୍‌ କୋର୍ଟରେ ଆବେଦନ କଲେ କାର୍ତ୍ତି ଚିଦାମ୍ବରମ୍‌

ନୂଆଦିଲ୍ଲୀ: ଏଫ୍‌ଆଇଆର୍‌ରେ ଉଲ୍ଲେଖ ନ ଥିବା ବିଷୟରେ ତଦନ୍ତ କରୁଥିବାରୁ କାର୍ତ୍ତି ଚିଦାମ୍ବରମ୍‌ ଆଜି ପ୍ରବର୍ତ୍ତନନ ନିର୍ଦେଶାଳୟ ଏବଂ ସିବିଆଇକୁ ଚାଲେଞ୍ଜ୍‌ କରି ସୁପ୍ରିମ୍‌ କୋର୍ଟରେ ଆବେଦନ କରିଛନ୍ତି। ସେମାନଙ୍କୁ କେବଳ ଆଇଏନ୍‌ଏକ୍ସ ମିଡିଆ କମ୍ପାନି ମାମଲାରେ ତଦନ୍ତ କରିବା ପାଇଁ ଅନୁମୋଦନ ପାଇଛନ୍ତି ବୋଲି କାର୍ତ୍ତି କହିଛନ୍ତି।

ସୁପ୍ରିମ୍‌ କୋର୍ଟରେ ନିଜର ରିଟ୍‌ ପିଟିସନ୍‌ରେ କାର୍ତ୍ତି କହିଛନ୍ତି ତଦନ୍ତକାରୀ ଏଜେନ୍‌ସିଙ୍କୁ ସେ ପୂର୍ଣ୍ଣ ସହଯୋଗ କରିଛନ୍ତି। କିନ୍ତୁ ସେମାନେ ଆଇଏନ୍‌ଏକ୍ସ ମିଡିଆରେ ବିନିଯୋଗ କରାଯାଇ ନ ଥିବା ବିଷୟରେ ତଦନ୍ତ କରୁଛନ୍ତି। ଗତ ବର୍ଷ ମେ ମାସରେ ସିବିଆଇ ଲଜ୍‌ କରିଥିବା ଏଫ୍‌ଆଇଆର୍‌ରେ ଉଲ୍ଲେଖ କରାଯାଇ ନ ଥିବା ମାମଲା ଭିତରକୁ ତାଙ୍କୁ ଟାଣି ନେବାକୁ ଇଡି ଓ ସିବିଆଇ ଚାହୁଁଛନ୍ତି।

କାର୍ତ୍ତିଙ୍କ ବାପା ଚିଦାମ୍ବରମ୍‌ ମଧ୍ୟ ସେ ଭଳି ଏକ ରିଟ୍‌ ପିଟିସନ୍‌ ଦାଏର କରିଛନ୍ତି। ସେଥିରେ ସେ ନିଜ ଗୋପନୀୟତା ଅଧିକାର ଏବଂ ସମ୍ମାନର ସହ ନିଜ ପରିବାର ବର୍ଗଙ୍କ ସହ ବାସ କରିବା ପାଇଁ ସୁରକ୍ଷା ଚାହିଁଛନ୍ତି।

ଗତ ସପ୍ତାହରେ ଇଂଲଣ୍ଡରୁ ଫେରି ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିବା ପରେ ୪୬ ବର୍ଷିୟ କାର୍ତ୍ତିଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର