କରୁଣାନିଧିଙ୍କୁ ଅଶ୍ରୁଳ ବିଦାୟ : ଆନ୍ନାଙ୍କ ସମାଧି ପାର୍ଶ୍ୱରେ ଦିଆଗଲା କବର

ଚେନ୍ନାଇ : ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ (ଦ୍ରାବିଡ଼ ମୁନ୍ନେତ୍ର କାଝଗମ୍‌) ସୁପ୍ରିମୋ ଏମ୍‌ କରୁଣାନିଧିଙ୍କୁ ଆଜି ରାଷ୍ଟ୍ରୀୟ ସମ୍ମାନ ସହିତ ଅନ୍ତିମ ବିଦାୟ ଦିଆଯାଇଛି। ଜୀବନର ଅର୍ଦ୍ଧାଧିକ ସମୟ ଲୋକଙ୍କ ପାଇଁ ଅବିଶ୍ରାନ୍ତ କାର୍ଯ୍ୟ କରି ଦ୍ରାବିଡ଼ ରାଜନୀତିର ଏହି କର୍ଣ୍ଣଧାର ଆଜି ଚେନ୍ନାଇର ମରିନା ବିଚ୍‌ରେ ଶେଷ ବିଶ୍ରାମ ନେଇଛନ୍ତି। ପରିଜନ ଏବଂ ସମର୍ଥକଙ୍କ ଲୁହ ଓ କୋହ ମଧ୍ୟରେ ଏହି ଦ୍ରାବିଡ଼ ଯୋଦ୍ଧାଙ୍କୁ ସମାଧି ଦିଆଯାଇଛି। ଦୀର୍ଘଦିନ ଧରି ମୂତ୍ରାଶୟଜନିତ ରୋଗରେ ପୀଡ଼ିତ ହେବା ପରେ ଗତାକାଲି ସଂଧ୍ୟାରେ କାବେରୀ ହସ୍ପିଟାଲ୍‌ରେ ସେ ୯୪ ବର୍ଷ ବୟସରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ।

ଆଜି କରୁଣାନିଧିଙ୍କ ମରଶରୀରକୁ ଚେନ୍ନାଇର ରାଜାଜୀ ହଲ୍‌କୁ ନିଆଯାଇଥିଲା। ପୂର୍ବରୁ ସେଠାରେ ଅପେକ୍ଷା କରିଥିବା ହଜାର ହଜାର ଲୋକ କରୁଣାନିଧିଙ୍କ ମରଶରୀରକୁ ଦେଖିବା ପରେ ଧୈର୍ଯ୍ୟହରା ହୋଇପଡ଼ିଥିଲେ। ସମସ୍ତଙ୍କ ଆଖିରେ ଲୁହ ଥିଲା ଓ ପ୍ରିୟ ନେତାଙ୍କ ଟିକିଏ ଝଲକ ପାଇବାକୁ ସମସ୍ତେ ବ୍ୟାକୁଳ ହୋଇଉଠିଥିଲେ। ସେଠାରୁ ହିଁ ତାଙ୍କର ଶେଷ ଯାତ୍ରା ଆରମ୍ଭ ହୋଇଥିଲା। ଏକ ବିରାଟ ଶୋଭାଯାତ୍ରାରେ ତାଙ୍କୁ ମରିନା ବିଚ୍‌ ନିଆଯାଇଥିଲା। ରାଜାଜୀ ହଲ୍‌ଠାରୁ ମରିନା ବିଚ୍‌କୁ ଲାଗିଥିବା ରାସ୍ତା ଜନସମୁଦ୍ର ପାଲଟିଯାଇଥିଲା। ଯୋଜନା ମୁତାବକ ଅପରାହ୍ନ ୪ଟାରେ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସଂଧ୍ୟା ସୁଦ୍ଧା କରୁଣାନିଧିଙ୍କୁ ତାଙ୍କ ମାର୍ଗଦର୍ଶକ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସି ଏନ୍‌ ଆନ୍ନାଦୁରାଇଙ୍କ ସମାଧିସ୍ଥଳ ନିକଟରେ କବର ଦିଆଯାଇଥିଲା।

ରାଜାଜୀ ହଲ୍‌ରେ ଆଜି କରୁଣାନିଧିଙ୍କ ଅନ୍ତିମ ଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାଇଥିଲେ। ସେଠାରେ ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଟ୍ଵିଟ୍‌ କରି ମୋଦୀ କହିଥିଲେ, ପରଲୋକ ସତ୍ତ୍ୱେ କଲାଇନାର କରୁଣାନିଧି ଲକ୍ଷ ଲକ୍ଷ ଲୋକଙ୍କ ହଦୃୟରେ ଅମର ହୋଇରହିବେ। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କରୁଣାନିଧିଙ୍କ ଅନ୍ତିମ ଦର୍ଶନ ପାଇଁ ଆଜି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌, ତାମିଲନାଡୁ ରାଜ୍ୟପାଳ ବନଓ୍ଵାରି ଲାଲ ପୁରୋହିତ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ଓ ରାଜ୍ୟପାଳ ପି ସଦାଶିବମ୍‌, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ ନେତା ଗୁଲାମନବୀ ଆଜାଦ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ, ପୂର୍ବତନ କେରଳ ମୁଖ୍ୟମନ୍ତ୍ରୀ ଉମେନ୍‌ ଚାଣ୍ଡି, ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବୀରାପ୍ପା ମୋଇଲି, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ କରୁଣାନିଧିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର