ଆତଙ୍କବାଦୀ ସାଜିଲେ ଆଉ ଜଣେ ଛାତ୍ର

ପରିବାରର ଆକୁଳ ନିବେଦନ: ‘ଆମ ଉପରେ ଦୟାକର, ପୁଅକୁ ଛାଡ଼ିଦିଅ’

0 1,485

ଶ୍ରୀନଗର : ‘ଆମ ଉପରେ ଦୟା କର। ଘରକୁ ଫେରିବା ପାଇଁ ଆମ ପୁଅକୁ ଅନୁମତି ଦିଅ।’ ଶ୍ରୀନଗରର ଜଣେ ୧୭ ବର୍ଷୀୟ ଛାତ୍ରର ପରିବାର ଆତଙ୍କବା‌ଦୀ ଗୋଷ୍ଠୀକୁ ଏଭଳି ଆକୁଳ ନିବେଦନ କରିଛି। କିଛିଦିନ ତଳେ ଗ୍ରେଟର ନୋଏଡା ସ୍ଥିତ ଶାରଦା ବିଶ୍ବବିଦ୍ୟାଳୟର ଛାତ୍ର ଏହତେସାମ୍‌ ବିଲାଲ୍‌ ସୋ‌ଫି ‘ଇସ୍‌ଲାମିକ୍‌ ଷ୍ଟେଟ୍‌ ଜମ୍ମୁ କଶ୍ମୀର (ଆଇଏସ୍‌ଜେକେ)’ରେ ସାମିଲ ହୋଇଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ସୋଫି ଆତଙ୍କବାଦୀ ଗୋଷ୍ଠୀରେ ମିଶିଛି ବୋଲି ଜାଣିବା ପରେ ତାଙ୍କ ପିତା ବିଲାଲ୍‌ ଅହମ୍ମଦ ସୋଫି ବିଳମ୍ବ ନକରି ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି। ସୋସିଆଲ୍‌ ମିଡିଆରେ ଏହି ଭିଡିଓକୁ ଭାଇରାଲ୍‌ କରାଇ ଆତଙ୍କବାଦୀ ଗୋଷ୍ଠୀ ଆଇଏସ୍‌ଜେକେ ନିକଟରେ ତୁରନ୍ତ ପହଞ୍ଚାଇବାକୁ ଉଦ୍ୟମ କରିଛନ୍ତି। ଏହାକୁ ନେଇ ଜମ୍ମୁ କଶ୍ମୀରରେ ଆଲୋଡ଼ନ ସୃଷ୍ଟି ହୋଇଛି। ଯଦିଓ ଜମ୍ମୁ କଶ୍ମୀରର ଲୋକମାନେ ଆତଙ୍କବାଦୀ ଗୋଷ୍ଠୀରେ ସାମିଲ ହେବା ନୂଆ ନୁହେଁ, ଏହତେସାମ୍‌ ବିଲାଲ୍‌ଙ୍କ ଘଟଣାକୁ ନେଇ ଅଧିକ ଆଲୋଡ଼ନ ସୃଷ୍ଟି ହୋଇଛି। ଏତେ ସ୍ବଳ୍ପ ବୟସରୁ ପାଠପଢ଼ା ଛାଡ଼ି ଆତଙ୍କବାଦୀଙ୍କ ସହିତ ମିଶିବା ପ୍ରଥମ ଘଟଣା ବୋଲି କୁହାଯାଉଛି।

ସୋସିଆଲ୍‌ ମିଡିଆରେ ଛାଡ଼ିଥିବା ଭିଡିଓ ବାର୍ତ୍ତାରେ ଏହତେସାମ୍‌ଙ୍କ ପିତା ବିଲାଲ୍ କହିଛନ୍ତି, ‘‘ମୋ ପୁଅ ଆମ ପରିବାରର ଏକମାତ୍ର ଉତ୍ତରାଧିକାରୀ। ଘରକୁ ତା’ର ଆବଶ୍ୟକତା ରହିଛି। ତେଣୁ ଆମ ଉପରେ ଦୟା ପରବଶ ହୋଇ ତାକୁ ଘରକୁ ଫେରିବାକୁ ଦିଅ। ଆମ ଉପରେ ଦୟା କଲେ ଆଲ୍ଲା ତୁମମାନଙ୍କ ଉପରେ ଦୟାଶୀଳ ହେବେ।’’ ଏହି ଭିଡିଓ ବାର୍ତ୍ତା ଏବେ ଭାଇରାଲ୍‌ ହେବାର‌େ ଲାଗିଛି।

ଉଲ୍ଲେଖଯୋଗ୍ୟ, ଶ୍ରୀନଗରର ଖନ୍ୟାର ଅଞ୍ଚଳ ବାସିନ୍ଦା ହେଉଛନ୍ତି ଏହତେସାମ୍‌। ଶାରଦା ବିଶ୍ବବିଦ୍ୟାଳୟର ସେ ହେଉଛନ୍ତି ପ୍ରଥମ ବର୍ଷ ସ୍ନାତକ ଛାତ୍ର। ଚଳିତବର୍ଷ ଅକ୍ଟୋବର ୨୮ ତାରିଖରୁ ସେ ନିଖୋଜ ହୋଇଯାଇଛନ୍ତି। ବହୁ ଖୋଜା‌ଖୋଜି କରି ନିରାଶ ହେବା ପରେ ସୋସିଆଲ୍‌ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ୍‌ ହୋଇଥିଲା। କଳା ପୋଷାକ ପିନ୍ଧିଥିବା ଏକ ଫଟୋ ଛାଡ଼ି ସେ ଆତଙ୍କବାଦୀ ଗୋଷ୍ଠୀ ଆଇଏସ୍‌ଜେକେରେ ସାମିଲ ହୋଇଥିବା ଦାବି କରିଥିଲେ। ଏହାପରେ ତାଙ୍କ ପରିବାର ଲୋକ ଅନନ୍ୟୋପାୟ ହୋଇ ଆତଙ୍କବାଦୀ ଗୋଷ୍ଠୀକୁ ଏଭଳି ଆବେଗଭରା ନିବେଦନ କରିଛନ୍ତି। କଶ୍ମୀରରେ ଏବେ ଗୋଟିଏ ପରେ ସେନାର ‘ଅପରେସନ ଅଲ୍‌ ଆଉଟ୍‌’ ଚାଲିଥିବା ବେଳେ ଅନ୍ୟପଟେ ଲସ୍କର, ଜୈସ ଏବଂ ଆଇଏସ୍‌ଜେକେରେ ସ୍ଥାନୀୟ ଯୁବକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଭର୍ତ୍ତି କରାଯାଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.