କଶ୍ମୀର ପ୍ରସଙ୍ଗରେ ଆଲୋଚନାକୁ ସରକାର ରାଜି

ସବୁ ପକ୍ଷ ସହ କରିବେ ଆଲୋଚନା:ଆଇବିର ପ୍ରାକ୍ତନ ମୁଖ୍ୟ ସାଜିବେ ମଧ୍ୟସ୍ଥି

ନୂଆଦିଲ୍ଲୀ : କଶ୍ମୀର ପ୍ରସଙ୍ଗରେ ସରକାର ନିରନ୍ତର ଆଲୋଚନା ଆରମ୍ଭ କରିବେ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଘୋଷଣା କରିଛନ୍ତ। ଦୀର୍ଘ ତିନି ଦଶନ୍ଧି ଧରି ହିଂସା ଉପଦ୍ରୁତ କଶ୍ମୀରରେ ନିର୍ବାଚିତ ଜନପ୍ରତିନିଧି, ରାଜନୈତିକ ଦଳ ଏବଂ ବିଭିନ୍ନ ସଂଗଠନ ସହ ଆଲୋଚନା ଜାରି ରଖିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ର ପୂର୍ବତନ ନିର୍ଦ୍ଦେଶକ ଦିନେଶ୍ୱର ଶର୍ମାଙ୍କୁ ନିଯୁକ୍ତି ଦିଆଯାଇଛି।
ଗତ ଡିସେମ୍ବରରେ ଆଇବି ନିର୍ଦ୍ଦେଶକ ଭାବେ ଅବସର ନେଇଥିବା ୬୩ ବର୍ଷୀୟ ଦିନେଶ୍ୱର ଜମ୍ମୁ କଶ୍ମୀରରେ ଲୋକମାନଙ୍କର ସମସ୍ୟା ବୁଝିବା ସହ ସବୁ ପକ୍ଷଙ୍କ ସହ ଆଲୋଚନା କରିବେ। ଗତ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍‌ବୋଧନ ‘ଗୁଳିରେ ନୁହେଁ କି ଗାଳିରେ ନୁହେଁ, ଆଲିଙ୍ଗନ ଦ୍ୱାରା ହିଁ କଶ୍ମୀର ସମସ୍ୟାର ସମାଧାନ ହୋଇପାରିବ’ର ପ୍ରାସଙ୍ଗିକତା ଯଥେଷ୍ଟ ରହିଛି ବୋଲି ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ତାହାକୁ ଗୁରୁତ୍ୱ ଦେଇ କେନ୍ଦ୍ରର ଏହି ପଦକ୍ଷେପ କଶ୍ମୀରରେ ଶାନ୍ତି ଫେରାଇ ଆଣିବାରେ ସହାୟକ ହେବ ବୋଲି ସେ ଆଶାବାଦୀ ଅଛନ୍ତି। ୧୯୭୯ ବ୍ୟାଚ୍‌ର ଆଇଏସ୍‌ ଅଧିକାରୀ ଶ୍ରୀ ଶର୍ମା ଆସନ୍ତା ସପ୍ତାହେ କି ଦୁଇ ସପ୍ତାହ ଭିତରେ କଶ୍ମୀର ଗସ୍ତ କରି ତାଙ୍କ ଯୋଜନାର ରୂପରେଖ ସ୍ପଷ୍ଟ କରିବେ। ଅବଶ୍ୟ ଏଥିପାଇଁ ତାଙ୍କୁ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇନାହିଁ କି କେଉଁମାନଙ୍କ ସହ ସେ ଆଲୋଚନା କରିବେ ସେ ନେଇ ମଧ୍ୟ କୌଣସି କଟକଣା କରାଯାଇନାହିଁ। ଏକଦା କଶ୍ମୀରରେ ସିଆର୍‌ପିଏଫ୍‌ର ଆଇଜି ଭାବେ ଅବସ୍ଥାପିତ ଥିବା ଶ୍ରୀ ଶର୍ମା ସ୍ୱାଧୀନ ଭାବରେ ତାଙ୍କ ପ୍ରକ୍ରିୟା ଆରମ୍ଭ କରିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର