କାଠୁଆ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ସୁପ୍ରିମକୋର୍ଟ ତଦାରଖ କରିବେ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କାଠୁଆ ଗଣଦୁଷ୍କର୍ମ ମାମଲାର ଅନୁସନ୍ଧାନ ସୁପ୍ରିମକୋର୍ଟ ନିଜ ଆଡ଼ୁ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିସହ ସର୍ବୋଚ୍ଚ ଅଦାଲତ ଜମ୍ମୁ-କାଶ୍ମୀର ବାର୍‌ କାଉନ୍ସିଲ୍‌କୁ ନୋଟିସ୍‌ ପଠାଇ ଦୁଷ୍କର୍ମ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲକୁ ପ୍ରତିରୋଧ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କାଠୁଆ ଜିଲ୍ଲା ବାର୍‌ ଆସୋସିଏସନ୍‌ ଏବଂ ଜମ୍ମୁ-କାଶ୍ମୀର ହାଇକୋର୍ଟ ବାର୍‌ ଆସୋସିଏସନ୍‌ ଦୁଷ୍କର୍ମ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲକୁ ବିରୋଧ କରି କାର୍ଯ୍ୟବନ୍ଦ କରିଛନ୍ତି। ଏଥିସହ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ପକ୍ଷରୁ ମୋକଦ୍ଦମା ଲଢ଼ୁଥିବା ଓକିଲଙ୍କୁ ମଧ୍ୟ ବିରୋଧ କରିଛନ୍ତି। ଏହି ଘଟଣାକୁ ସୁପ୍ରିମ୍‌କୋର୍ଟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି।

ମୁଖ୍ୟବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଏ କ ଖଣ୍ଡପୀଠ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଇ ଦେଉନ ଥିବା ବ୍ୟକ୍ତିବିଶେଷଙ୍କୁ ନୋଟିସ୍‌ ଜାରି କରି ଏପ୍ରିଲ୍‌ ୧୯ ସୁଦ୍ଧା ଜବାବ ଦାଖଲ କରିବାକୁ କହିଛନ୍ତି। ପୀଡ଼ିତାଙ୍କ ପରିବାରକୁ ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କ କାର୍ଯ୍ୟରେ ବାଧା ଦେବା ଓ ଚାର୍ଜସିଟ୍‌ ଦାଖଲକୁ ବିରୋଧ କରିବା ଆଇନ ସମ୍ମତ ନୁହେଁ ବୋଲି ଖଣ୍ଡପୀଠ ମତ ପ୍ରକାଶ କରିଛନ୍ତି।

ଶୁକ୍ରବାର ସକାଳେ ସୁପ୍ରିମ୍‌ କୋର୍ଟରେ ଓକିଲାତି କରୁଥିବା ଏକ ଆଇନଜୀବୀ ଗୋଷ୍ଠୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମିଶ୍ର, ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ଵିଲ୍‌କର୍‌ ଏବଂ ଜଷ୍ଟିସ୍‌ ଡ଼ି.ଓ୍ଵାଇ ଚନ୍ଦ୍ରଚୂଡଙ୍କୁ କାଠୁଆ ଗଣଦୁଷ୍କର୍ମ ଭଳି ଅତ୍ୟନ୍ତ ବର୍ବରକାଣ୍ଡର ବିଚାର ନିଜ ଆଡ଼ୁ ସୁପ୍ରିମ୍‌ କୋର୍ଟ କରନ୍ତୁ ବୋଲି ଆବେଦନ କରିଥିଲେ। ଏହାପରେ ଅଦାଲତ ଏହି ମାମଲାର ବିଚାର ନିଜ ଆଡ଼ୁ କରିବାକୁ ନିଷ୍ପତ୍ତି ନେଇଥିଲେ।

ଉଲ୍ଲେଖଯୋଗ୍ୟ କି, ଗତ ସୋମବାର ନିର୍ଦ୍ଦିଷ୍ଟ ସଂପ୍ରଦାୟର ଏକ ଗୋଷ୍ଠୀ ଓକିଲ ଜମ୍ମୁ-କଶ୍ମୀର କ୍ରାଇମ୍‌ବ୍ରାଞ୍ଚ୍‌କୁ ଆସିଫା ନାମ୍ନୀ ୮ ବର୍ଷୀୟା ବାଳିକାର ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଡ଼ିତ ଥିବା ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲକୁ ବାଧା ଦେଇଥିଲେ।

ସମ୍ବନ୍ଧିତ ଖବର