କଶ୍ମୀର ପ୍ରସଙ୍ଗରେ ଆଇସିଜେର ଦ୍ବାରସ୍ଥ ହେବ ପାକିସ୍ତାନ

ଇସଲାମାବାଦ୍‌: ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଭାରତ ବିରୋଧରେ ଅଧିକ ଉଗ୍ର ହୋଇଉଠିଛି। କଶ୍ମୀର ପ୍ରସଙ୍ଗରେ ଲଗାତାର ଭାରତ ବି‌ରୋଧରେ ବିଷୋଦ୍‌ଗାର ଜାରି ରଖିଥିବା ପାକିସ୍ତାନ ଏବେ ପୁଣି କଶ୍ମୀର ବିବାଦକୁ ନେଇ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେର ଦ୍ବାରସ୍ଥ ହେବ ବୋଲି ସ୍ଥିର କରିଛି। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେଶି କହିଛନ୍ତି, କଶ୍ମୀର ମାମଲାକୁ ଆମେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲଦତକୁ ନେବାପାଇଁ ନିଷ୍ପତ୍ତି ନେଇଛୁ। ସମସ୍ତ ନ୍ୟାୟିକ ଦିଗକୁ ବିଚାରକୁ ନେବାପରେ ଏହି ନିଷ୍ପତ୍ତି ନିଆଯାଇଥିବା କୁରେଶି କହିଛନ୍ତି। ଧାରା ୩୭୦ ଉଚ୍ଛେଦ ମାମଲାରେ ଜାତିସଂଘରେ ନିରାଶ ହେବାପରେ ଏବେ ପାକିସ୍ତାନ ଆଇସିଜେ ପାଇଁ ପ୍ରସ୍ତୁତି କରୁଛି। କଶ୍ମୀର ନେଇ ଭାରତର ନିଷ୍ପତ୍ତି ବିରୋଧରେ ଜାତିସଂଘ ସୁରକ୍ଷା ପରିଷଦର ସ୍ବତନ୍ତ୍ର ବୈଠକ ପାଇଁ ପାକିସ୍ତାନ ଅନୁରୋଧ କରିବାପରେ ସ୍ବତନ୍ତ୍ର ଅନୌପଚାରିକ ବୈଠକ ହୋଇଥିଲା। କିନ୍ତୁ ବୈଠକରେ ଚୀନ୍‌କୁ ଛାଡ଼ିଦେଲେ ଅନ୍ୟ କୌଣସି ରାଷ୍ଟ୍ର ପାକିସ୍ତାନକୁ ସମର୍ଥନ କରିନଥିଲେ। ବ୍ରିଟେନ୍‌ ମଧ୍ୟ ପାକ୍‌କୁ ସମର୍ଥନ କରିନଥିଲା। ସବୁ ଦିଗରୁ ନିରାଶ ହେବାପରେ ପାକିସ୍ତାନ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତର ଦ୍ବାରସ୍ଥ ହେବ ବୋଲି କହିଛି। କିନ୍ତୁ ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

ସମ୍ବନ୍ଧିତ ଖବର