କାର୍ତ୍ତି ଚିଦାମ୍ବରମଙ୍କୁ ୫ ଦିନିଆ ସିବିଆଇ ରିମାଣ୍ଡ

ନୂଆଦିଲ୍ଲୀ : ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ୫ ଦିନ ପାଇଁ ସିବିଆଇ ହାଜତକୁ ପଠାଇଦିଆଯାଇଛି । ସ୍ୱତନ୍ତ୍ର ସିବିଆଇ ଜଜ୍‌ ସୁନୀଲ ରାନା ମାର୍ଚ୍ଚ ୬ ପର୍ଯ୍ୟନ୍ତ ତାଙ୍କୁ ସିବିଆଇ ହାଜତକୁ ପଠାଇଦେଇଛନ୍ତି । କାର୍ତ୍ତିଙ୍କ ଓକିଲ ତାଙ୍କୁ ସକାଳେ ଓ ସଂଧ୍ୟାରେ ଏକ ଘଣ୍ଟା ଲେଖାଏଁ ଭେଟି ପାରିବେ । ଏ ନେଇ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଏହାଛଡ଼ା ସେ ପ୍ରେସକ୍ରିପସନ ସହ ଔଷଧ ରଖିପାରିବେ । ମାତ୍ର ସେ ଘରଖାଦ୍ୟ ଖାଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା ସିବିଆଇ କହିଛି ।

ଆଇଏନଏକ୍ସ ମିଡିଆର ପ୍ରମୋଟର ପିଟର ମୁଖାର୍ଜୀ ଓ ଇନ୍ଦ୍ରାଣୀ ମୁଖାର୍ଜି ଙ୍କ ବୟାନ ଭିତ୍ତିରେ ତାଙ୍କୁ ସିବିଆଇ ଗିରଫ କରିଛି । ୨୦୦୭ ମସିହାରେ ଆଇଏନ୍ଏକ୍ସ ମିଡିଆ ଦ୍ୱାରା ବିଦେଶୀ ପ୍ରତ୍ୟକ୍ଷ ପୁଂଜି ନିବେଶରେ ଅନିୟମିତତା ମାମଲାରେ କାର୍ତ୍ତି ସଂପୃକ୍ତ ଥିବା ପ୍ରମାଣ ମିଳିଥିଲା। ସିବିଆଇର ତଥ୍ୟ ମୁତାବକ କାର୍ତ୍ତିଙ୍କ ପିତା ଅର୍ଥମନ୍ତ୍ରୀ ଥିବାବେଳେ ସେ ଅର୍ଥ ମନ୍ତ୍ରାଳୟରେ ନିଜ ପ୍ରଭାବ ବିସ୍ତାର କରି ଆଇଏନ୍ଏକ୍ସ ମିଡିଆକୁ ୩ଟି ମରିସସ୍ ନିବେଶକଙ୍କଠାରୁ ବିଦେଶୀ ପୁଂଜି ମଞ୍ଜୁର କରାଇବାରେ ସାହାଯ୍ୟ କରିଥିଲେ। କାର୍ତ୍ତି ଏହି ମାମଲାରେ ଲାଞ୍ଚ ଗ୍ରହଣ କରିଥିବା ପ୍ରମାଣ ମିଳିଥିବା ସିବିଆଇ ଦାବି କରିଛି ।

ସମ୍ବନ୍ଧିତ ଖବର