ଶ୍ରୀନଗର, ହିଜ୍ବୁଲ କମାଣ୍ଡର ବୁରହନ୍ ଓ୍ଵାନିର ଦ୍ୱିତୀୟ ମୃତ୍ୟୁବାର୍ଷିକୀରେ କଶ୍ମୀର ଅଶାନ୍ତ ହୋଇଉଠିଛି। ଆଜି ବିଚ୍ଛିନ୍ନତାବାଦୀଙ୍କ ବନ୍ଦ ଯୋଗୁଁ ସମଗ୍ର କଶ୍ମୀର ଠପ୍୍ ହୋଇଯାଇଥିବା ବେଳେ ଦକ୍ଷିଣ କଶ୍ମୀରରେ ୨୦ରୁ ଅଧିକ ସ୍ଥାନରେ ପଥର ଫିଙ୍ଗାଳି ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ଘଟିଥିଲା। ତ୍ରାଲରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣରେ ୧୪ ଜଣ ଆହତ ହୋଇଥିବା ବେଳେ ପୁଲିସ୍ ପୋଷ୍ଟଗୁଡ଼ିକୁ ମଧ୍ୟ ବିଚ୍ଛିନ୍ନତାବାଦୀମାନେ ଟାର୍ଗେଟ କରିଛନ୍ତି। ଶ୍ରୀନଗରରେ ତୀବ୍ର ଉତ୍ତେଜନା ଲାଗି ରହିଥିବାରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ବିଭିନ୍ନ କଟକଣା ମଧ୍ୟ ଲଗାଯାଇଛି। ଅମରନାଥ ଯାତ୍ରୀଙ୍କ ଉପରେ ଯେ କୌଣସି ମତେ ଆକ୍ରମଣ ପାଇଁ ଲସ୍କର୍ ଓ ହିଜ୍ବୁଲ ଯୋଜନା କରିଥିବାରୁ ଆଜି ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଜମ୍ମୁରୁ ମହଲଗାଦ ଏବଂ ବାଲତାଲ ରାସ୍ତା ଦେଇ ଯାତ୍ରା ଚାଲିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏହାକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ଜଣେ ଯାତ୍ରା ସଂଚାଳନ କମିଟିର ପ୍ରବକ୍ତା କହିଛନ୍ତି।
ସମଗ୍ର କଶ୍ମୀରରେ ଇଣ୍ଟରନେଟ୍ ସେବା ଗତକାଲିଠାରୁ ବନ୍ଦ ଥିବା ବେଳେ ଆଗାମୀ ୭୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜଣାପଡ଼ିଛି । ଆଜି ତ୍ରାଲରେ ସୁରକ୍ଷା ବାହିନୀଉପରେ ୫ ଶହରୁ ଅଧିକ ଯୁବକ ସଂଘବଦ୍ଧ ଆକ୍ରମଣ କରିଥିଲେ। ତେବେ ଏଥିପାଇଁ ଆଗୁଆ ପ୍ରସ୍ତୁତ ଥିବା ସୁରକ୍ଷା ବାହିନୀର ସୁଚିନ୍ତିତ ରଣନୀତି ଯୋଗୁଁ ବଡ଼ ଅଘଟଣ ଟଳିଯାଇଛି। ସୂଚନାଯୋଗ୍ୟ ହିଜ୍୍ବୁଲ କମାଣ୍ଡର ବୁରହନ୍କୁ ସୁରକ୍ଷାବାହିନୀ ୨୦୧୬ ଜୁଲାଇ, ୮ ତାରିଖରେ ନିପାତ କରିଥିଲେ। ଏହାପରେ ଘାଟିରେ ବ୍ୟାପକ ହିଂସା ସୃଷ୍ଟି ହୋଇଥିବା ବେଳେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ହିଜବୁଲ ଓ ଲସ୍କର ଆତଙ୍କବାଦୀ ସଂଗଠନ ଘାଟିରେ ଯୁବକମାନଙ୍କୁ ଅର୍ଥ ପ୍ରଲୋଭନ ଦେଖାଇ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ପାଇଁ ଉସୁକାଉଥିବା ବେଳେ ଏଥିରେ ସ୍ଥାନୀୟ ବିଚ୍ଛିନ୍ନତାବାଦୀମାନେ ସେମାନଙ୍କୁ ସହଯୋଗ କରୁଛନ୍ତି। ଫଳରେ ସ୍ଥିତି ଅଣାୟତ୍ତ ହୋଇଉଠିଛି। ବିଚ୍ଛିନ୍ନତାବାଦୀ ନେତା ସୟଦ ଗିଲାନି ଏବଂ ମିରେଓ୍ଵଜ୍ ଫାରୁକ୍୍ଙ୍କୁ ଗୃହବନ୍ଦୀ କରି ରଖାଯାଇଛି।
ଆଇପିଏସ୍ ଅଫିସର୍ଙ୍କ ଭାଇ ହିଜ୍ବୁଲରେ ସାମିଲ
ଶ୍ରୀନଗର, ଆଜି ଆତଙ୍କବାଦୀ ବୁରହନ ଓ୍ଵାନିର ମୃତ୍ୟୁବାର୍ଷିକୀ ଅବସରରେ କଶ୍ମୀରର ଜଣେ ଆଇପିଏସ୍ ଅଫିସରଙ୍କ ଭାଇ ଆତଙ୍କବାଦୀ ସଂଗଠନ ହିଜ୍ବୁଲ ମୁଜାହିଦ୍ଦିନରେ ଯୋଗ ଦେଇଥିବା ସଂକ୍ରାନ୍ତ ଫଟୋ ଜାରି ହୋଇଛି। ଦକ୍ଷିଣ କଶ୍ମୀରର ସୋପିଆନ ଜିଲ୍ଲାର ସାମ୍୍ସୁଲ ହକ୍ (୨୫) ହିଜବୁଲ୍ରେ ଯୋଗ ଦେଇଥିବାକୁ ପୁଲିସ ମଧ୍ୟ ସ୍ୱୀକାର କରିଛି। ସାମ୍ସୁଲ ଗତ ମେ ମାସରୁ ନିଖୋଜ ଥିଲା। ସାମ୍୍ସୁଲର ବଡ଼ ଭାଇ ଇନାମୁଲ ହକ୍ ହେଉଛନ୍ତି ୨୦୧୨ ବ୍ୟାଚ୍ର ଆଇପିଏସ୍ ଅଫିସର ଏବଂ ତାଙ୍କର ପୋଷ୍ଟିଂ ଏବେ ଉତ୍ତର ପୂର୍ବରେ ହୋଇଛି। ସାମ୍୍ସୁଲ ହିଜ୍ବୁଲରେ ମେ ୨୫ ତାରିଖରୁ ଯୋଗଦେଇ ପିଓକେରେ ତାଲିମ ନେଉଥିଲା ଏବଂ ଏବେ ଦକ୍ଷିଣ କଶ୍ମୀରରେ ପ୍ରବେଶ କରିଥିବା ଜଣାପଡ଼ିଛି। ବୁରହନ୍ ଓ୍ଵାନିର ମୃତ୍ୟୁବାର୍ଷିକ ଅବସରରେ ଘାଟିର ୫୦ରୁ ଅଧିକ ଯୁବକ ହିଜବୁଲରେ ଯୋଗଦେଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/11-8.jpg)