କଶ୍ମୀରକୁ ନେଇ ରାଜନୀତି ତେଜିଲା

ଧାରା ୩୭୦ ଉଚ୍ଛେଦ ହେଲେ କଶ୍ମୀର ଭାରତରୁ ବିଚ୍ଛିନ୍ନ ହେବ: ମେହବୁବା :ରାହୁଲ ସ୍ଥିତି ସ୍ପଷ୍ଟ କରନ୍ତୁ: ଅମିତ ଶାହ ଡେରାଡୁନ, ୩/୪:

ଶ୍ରୀନଗର,: ଧାରା ୩୭୦ କିମ୍ବା ୩୫-ଏ ଉଚ୍ଛେଦ ହେଲେ ଜମ୍ମୁ କଶ୍ମୀର ଭାରତଠାରୁ ବିଚ୍ଛିନ୍ନ ହୋଇଯିବ ଏବଂ ଭାରତ ଜମ୍ମୁ କଶ୍ମୀର ଉପରୁ ନିୟନ୍ତ୍ରଣ ହରାଇବ ବୋଲି ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପିଡିପି ସୁପ୍ରିମୋ ମେହବୁବା ମୁଫ୍‌ତି କହିଛନ୍ତି। ଲୋକସଭା ନିର୍ବାଚନ ପାଇଁ ଆଜି ନିଜ ପ୍ରାର୍ଥିପତ୍ର ଦାଖଲ କଲା ପରେ ମେହବୁବା ଏଭଳି ବିବାଦୀୟ ବୟାନ ଦେଇଛନ୍ତି। ଜମ୍ମୁ କଶ୍ମୀର ଯେଉଁ ସର୍ତ୍ତରେ ଭାରତ ସହ ମିଶ୍ରଣ ହୋଇଥିଲା ସେହି ସର୍ତ୍ତ ଉପରେ ଆକ୍ରମଣ ହେଲେ ଆମେ ଭାରତଠାରୁ ସଂପର୍କ ଛିନ୍ନ କରିବୁ ବୋଲି ମେହବୁବା ଧମକାଇଛନ୍ତି।
ବିଜେପି ଅଧ୍ୟକ୍ଷ ଅମିତ ଶାହ ନିକଟରେ ଏକ ବୟାନରେ କହିଥିଲେ ଯେ ୨୦୨୦ ସୁଦ୍ଧା ଧାରା ୩୭୦ ଏବଂ ଧାରା ୩୫ଏକୁ ଶେଷ କରିଦିଆଯିବ। ଶାହଙ୍କ ବୟାନର ଜବାବ ଦେଇ ଆଜି ମେହବୁବା କଶ୍ମୀରକୁ ଭାରତରୁ ଅଲଗା କରିଦେବାକୁ ଚେତାବନୀ ଦେଇଥିବାରୁ ଏହାକୁ ନେଇ ଜମ୍ମୁ କଶ୍ମୀର ରାଜନୀତି ସରଗରମ ହୋଇଉଠିଛି। କଂଗ୍ରେସର ଇସ୍ତାହାରରେ ସେନାକୁ ମିଳିଥିବା ସ୍ବତନ୍ତ୍ର କ୍ଷମତା (ଏଏଫ୍‌ଏସ୍‌ପିଏ )କୁ ନେଇ ପୁନର୍ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବାରୁ ଏ ବାବଦରେ ମେହବୁବା କହିଛନ୍ତି ଯେ ତାଙ୍କ ପିତା ମୁଫ୍‌ତି ମହମ୍ମଦ ସୟିଦ ବିଜେପି ସହିତ ମେଣ୍ଟ କଲାବେଳେ ଏହି ପ୍ରସଙ୍ଗ ଉତ୍‌ଥାପନ କରିଥିଲେ।

ରାହୁଲ ସ୍ଥିତି ସ୍ପଷ୍ଟ କରନ୍ତୁ: ଅମିତ ଶାହ
ଡେରାଡୁନ: କଂଗ୍ରେସର ସହଯୋଗୀ ଦଳ ନ୍ୟାସନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲା ଜମ୍ମୁ କଶ୍ମୀର ପାଇଁ ପୃଥକ ପ୍ରଧାନମନ୍ତ୍ରୀ ବ୍ୟବସ୍ଥା ଦାବି କରୁଥିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏ ବାବଦରେ ସ୍ଥିତି ସ୍ପଷ୍ଟ କରନ୍ତୁ ବୋଲି ବିଜେପି ସଭାପତି ଅମିତ ଶାହ କହିଛନ୍ତି। ଆଜି ଡେରାଡୁନ୍‌ରେ ଏକ ନିର୍ବାଚନୀ ସଭାରେ ଶାହ କହିଛନ୍ତି ଯେ ପାକିସ୍ତାନକୁ ସୁହାଇଲା ଭଳି ବୟାନ ଦେଇ ଏନ୍‌ସି ନେତାମାନେ ଯେଭଳି ଶସ୍ତା ରାଜନୀତି କରୁଛନ୍ତି ତାହା ଦେଶପାଇଁ ବିପଦ। ଏହାର ସହଯୋଗୀ ଦଳ ଭାବେ କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ଶାହ କହିଛନ୍ତି।

ପୃଥକ୍‌ ପ୍ରଧାନମନ୍ତ୍ରୀ ପ୍ରସଙ୍ଗ ଦୋହରାଇଲେ ଓମାର

ବାଜପେୟୀଙ୍କ ସମୟରେ ବି ଦାବି ଉଠିଥିଲା
ଜମ୍ମୁ-କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ରାଜ୍ୟରେ ପୃଥକ୍‌ ପ୍ରଧାନମନ୍ତ୍ରୀ ବ୍ୟବସ୍ଥା ପାଇଁ ଦୁଇଦିନ ତଳେ କରିଥିବା ଦାବିକୁ ଆଜି ପୁଣି ଦୋହରାଇଛନ୍ତି। ବାରମୁଳା ଜିଲ୍ଲାରେ ଆଜି ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ଓମାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ କଶ୍ମୀର ଇତିହାସ ଜାଣିନଥିବାରୁ ତାଙ୍କ ଦାବିକୁ ଅଯଥା ସମାଲୋଚନା କରିଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାର ଅମଳରେ ମଧ୍ୟ ଏହି ଦାବି ଉଠିଥିଲା ଏବଂ କଶ୍ମୀରକୁ ୧୯୫୩ ପୂର୍ବର ସ୍ଥିତିକୁ ଫେରାଇ ନେବାକୁ ପ୍ରସ୍ତାବ ଦିଆଯାଇଥିଲା। ସମ୍ବିଧାନରେ ମଧ୍ୟ ଏହି ବ୍ୟବସ୍ଥା ସଂପର୍କରେ ଉଲ୍ଲେଖ ରହିଛି ବୋଲି ଓମାର କହିଛନ୍ତି।
ସୂଚନାଯୋଗ୍ୟ ୨ ଦିନ ତଳେ ଓମାର କହିଥିଲେ, କେନ୍ଦ୍ର ସରକାର ଧାରା ‘୩୫-ଏ’କୁ ଉଚ୍ଛେଦ କଲେ ଆମେ ରାଜ୍ୟରେ ପୂର୍ବରୁ ରହିଥିବା ‘ସଦର-ଏ-ସିୟାସତ୍‌’ ଏବଂ ‘ବଜିର୍‌-ଏ-ଆଜମ୍‌’ ବ୍ୟବସ୍ଥା ପୁନଃ ପ୍ରଚଳନ କରିବୁ । ଓମାର୍‌ଙ୍କ ଏଭଳି ବୟାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର