ଆଇଏନଏକ୍ସ ମିଡିଆ ଲାଞ୍ଚ ମାମଲା: ଇନ୍ଦ୍ରାଣୀ ଓ ପିଟର ମୁଖାର୍ଜୀଙ୍କ ସହ ମୁହାଁମୁହିଁ ଜେରା ପାଇଁ କାର୍ତିଙ୍କୁ ମୁମ୍ବାଇ ନେଲା ସିବିଆଇ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଲାଞ୍ଚ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ଆଜି ମୁମ୍ବାଇ ନେଇଛି ସିବିଆଇ। ଏହି ଘଟଣାର ତଦନ୍ତ କରୁଥିବା ସିବିିଆଇର ଅଧିକାରୀମାନେ ଗତ ତିନିଦିନ ହେବ କାର୍ତ୍ତିଙ୍କୁ ଜେରା ଚଳାଇଥିଲେ। ପରେ ସିବିଆଇ ତଦନ୍ତକାରୀ ଆଜି ତାଙ୍କୁ ମୁମ୍ବାଇର ଭାୟକୁଲା ଜେଲକୁ ନେଇଥିବା ଜଣାପଡ଼ିଛି।

ଆଇଏନଏକ୍ସ ମିଡିଆର ସତ୍ତ୍ୱାଧିକାରୀ ଇନ୍ଦ୍ରାଣୀ ମୁଖାର୍ଜୀ ଓ ତାଙ୍କ ପିଟର ମୁଖାର୍ଜୀ ଏବେ ସେମାନଙ୍କ ଝିଅ ସୀନା ବୋରା ହତ୍ୟା ମାମଲାରେ ଅଭିଯୁକ୍ତ ଥାଇ ମୁମ୍ବାଇର ଭାୟକୁଲା ଜେଲରେ ବନ୍ଦୀ ଥିବାରୁ କାର୍ତ୍ତିଙ୍କୁ ସେଠାକୁ ନିଆଯାଇଛି। ସେଠାରେ ଇନ୍ଦ୍ରାଣୀ ଓ ପିଟର ମୁଖାର୍ଜୀଙ୍କ ସହ କାର୍ତିଙ୍କୁ ମୁହାଁମୁହିଁ ଜେରା କରିବ ସିବିଆଇ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ଗତ ଫେବ୍ରୁଆରି ୨୮ ତାରିଖରେ ସିବିଆଇ ଗିରଫ କରିଥିଲା। ଆଇଏନଏକ୍ସ ମିଡିଆ ଲାଞ୍ଚ ମାମଲାରେ ଆଇଏନଏକ୍ସ ମିଡିଆର ସତ୍ତ୍ୱାଧିକାରୀ ଇନ୍ଦ୍ରାଣୀ ମୁଖାର୍ଜୀ ଅଭିଯୋଗ କରି କହିଥିଲେ ଯେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ନିର୍ଦ୍ଦେଶ କ୍ରମେ ସେ ୭ ଲକ୍ଷ ଆମେରିକୀୟ ଡଲାର କାର୍ତ୍ତିଙ୍କୁ ପ୍ରଦାନ କରିଥିଲେ। ତେଣୁ, ଏବେ ଏହି ମାମଲାରେ ଇନ୍ଦ୍ରାଣୀ ଓ ପିଟର ମୁଖାର୍ଜୀଙ୍କ ସହ କାର୍ତିଙ୍କୁ ମୁହାଁମୁହିଁ ଜେରା କରିବା ପାଇଁ ସିବିଆଇ ତାଙ୍କୁ ମୁମ୍ବାଇ ନେଇଛି।

 

ସମ୍ବନ୍ଧିତ ଖବର