ଚିର ନିଦ୍ରାରେ କରୁଣାନିଧି, ଶେଷ ଠିକଣା ମରିନା ବିଚ୍‌

ଗୁରୁ ଓ ଶତ୍ରୁଙ୍କ ସମାଧି ମଝିରେ କବର ଦିଆଗଲା

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ଶେଷ ଠିକଣା ଚେନ୍ନାଇର ମରିନା ବିଚ୍‌। ଏହିଠାରେ ହିଁ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ମାଡ୍ରାସ୍‌ ହାଇକୋର୍ଟଙ୍କ ରାୟ ପରେ ଅନ୍ତିମ ସଂସ୍କାର ନେଇ ରହିଥିବା ସମସ୍ତ ବିବାଦର ଅନ୍ତ ଘଟିଥିଲା। ମରିନା ବିଚ୍‌ ମଧ୍ୟରେ ଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କରୁଣାନିଧିଙ୍କ ରାଜନୈତିକ ଗୁରୁ ସି ଏନ୍‌ ଆନ୍ନାଦୁରାଇଙ୍କ ସମାଧି ନିକଟରେ କରୁଣାନିଧିଙ୍କୁ କବର ଦିଆଯାଇଛି। କରୁଣାନିଧିଙ୍କ କବରର ଗୋଟିଏ ପାର୍ଶ୍ୱରେ ଆନ୍ନାଙ୍କ ସମାଧି ଓ ଅନ୍ୟ ପାର୍ଶ୍ୱରେ ତାଙ୍କର ରାଜନୈତିକ ଶତ୍ରୁ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସମାଧି ରହିଛି। କରୁଣାନିଧିଙ୍କ ଦେହାନ୍ତ ପରେ ମରିନା ବିଚ୍‌ରେ ଶବସତ୍କାର କରାଯିବ ବୋଲି ତାଙ୍କ ପରିବାର ଓ ଡିଏମ୍‌କେ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇ ନଥିଲେ। ଫଳରେ ଘଟଣା ବିବାଦୀୟ ହୋଇପଡ଼ିଥିଲା। ଏହାପରେ ଡିଏମ୍‌କେ ନେତାମାନେ ଗତକାଲି ରାତାରାତି ମାଡ୍ରାସ୍‌ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଏଚ୍‌ ଜି ରମେଶଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ। ଏହାପରେ ମୁଖ୍ୟ ବିଚାରପତି ଏବଂ ଅନ୍ୟ ବିଚାରପତିମାନେ ହାଇକୋର୍ଟରେ ପହଞ୍ଚି ରାତାରାତି ଶୁଣାଣି ଆରମ୍ଭ କରିଥିଲେ। ତେବେ ଆଜି ହାଇକୋର୍ଟ ଏଆଇଏଡିଏମ୍‌କେ ସରକାର ଓ ଡିଏମ୍‌କେର ସମସ୍ତ ଯୁକ୍ତି ଶୁଣିବା ପରେ ମରିନା ବିଚ୍‌ରେ ହିଁ କରୁଣାନିଧିଙ୍କ ମୃତଦେହକୁ ସମାଧି ଦିଆଯିବ ବୋଲି କହିଥିଲେ। ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ୍‌ କରି ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। କିନ୍ତୁ ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ରାୟ କାଏମ୍‌ ରଖିଥିଲେ।

ଉଲ୍ଲେଖଯୋଗ୍ୟ, ମରିନା ବିଚ୍‌ରେ କରୁଣାନିଧିଙ୍କୁ ଜାଗା ଦେବା ପାଇଁ ବିଭିନ୍ନ ମହଲ ଦୃଢ଼ ଯୁକ୍ତି ଦର୍ଶାଇଥିଲେ। ହାଇକୋର୍ଟ ଶେଷରେ ଡିଏମ୍‌କେ ଆବେଦନକୁ ଗ୍ରହଣ କରି ମରିନା ବିଚ୍‌ରେ ହିଁ କରୁଣାନିଧିଙ୍କ ଶବକୁ ସମାଧି ଦିଆଯିବ ବୋଲି କହିଥିଲେ। ଏହା ଡିଏମ୍‌୍‌କେ ପାଇଁ ଏକ ନୈତିକ ବିଜୟ ସାବ୍ୟସ୍ତ ହୋଇଛି।

ସମ୍ବନ୍ଧିତ ଖବର