କଠୁଆ ଗଣଦୁଷ୍କର୍ମ:ବିଚାରପ୍ରକ୍ରିୟା ପଠାନକୋଟ୍‌କୁ ଗଲା

ସିବିଆଇ ତଦନ୍ତକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର ପ୍ରକ୍ରିୟା ଆଜି ଜମ୍ମୁ କଶ୍ମୀରରୁ ପଠାନକୋଟ୍‌କୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତେବେ ମାମଲାରେ ସିବିଆଇ ତଦନ୍ତ ହେବନାହିଁ ବୋଲି କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାରେ ଫାଷ୍ଟ୍‍ ଟ୍ରାକ୍‌ ବିଚାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ମାମଲାର ଶୁଣାଣିରେ କୌଣସି ବିଳମ୍ବ ନହୋଇ ନିୟମିତ ଭାବେ ଶୁଣାଣି ହେବ ବୋଲି କହିଛନ୍ତି। ଜୁଲାଇ ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମ୍‌ କୋର୍ଟ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ବିଚାରପ୍ରକ୍ରିୟାର ଅଗ୍ରଗତି ନେଇ କୋର୍ଟ ନିୟମିତ ବ୍ୟବଧାନରେ ସମୀକ୍ଷା କରିବେ ବୋଲି ମଧ୍ୟ କହିଛନ୍ତି।

ତେବେ ପଠାନକୋଟ୍‌ରେ ଉକ୍ତ ମାମଲାର ବିଚାର ହେଲେ ମଧ୍ୟ ଜମ୍ମୁ କଶ୍ମୀର ସରକାର ଏହି ମାମଲାରେ ନିଜ ଆଇନଜୀବୀ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ପୀଡ଼ିତାଙ୍କ ପରିବାର, ପୀଡ଼ିତା ପରିବାରର ପକ୍ଷ ରଖିଥିବା ଆଇନଜୀବୀ ଏବଂ ସାକ୍ଷୀମାନଙ୍କୁ ସୁରକ୍ଷା ଯେଗାଇଦେବା ପାଇଁ ମଧ୍ୟ କୋର୍ଟ ଜମ୍ମୁ କଶ୍ମୀର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପିମକୋର୍ଟ ଆଜି ଅତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇ କହିଛନ୍ତି ଯେ ଜମ୍ମୁ କଶ୍ମୀରରେ ଲାଗୁ ହେଉଥିବା ପେନାଲ୍‌ କୋଡ୍‌ ଅନୁଯାୟୀ ଏହି ମାମଲାର ବିଚାରଣା ହେବ। ଉଭୟ ଅଭିଯୁକ୍ତ ଏବଂ ପୀଡ଼ିତା ପରିବାର ପାଇଁ ବିଚାର ପ୍ରକ୍ରିୟା ନିରପେକ୍ଷ ହେବ ବୋଲି କୋର୍ଟ କହିଛନ୍ତି।
ଉଲ୍ଲେଖଯୋଗ୍ୟ, କଠୁଆ ନିକଟସ୍ଥ ଏକ ମୁସଲିମ୍‌ ଯାଯାବର ସମ୍ପ୍ରଦାୟର ଏକ ୮ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ସମୁଦାୟ ୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ଜମ୍ମୁ କଶ୍ମୀର ପୁଲିସ କ୍ରାଇମବ୍ରାଞ୍ଚ୍‌ ଏକ ଚାର୍ଜସିଟ୍‌ ଫାଇଲ୍‌ କରିଥିଲା। ତେବେ ମାମଲାର ବିଚାର ପ୍ରକ୍ରିୟା ଜମ୍ମୁ କଶ୍ମୀରରେ ଚାଲିଥିବାବେଳେ ପୀଡ଼ିତାଙ୍କ ବାପା ଉକ୍ତ ମାମଲାରେ ନିରପେକ୍ଷ ବିଚାରଣା ପାଇଁ ଏହାକୁ ଜମ୍ମୁ କଶ୍ମୀରରୁ ଚଣ୍ଡୀଗଡ଼କୁ ସ୍ଥାନାନ୍ତର କରିବା ନିମନ୍ତେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର