ଧାରା ୩୫-ଏ ଉପରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ପୂର୍ବରୁ କଶ୍ମୀର ବନ୍ଦ

ଶ୍ରୀନଗର: ଧାରା ୩୫-ଏ’ର ବୈଧ୍ୟତା ସମ୍ପର୍କରେ ସୁପ୍ରିମ୍‌ କୋର୍ଟରେ କରାଯାଇଥିବା ଆଇନଗତ ଚାଲେଞ୍ଜ୍‌କୁ ବିରୋଧ କରି ବିଚ୍ଛିନ୍ନତାବାଦୀମାନେ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦେଇଥିବାରୁ ଆଜି କଶ୍ମୀରରେ ଜୀବନଯାତ୍ରା ବ୍ୟାହତ ହୋଇଛି। ଏହି ଧାରା ଅନୁସାରେ ଜମ୍ମୁ ଓ କଶ୍ମୀର ବାହାରର କୌଣସି ଲୋକ ଏଠାରେ ସ୍ଥାବର ସମ୍ପତ୍ତି ଖରିଦ କରି ପାରିବେ ନାହିଁ।

ବନ୍ଦ ସତ୍ତ୍ୱେ ସମ୍ପୂର୍ଣ୍ଣ ଉପତ୍ୟକାର ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ଏ ପର୍ଯ୍ୟନ୍ତ କୌଣସି ସ୍ଥାନରୁ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଖବର ଆସିନାହିଁ ବୋଲି ଅଧିକାରୀମାନେ କହିଛନ୍ତି।

ବନ୍ଦ ଯୋଗୁଁ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। କୌଣସି ପ୍ରକାର ପରିବହନ ମାଧ୍ୟମ ମଧ୍ୟ ରାସ୍ତାଘାଟରେ ଦେଖା ଯାଉନାହିଁ।
ଧାରା ୩୫-ଏ ଉପରେ କରାଯାଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ପାଇଁ ସୁପ୍ରିମ୍‌ କୋର୍ଟ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରିଥିବାରୁ ’ଜଏଣ୍ଟ୍‌ ରେଜିଷ୍ଟାନ୍‌ସ୍‌ ଲିଡର୍‌ସିପ୍‌ ଆଜି ଓ ଆସନ୍ତାକାଲି ଦୁଇ ଦିନିଆ ଧର୍ମଘଟ ଡାକରା ଦେଇଛି।

ରାଜ୍ୟରେ ଆଗାମୀ ପଞ୍ଚାୟତ ଏବଂ ଅର୍ବାନ୍‌ ଲୋକାଲ୍‌ ବଡି ଏବଂ ମ୍ୟୁନିସ୍‌ପାଲ୍‌ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାରୁ ଏହି ଶୁଣାଣିକୁ ମୁଲତବୀ ରଖାଯାଉ ବୋଲି ରାଜ୍ୟ ସରକାର ସୁପ୍ରିମ୍‌ କୋର୍ଟଙ୍କ ରେଜିଷ୍ଟ୍ରାର୍‌ଙ୍କ ନିକଟରେ ଆବେଦନ କରିଛନ୍ତି।

ରାଜ୍ୟର ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଆଇନ ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଯଥେଷ୍ଟ ନିରାପତ୍ତା ବଳ ମୁତୟନ କରାଯାଇଥିବା କଥା ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର